ହତ୍ୟା ଅଭିଯୋଗ ଆଣିଲେ ପ୍ରେମିକଙ୍କ ପରିବାର

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ପାପଡାହାଣ୍ଡି ଥାନା ହାତିବେଡା ଗାଁ ବତାସର ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର ମାମଲା ଗମ୍ଭୀର ହେବାରେ ଲାଗିଛି । ଉଭୟଙ୍କୁ କେହି ହତ୍ୟାକରି ଗଛରେ ଟାଙ୍ଗି ଦେଇଥିବା ପ୍ରେମିକ ବିଷ୍ଣୁ ଭତ୍ରାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଷ୍ଣୁଙ୍କ ପରିବାର ଓ କୋଇଲାରୀ ଗାଁଲୋକେ ପାପଡାହାଣ୍ଡି ଥାନାରେ ଏତଲା ଦେବା ସହ ନବରଙ୍ଗପୁର ଏସ୍ପି ପୁରୁଷୋତ୍ତମ ଦାସଙ୍କୁ ସାକ୍ଷାତ କରି ଜଣାଇଛନ୍ତି । ମାମଲାର ନିରପେକ୍ଷ ତଦନ୍ତ କରାଯିବ ବୋଲି ଏସ୍ପି ବିଷ୍ଣୁଙ୍କ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ତିନିଦିନ ତଳେ ଡାବୁଗାଁ ଥାନା କୋଇଲାରୀ ଗାଁର ବିଷ୍ଣୁ ଭତ୍ରା ଓ ପାପଡାହାଣ୍ଡି ଥାନା କୋଦଭଟ୍ଟା ଗାଁର ସାବିତ୍ରୀ ଭତ୍ରାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା । ଉଭୟ ପରସ୍ପରକୁ ପ୍ରେମ କରୁଥିଲେ । ଏତଲାରେ ବଷ୍ଣୁଙ୍କ ଦାଦା ସନୁ ଭତ୍ରା କହିଛନ୍ତି, ଉଭୟଙ୍କ ପ୍ରେମ ସମ୍ପର୍କରେ ପରିବାର ଲୋକେ କେହି ଜାଣି ନଥିଲେ । ଘଟଣାର ୩ ଦିନ ତଳେ ଅର୍ଥାତ ଗତ ଗୁରୁବାର ରାତିରେ ବିଷ୍ଣୁ କୋଦଭଟ୍ଟା ଗାଁକୁ ଯାଇଥିଲେ । ସେଠାରେ ସାବିତ୍ରୀଙ୍କ ପରିବାର ଲୋକେ ବିଷ୍ଣୁକୁ ମାଡମାରି ମୋବାଇଲ ଛଡାଇ ନେଇଥିଲେ । ଏକଥା ବିଷ୍ଣୁ କାହାକୁ ନକହି ଗତ ଶୁକ୍ରବାର ଘରକୁ ଫେରିଥିଲା । ସେ ଧୋଡ୍ରା କଲେଜର ଯୁକ୍ତ ୨ ଛାତ୍ର । ସେ ତା’ ସାନଭାଇ କୈଳାସ ସହ ୪ ଟାରେ କଲେଜରୁ ଫେରିଥିଲା । ତା’ପାଖରେ ମୋବାଇଲ ନଥିଲା । କଲେଜରୁ ଫେରିବାବେଳେ କୈଳାସ ପାଖକୁ କୋଦଭଟ୍ଟାରୁ ଏକ ଫୋନ୍କଲ୍ ଅସିଥିଲା । କୋଦଭଟ୍ଟାରୁ କଲ୍ ଆସିଥିବା ଜାଣି କୈଳାସଠାରୁ ବିଷ୍ଣୁ ମୋବାଇଲ ଛଡାଇ ନେଇ କଥା ହୋଇଥିଲା । ପରେ ସାନ ଭାଇକୁ ମୋବାଇଲ ଫେରାଇ ବିଷ୍ଣୁ କେଉଁଆଡେ ଚାଲିଯାଇଥିଲା । ଆଉ ଘରକୁ ଫେରି ନଥିଲା । କୋଦଭଟ୍ଟା ଗାଁରେ ବିଷ୍ଣୁଙ୍କୁ ପୁଣି ମାଡ ମରାଯାଇଥିଲା । ଏଥିରେ ତା’ର ମୁଣ୍ଡ ଫାଟି ଯାଇଥିଲା । ସାବିତ୍ରୀ ନିଜ ଘରେ ଫାଶୀ ହୋଇ ଆତ୍ମହତ୍ୟା କରିଥିଲା । ପରେ ବିଷ୍ଣଙ୍କୁ ହତ୍ୟାକରି ଦୁଇଜଣଙ୍କ ଅଣ୍ଟାରେ ଦଉଡି ବାନ୍ଧି ଗଛରେ ଟାଙ୍ଗି ଦିଆଯାଇଥିଲା । ଏହି ଘଟଣା ପଛରେ ସାବିତ୍ରୀଙ୍କ ବାପା ଶୁକମନ ଭତ୍ରାଙ୍କ ସମ୍ପୃକ୍ତି ରହିଛି । ବିଷ୍ଣୁଙ୍କ ବାପା ବୁଦୁରା ଭତ୍ରା, ଦାଦା ସନୁ ଭତ୍ରାଙ୍କ ସମେତ ଗାଁର ଈଶ୍ୱର ମାଝି, ନିଧି ମାଝି, ରାମସିଂ ମାଝି, ନରସିଂ ଭତ୍ରା, ଉଦର ଭତ୍ରା, ଜଗରୁ ପୂଜାରୀ ଓ ଅନ୍ୟମାନେ ଏଭଳି ଅଭିଯୋଗ ଆଣିଛନ୍ତି । ଘଟଣାଦିନ ବିଷ୍ଣୁଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିବାବେଳେ ପୁଲିସ ଏତଲା ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons