ସର୍ଭିସ ରିଭଲଭରରୁ ଗୁଳି ଫୁଟି ଆଇଆଇସି ମୃତ

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ବୁ୍ୟରୋ): ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତୁ୍ୟ ଘଟିଛି । ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ସେ ଥାନା ପରିସରରେ ଥିବା ନିଜ କ୍ୱାର୍ଟର୍ସକୁ ଖାଇବାକୁ ଯାଇଥିଲେ । ମା’ଙ୍କ ସହ ମିଶି ଖାଉଥିବା ବେଳେ ନିଜ ଅଣ୍ଟାରେ ରହିଥିବା ରିଭଲଭରରୁ ଅସାବଧାନତାବଶତଃ ଗୁଳି ଫୁଟି ଯାଇଥିଲା ବୋଲି କୁହାଯାଉଛି । ରିଭଲଭର୍ ନଟ୍ ଅନ୍ଲକ୍ ଥିବାରୁ ଏଭଳି ଘଟିଥିବା ଏବଂ ଗୁଳି ତାଙ୍କ ପେଟ ଓ ଅଣ୍ଟା ଦେଇ ବାହାରି ଯାଇଥିବା ଜଣାପଡିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ଥାନାଧିକାରୀ ଗମାଙ୍ଗଙ୍କୁ ତୁରନ୍ତ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଉଥିଲା । ତେବେ ବାଲିସିରା ନିକଟରେ ସେ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଗାଙ୍ଗପୁର ଥାନାଧିକାରୀ ଦେବ କୁମାର ଗମାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ଏହା ଅସାବଧାନରୁ ଘଟିଛି ନା ଆତ୍ମହତ୍ୟା ବୋଲି ଚର୍ଚ୍ଚା ହେଉଛି । ଘଟଣାବେଳେ ଆଇଆଇସି ସାଦା ପୋଷାକରେ ଥିଲେ । ପୁଣି ଅନେକ ବର୍ଷ ହେବ ଆଇଆଇସି ମାନସିକ ଦୁଶ୍ଚିନ୍ତାରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଖୋଦ୍ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ଏସ୍ପି ରାଏ ସ୍ପଷ୍ଟ କରିଛନ୍ତି ।
ଖବର ପାଇ ଗଞ୍ଜାମ ଏସ୍ପିଙ୍କ ସମେତ ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ଭଞ୍ଜନଗର ଥାନାଧିକାରୀ ଧୀରେଶ ଦାସଙ୍କ ସମେତ ଜିଲ୍ଲାର ବହୁ ପୁଲିସ ଅଧିକାରୀ ଆସିକା ଡାକ୍ତରଖାନାରେ ପହଞ୍ଚିଥିଲେ । ମାତ୍ର ୪ ମାସ ତଳେ ଦେବକୁମାର ଗାଙ୍ଗପୁର ଥାନା ଅଧିକାରୀ ଭାବେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ଜୟପୁର ଥାନାରେ କାର୍ଯ୍ୟରତ ଥିଲେ । କୋରାପୁଟ ଜିଲ୍ଲା ଜୟପୁରର ମୂଳବାସିନ୍ଦା ଦେବ କୁମାର ଗମାଙ୍ଗ ଗାଙ୍ଗପୁର ଠାରେ ନିଜ ମା’ଙ୍କ ସହ ରହୁଥିଲେ । ମୃତ ଥାନା ଅଧିକାରୀଙ୍କ ପନôୀ କିରଣ ମହାନ୍ତି ନବରଙ୍ଗପୁର ଜିଲ୍ଲା ପୁଲିସ ହେଡ୍କ୍ୱାର୍ଟର୍ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଏବଂ ତାଙ୍କ ଜାଆଁଳା ପୁଅ ଓ ଝିଅଟିଏ ଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାରେ ଏହା ଦେବ କୁମାରଙ୍କ ପ୍ରଥମ ପୋଷ୍ଟିଂ ଥିଲା ।
ଆସିକା ଠାରେ ଏସ୍ପି ବ୍ରିଜେଶ ରାଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ- ଗାଙ୍ଗପୁର ଥାନା ଅଧିକାରୀ ଭାବେ ଦେବ କୁମାର ଗମାଙ୍ଗ ମାତ୍ର ୪ ମାସ ତଳେ ଯୋଗଦାନ କରିଥିଲେ । ସେ ଗଞ୍ଜାମ ପୁଲିସ ଜିଲ୍ଲାରେ ଜଏନ୍ କରିବା ପରେ ତାଙ୍କୁ ଗାଙ୍ଗପୁର ଥାନାରେ ପୋଷ୍ଟିଂ କରାଯାଇଥିଲା । ସେ ଜଣେ ଭଲ ଅଫିସର୍ ଥିଲେ ଓ ଉତ୍ତମ ରୂପେ କାର୍ଯ୍ୟ କରୁଥିଲେ । ତେବେ ସେ ବହୁ ଦିନରୁ ମାନସିକ ଚାପରେ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଏସ୍ପି ପ୍ରକାଶ କରିଛନ୍ତି । ତାଙ୍କ ସର୍ଭିସ ରିଭଲଭରରୁ ଗୁଳି ଫୁଟି ଜୀବନ ଯାଇଥିବା ଜଣାପଡିଛି । ତଥାପି କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଲା ସେ ନେଇ ଅଧିକ ତଦନ୍ତ ଚାଲିଛି । ଏଭଳି ଜଣେ ଯୁବ ଥାନାଧିକାରୀଙ୍କ ମୃତୁ୍ୟ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ତଥା ଗଞ୍ଜାମ ଜିଲ୍ଲା ପୁଲିସ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏସ୍ପି ରାଏ ପ୍ରତିକ୍ରିୟାରେ କହିଛନ୍ତି । ଏସ୍ପି ସୂଚନା ଦେଇଛନ୍ତି ଯେ- ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ଆଣିବା ବାଟରେ ମୃତୁ୍ୟ ଘଟିଥିଲା । ଖବର ବାବଦରେ ତାଙ୍କ ପରିବାରବର୍ଗଙ୍କୁ ଜଣାଇ ଦିଆଯାଇଛି । ଏଭଳି ଦୁଃଖଦ ଖବର ଶୁଣିବା ପରେ ପରିବାର ସଦସ୍ୟମାନେ ଆସିକା ଆସୁଛନ୍ତି । ଗାଙ୍ଗପୁର ଥାନା ଇଲାକାରେ ଶୋକର ଛାୟା ଖେଳିଯାଇଛି ।
ଉଲ୍ଲେଖଯୋଗ୍ୟ ଯେ- ଦେଶର ଶ୍ରେÂ ତୃତୀୟ ଥାନା କ୍ୟାମ୍ପସ୍ ତଥା ଜନସାଧାରଣଙ୍କୁ ସେବା ନିମନ୍ତେ ଗାଙ୍ଗପୁର ଥାନା କିଛି ମାସ ତଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ପୁରସ୍କୃତ ହୋଇଥିଲା ଓ ତକ୍ରାଳୀନ ଥାନାଧିକାରୀ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ । ଅପରପକ୍ଷରେ ଅନେକ ବର୍ଷ ତଳେ ବ୍ରହ୍ମପୁର ଜିଆର୍ପି ଥାନା ଆଇଆଇସି ଥାନା ପରିସର ନିଜ ଟେବୁଲ୍ ଉପରେ ବସି ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ନଜିର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons