ସେପ୍ଟେମ୍ବରରେ ସଂକ୍ରମଣ ସଙ୍କୁଚିତ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଲଗାତାର ୨ମାସ ହେଲା କରୋନା ସଂକ୍ରମଣ କମିବାରେ ଲାଗିଛି । ସହର ଏବଂ ଗ୍ରାମାଞ୍ଚଳରେ ପଜିଟିଭ୍ ସଂଖ୍ୟା ୨ଅଙ୍କରେ ରହିଛି । ଅଗଷ୍ଟରେ ମାସିକ ସଂକ୍ରମିତଙ୍କ ସଂଖ୍ୟା ୩୮ ଥିବା ବେଳେ ସେପ୍ଟେମ୍ବରରେ ରହିଛି ମାତ୍ର ୧୩ । ଚିହ୍ନଟ ୧୩ ଜଣଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଶିଶୁ । ମାସକ ମଧ୍ୟରେ କୋଭିଡ୍ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କାହାର ମୃତୁ୍ୟ ଘଟିନି । ଦଶହରା ସରିଥିବା ବେଳେ ଆଗକୁ କୁମାରପୂର୍ଣ୍ଣମୀ ଏବଂ ଦୀପାବଳୀ ରହିଛି । ସଂକ୍ରମଣ ଉପରେ ଦଶହରାର ପ୍ରଭାବ ଆଗାମୀ ସପ୍ତାହରେ ଜଣାପଡିବ । ପାର୍ବଣ ନସରିବା ପର୍ଯ୍ୟନ୍ତ ଆହୁରି ସତର୍କ ରହିବାକୁ ପଡିବ ବୋଲି ବିଶେଷଜ୍ଞ ଡାକ୍ତର କହିଛନ୍ତି ।
ମାର୍ଚ୍ଚ ଶେଷ ସପ୍ତାହରେ ସହର ଏବଂ ଗ୍ରାମାଞ୍ଚଳରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ଲହରି । ଏପ୍ରିଲରେ ୨୯୬ ପଜିଟିଭ୍ ଚିହ୍ନଟ ହୋଇଥିଲେ । ମେ’ରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ପହଞ୍ଚିଥିଲା ୧ ହଜାର ୬୭୮ରେ । ବେସରକାରୀ ଭାବେ ସ୍ଥାନୀୟ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୮ ଜଣଙ୍କ ମୃତୁ୍ୟ ଘଟିଥିଲା । ତେବେ ଜୁନ୍ରେ ସଂକ୍ରମଣ କମିବା ଆରମ୍ଭ ହୋଇଥିଲା । ୭୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ ପ୍ରାଣ ହରାଇଥିଲେ । ଜୁଲାଇରେ ୧୫୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କ ମୃତୁ୍ୟ ହୋଇଥିଲା । ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କରେ ପହଞ୍ଚିଥିଲା । ୩୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ଜଣଙ୍କ ଜୀବନ ନେଇଥିଲା ମହାମାରୀ । ତୃତୀୟ ଲହରି ଆରମ୍ଭ ହେଲେ ଅଧିକ ଶିଶୁ ସଂକ୍ରମିତ ହେବା ଆଶଙ୍କା କରିଥିଲେ ବିଶେଷଜ୍ଞମାନେ । ସେପ୍ଟେମ୍ବରରେ ମାତ୍ର ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କାହାର ମୃତୁ୍ୟ ହୋଇ ନଥିଲା । ୧୩ ଆକ୍ରାନ୍ତଙ୍କ ମଧ୍ୟରେ ସହରର ମାତ୍ର ୨ ଜଣ ଶିଶୁ ଅଛନ୍ତି । କୋଭିଡ୍ ହସପିଟାଲରେ ଚିକିତ୍ସା ପରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଚଳିତମାସର ଆଜିପର୍ଯ୍ୟନ୍ତ ମାତ୍ର ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ଗତ ୩ ଦିନ ହେଲା ସ୍ଥାନୀୟ କୋଭିଡ୍ ହସପିଟାଲରେ କେହି ରୋଗୀ ଭର୍ତ୍ତି ହୋଇନାହାନ୍ତି । ତୃତୀୟ ଲହରିକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କୋଭିଡ୍ ହସପିଟାଲରେ ୧୨ଟି ସ୍ୱତନ୍ତ୍ର ଆଇସିୟୁ ଏବଂ ୩୦ଟି ବେଡ୍ ଶିଶୁଙ୍କ ଲାଗି ସଂରକ୍ଷିତ ରଖାଯିବା ସହ ସେମାନଙ୍କ ଲାଗି ସିରପ୍, ଇଞ୍ଜେକସନ୍, ଅକ୍ସିଜେନ୍ ମାସ୍କ ଏବଂ ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons