ହତ୍ୟାକାରୀ ଶିବ ଏକୁଟିଆ ନା ଆଉ କିଏ?

Get real time updates directly on you device, subscribe now.

ମାହାଙ୍ଗା,(ବି.ବି.ବୁ୍ୟରୋ): କୁସୁପୁର ନରସଂହାର ଘଟଣାର ରହସ୍ୟ ଭେଦିବା ପୁଲିସ୍ ପକ୍ଷେ ଏତେ ସହଜ ହେବ ନାହିଁ । ଯଦିଓ ହତ୍ୟାକାରୀ ପୁଲିସ୍ ହେପାଜତ୍ରେ ରହିଛି, ତଥାପି ହତ୍ୟାକାଣ୍ଡକୁ ନେଇ ଉପୁଜିଥିବା ଅନେକ ପ୍ରଶ୍ନର ଉତ୍ତର ମିଳିନାହିଁ । ହତ୍ୟାକାରୀ ଶିବ ଏକୁଟିଆ ନା ତାକୁ ଆଉ କେହି ଏ କାଣ୍ଡରେ ସହଯୋଗ କରିଛି? ଗୋଟିଏ ବଖରା ଘରେ ପାଞ୍ଚଜଣଙ୍କୁ ଏକାସଙ୍ଗେ ହତ୍ୟା କରିବା ଜଣଙ୍କ ପକ୍ଷେ ସମ୍ଭବ? ହତ୍ୟା ପୁର୍ବରୁ ସମସ୍ତଙ୍କୁ ନିଶା ଦିଆଯାଇଥିଲା କି? ହତ୍ୟାକାଣ୍ଡର ମୂଳ କାରଣ ଜମି ବିବାଦ ନା ଆଉ କିଛି? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ପୁଲିସ୍କୁ ତଦନ୍ତ ପ୍ରକି୍ରୟାରେ ଖୋଜିବାକୁ ହେବ । ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ମିଳିବା ପରେ ସମ୍ପୂର୍ଣ୍ଣ ଘଟଣା ପଛର ରହସ୍ୟ ହୁଏତ ସାମ୍ନାକୁ ଆସିବ ବୋଲି ପୁଲିସ୍ କହିଛି ।
ଜଣେ ବ୍ୟକ୍ତି କିଭଳି ଭାବେ ଗୋଟିଏ ବଖରାରେ ଶୋଇଥିବା ୫ଜଣଙ୍କୁ ଜଣକପରେ ଜଣଙ୍କୁ ହତ୍ୟା କରିବ ସେ ନେଇ ଅପରାଧ ବିଶେଷଜ୍ଞମାନଙ୍କ ମନରେ ସନେ୍ଦହ ଉପୁଜୁଛି । ଗୋଟିଏ ଘରେ ବାପା, ମା’, ଭାଇ, ଭଉଣୀ ସମସ୍ତେ ଶୋଇଥିଲେ । ମୃତକଙ୍କ ଭିତରେ ଅଲେଖ, ପତ୍ନୀ ରଶ୍ମି ଓ ଝିଅ ପାୟଲ୍ ପ୍ରାପ୍ତ ବୟସ୍କ ଥିବା ବେଳେ ଦୁଇ ପୁଅ ମଧ୍ୟ ଆକ୍ରମଣକୁ ପ୍ରତିରୋଧ କରିବାର କ୍ଷମତା ରଖୁଥିଲେ । କିନ୍ତୁ ଏହା ସତ୍ତେ୍ୱ ବି ଶିବ ଏକୁଟିଆ ଘରେ ପଶି ସମସ୍ତଙ୍କୁ ହାଣି ହତ୍ୟା କରିବା ଘଟଣା ଅସ୍ୱାଭାବିକ ଲାଗୁଥିବା ବେଳେ ପୁଲିସ୍ ଏ ଦିଗରେ ତଦନ୍ତ ଜାରି ରଖିଛି । ଏମିତିକି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ଏ ଦିଗରେ ସନେ୍ଦହ ପ୍ରକାଶ କରିଛନ୍ତି । କହିଛନ୍ତି, ହତ୍ୟାକାଣ୍ଡ ପୂର୍ବରୁ ହତ୍ୟାକାରୀ ସେମାନଙ୍କୁ ନିଶା ଦେଇ ଏଭଳି କାଣ୍ଡ ଘଟାଇ ଥାଇପାରେ । କିମ୍ବା ଘଟଣାସ୍ଥଳରେ ଶିବକୁ ଆଉ କେହି ସହଯୋଗ କରିପାରିଥାନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ ତାହା ଏବେ ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ୍ ରିପୋର୍ଟ ଏ ସବୁ ରହସ୍ୟରୁ ପର୍ଦ୍ଧା ଉଠାଇବ ବୋଲି ଶ୍ରୀ ଭୋଳ ପ୍ରକାଶ କରିଛନ୍ତି ।
ଅଲେଖ ଓ ଶିବଙ୍କ ଜମିବାଡ଼ି ବିଶେଷ ନାହିଁ । ପୈତୃକ ସମ୍ପତ୍ତି କହିଲେ ଘରଡିହର ଦୁଇ ଗୁଣ୍ଠ ଜମି । ଯାହା ଉପରେ ନିର୍ମାଣ ହୋଇଛି ପ୍ରାୟ ୭ ବଖରା ଘର । ଏହି ଦୁଇ ଗୁଣ୍ଠ ଜମି ହିଁ ହତ୍ୟାକାଣ୍ଡ ପଛର ମୂଳ କାରଣ ବୋଲି କୁହାଯାଉଛି । ମିଳିଥିବା ସୂଚନା ମୁତାବକ, ଅଲେଖ ଓ ଶିବଙ୍କ ବାପା ସ୍ୱର୍ଗତ ଶ୍ରୀଚରଣ ସାହୁ ଜଣେ ସରକାରୀ କର୍ମଚାରୀ ଥିଲେ । ବାପାଙ୍କ ମୃତୁ୍ୟ ପରେ ପୈତୃକ ସମ୍ପତ୍ତି ୨ଗୁଣ୍ଠ ଉପରେ ୭ବଖରା ଘର ନିର୍ମାଣ କରାଯାଇଥିଲା । ସେଥିରୁ ଅଲେଖ ସାମ୍ନାରେ ଗୋଟିଏ ବଖରାରେ ଦୋକାନ କରିଥିଲେ । ବାକି କିଛି ବଖରାରେ ଚଳୁଥିଲେ । ସାନ ଭାଇ ଶିବକୁ ଗୋଟିଏ ବଖରା ଘର ମିଳିଥିଲା । ଯାହାକୁ ନେଇ ଶିବଙ୍କ ପରିବାର ଦୀର୍ଘ ଦିନ ଧରି ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ । ଜମି ଭାଗବାଣ୍ଟ କରି ଅଧା ଜମି ତାଙ୍କୁ ଦେବାକୁ ଜିଦ୍ ଧରିଥିଲେ । କିନ୍ତୁ ଏହାକୁ ଅଲେଖ ଗ୍ରହଣ କରିପାରୁନଥିଲେ । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା । ପ୍ରାୟ ୫ବର୍ଷ ତଳେ ଶିବଙ୍କ ପତ୍ନୀ ସୁନୀତା ସାହୁ ଦେଢଶୂର ଅଲେଖଙ୍କ ନାଁରେ ଅସଦାଚରଣ ଅଭିଯୋଗ କରି ଏତଲା ଦେଇଥିଲେ । ଏ ଘଟଣା ଏବେ ସୁଦ୍ଧା ବିଚାରାଧିନ ରହିଛି । ତେଣୁ ଏହି କେସ୍ ଉଠାଇନେବାକୁ ଅଲେଖ ବାରମ୍ବାର ଶିବଙ୍କୁ କହୁଥିଲେ । କିନ୍ତୁ ଜମି ଭାଗ ଦେଲେ ମାମଲା ଉଠାଇବି ବୋଲି ଶିବ କହି ଆସୁଥିଲେ । ଯାହାଫଳରେ ଦୁଇ ଭାଇଙ୍କ ମଧ୍ୟରେ ଏ ବିବାଦକୁ ନେଇ ଅନେକ ସମୟରେ ମାର୍ପିଟ୍ ହେଉଥିବାର ଗ୍ରାମବାସୀମାନେ ଦେଖିଥିଲେ । ଏମିତିକି ସରପଞ୍ଚଙ୍କ ଉପସ୍ଥିତିରେ ବିବାଦ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଉଭୟ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା । ପରେ ପ୍ରତିଶୋଧ ଓ ଆକ୍ରୋଶରେ ଜଳି ଶିବ ବଡ଼ଭାଇ ଅଲେଖଙ୍କ ପରିବାର ଶୋଇଥିବା ବେଳେ ସେମାନଙ୍କୁ ହାଣି ହତ୍ୟା କରିଥିବା ସନେ୍ଦହ କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons