ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ବାର୍ହାମୂଷାରେ ଥିବା ସୁରେନ୍ଦ୍ର ମାଇନିଙ୍ଗ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ୍ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେୟର ବେଲ୍ଟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । କ୍ଷତିପୂରଣ ଦାବିରେ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ସହ ପରିବାରବର୍ଗ ବିକ୍ଷୋଭ କରିଥିଲେ । କାରଖାନା ପକ୍ଷରୁ କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଛି ।
ଆଜି ସକାଳ ୬ଟା ସମୟରେ ଲହୁଣିପଡ଼ା ବ୍ଲକ କୁଡର଼୍ା ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗାଁର ଅଜିତ ମାହାନ୍ତ ( ୨୭) ସ୍ପଞ୍ଜ କାରଖାନାକୁ କାମ କରିବା ପାଇଁ ଆସିଥିଲେ । ସକାଳ ସାଢେ଼ ୭ଟା ସମୟରେ କାମ କରୁଥିବା ବେଳେ ହଠାତ କନଭେୟର ବେଲ୍ଟରେ ଚାପି ହୋଇ ଅଜିତ୍ଙ୍କ ମୃତୁ୍ୟ ଘଟିଥିଲା । ଏହି ଖବର ପାଇବା ପରେ କେନ୍ଦ୍ରିକଳା ସରପଞ୍ଚ ଉଗ୍ରେସନ କିସାନ, କୁଡର଼୍ା ସରପଞ୍ଚ, ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ଲାଣ୍ଟ କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ସେଠାରେ ପହଞ୍ଚି ମୃତ ଦେହକୁ ଉଦ୍ୟମ କରୁଥିବା ବେଳେ ପରିବାରବର୍ଗର୍ ଏବଂ ସ୍ଥାନୀୟ ଲୋକେ ତାକୁ ଅଟକାଇ ରଖି ବିକ୍ଷୋଭ କରିଥିଲେ । ମୃତ ଯୁବକଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ବଣାଇଁ ଉପଖଣ୍ଡ ପୁଲିସ ଅଧିକାରୀ ସୌରଭ କୁମାର ଓତା, ବଣାଇଁ ପୁଲିସ ଅଧିକାରୀ ରଞ୍ଜନ କୁମାର ନାୟକ, ହୃଷୀକେଶ ପ୍ରଧାନ, ବରୁଣ କୁମାର ନାୟକ, ଲହୁଣିପଡ଼ା ଥାନା ଅଧିକାରୀ, ମହୁଲପଦା ଥାନା ଅଧିକାରୀ ତ୍ରିନାଥ ସେଠୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ପରିବାର ଲୋକେ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଏଠାରୁ ଶବ ଛାଡ଼ିବୁ ନାହିଁ ବୋଲି ଜିଦ୍ରେ ଅଟଳ ରହିଥିଲେ ।
କାରଖାନା ପକ୍ଷରୁ କ୍ଷତିପୂରଣ ବାବଦକୁ ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ଚେକ୍, ଯୋଗ୍ୟତା ଭିତ୍ତିରେ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ କାରଖାନାରେ ଚାକିରି ଦେବା ଦେବା ପାଇଁ ଲିଖିତ ଆକାରରେ ପ୍ରତିଶ୍ରୁତି ଦେବା ପରେ ବଣାଇଁ ପୁଲିସ ସ୍ପଞ୍ଜ କାରଖାନା ଭିତରୁ ଶବକୁ ଜବତ କରି ଏକ ଦୁର୍ଘଟଣା ଜନିତ ମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ ଲାଗି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ଦିଆଯାଇଥିଲା । ଆଖପାଖ ଅଞ୍ଚଳରେ ଥିବା ସମସ୍ତ ସ୍ପଞ୍ଜ କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟିଥିଲେ ମଧ୍ୟ କୌଣସି କ୍ଷେତ୍ରରେ ଶ୍ରମିକଙ୍କୁ ଜୋତା, ହେଲମେଟ୍ ଆଦି ସୁରକ୍ଷା ଉପକରଣ ଦିଆଯାଉ ନଥିବା ଅଭିଯୋଗ ହେଉଛି ।
Comments are closed, but trackbacks and pingbacks are open.