ହାଜତରେ ପିଟିପିଟି ହତ୍ୟା ଅଭିଯୋଗ!

Get real time updates directly on you device, subscribe now.

ମୟୂରଭଞ୍ଜ,(ବି.ବି.ଆପ୍ର): ଲୁଟ୍ ମାମଲାର ତଦନ୍ତ କରୁଥିଲା ମୟୂରଭଞ୍ଜ ଜିଲ୍ଲା ଉଦଳା ପୁଲିସ । ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗତକାଲି ରାତିରେ ଉଠାଇ ଆଣିଥିଲା । ଥାନାରେ ଜେରା ପରେ ଆଜି ସେ ଅସୁସ୍ଥ ହୋଇପଡ଼ିଥିଲେ । ଅଭିଯୁକ୍ତକୁ ଉଦଳା ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ମୃତ ଯୁବକ ଜଣଙ୍କ ପ୍ରଦୀପ ଦାସ(୩୫) । ଘର ବାଲେଶ୍ୱର ଜିଲ୍ଲା ମନ୍ଦାରପୁର ଅଞ୍ଚଳରେ । ପୁଲିସ୍ ହାଜତରେ ପିଟିପିଟି ପ୍ରଦୀପଙ୍କୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଉଦଳା ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଥିବା ସୂଚନା ମିଳିଛି । ସେପଟେ ମୃତ ପ୍ରଦୀପଙ୍କ ଗାଁର ଶତାଧିକ ମହିଳା ରେମୁଣା ଥାନା ଘେରଉ କରବିା ସହ ଘଟଣାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ।
ଅଭିଯୋଗ ଅନୁସାରେ, ଗତ ଜାନୁଆରୀରେ ଉଦଳା ଏନ୍ଏସି ଅଧୀନ ୫ ନମ୍ବର ୱାର୍ଡରେ ଜଣେ ମହିଳାଙ୍କ ଘରେ ପଶି ସୁନା ଅଳଙ୍କାର ସଫା କରିବା ବାହାନାରେ ଲୁଟ୍ କରି ନେଇଥିଲେ ଲୁଟେରା । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସନେ୍ଦହରେ ଉଦଳା ପୁଲିସ ଗତ ଶନିବାର ସନ୍ଧ୍ୟା ୫ଟାରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ମନ୍ଦାରପୁର ଅଞ୍ଚଳରେ ପହଞ୍ଚିଥିଲେ । ସେହି ଗାଁର ଯୁବକ ପ୍ରଦୀପଙ୍କୁ ଧରିବାକୁ ଚେଷ୍ଟା କରିଥିଲା । ପ୍ରଦୀପ ଘରେ ନଥିବା ପରିବାର ଲୋକେ କହିବାରୁ ପୁଲିସ ଫେରି ଯାଇଥିଲା । ପୁଣି ସନ୍ଧ୍ୟା ୭ଟାରେ ପୁଲିସ ପହଞ୍ଚି ପ୍ରଦୀପଙ୍କୁ ଘରୁ ଉଠାଇ ଗାଡ଼ିରେ ବସାଇ ଉଦଳା ନେଇ ଯାଇଥିଲା । ରାତି ସାଢେ଼ ୩ଟାରେ ପ୍ରଦୀପ ଅସୁସ୍ଥ ଥିବା ପୁଲିସ ପରିବାର ଲୋକଙ୍କୁ ଜଣେଇଥିଲା । ରବିବାର ପୂର୍ବାହ୍ନରେ ପରିବାର ଲୋକେ ଥାନାରେ ପହଞ୍ଚି ପ୍ରଦୀପଙ୍କୁ ଦେଖା କରିବାକୁ ଚାହିଁଥିଲେ । ମାତ୍ର ସେମାନଙ୍କୁ ପୁଲିସ ବାରଣ କରିଥିଲା । ଏନେଇ ସେଠାକାର ବ୍ଲକ ଅଧ୍ୟକ୍ଷଙ୍କୁ ପରିବାର ଲୋକେ ଜଣାଇଥିଲେ । ଏହି ସମୟରେ ପ୍ରଦୀପ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଥାନାରୁ ସୂଚନା ମିଳିଥିଲା । ପରିବାର ଲୋକ ଡାକ୍ତରଖାନା ଯିବା ବେଳକୁ ଅପରାହ୍ନ ପ୍ରାୟ ୩ଟାରେ ପ୍ରଦୀପଙ୍କ ମୃତୁ୍ୟ ଘଟିଥିବା ପୁଲିସ ସୂଚନା ଦେଇଥିଲା । ଏକଥା ଶୁଣି ପରିବାରରେ କାନ୍ଦବୋବାଳି ପଡ଼ିଥିଲା ।
ପ୍ରଦୀପର ମୃତୁ୍ୟକୁ କିନ୍ତୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ପ୍ରଦୀପକୁ ପୁଲିସ୍ ଆଣିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଘର ଲୋକ କହୁଛନ୍ତି । ହଠାତ୍ କେମିତି ସେ ଅସୁସ୍ଥ ହୋଇପଡ଼ିଲା ଏବଂ ତାଙ୍କର ମୃତୁ୍ୟ ହେଲା ବୋଲି ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । ହାଜତ ଭିତରେ ପୁଲିସ୍ ପ୍ରଦୀପଙ୍କୁ ପିଟିପିଟି ମାରି ଦେଇଛି ବୋଲି ତାଙ୍କ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଉଦଳା ଡାକ୍ତରଖାନା ପରିସର ଏବଂ ଉଦଳା ଥାନା ଆଗରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ଲେଖା ହେବା ବେଳକୁ ଥାନାରେ ଆଗରେ ଧାରଣା ଜାରି ରହିଥିଲା । ଏହି ଘଟଣାରେ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି ।
ଏପଟେ ରବିବାର ସନ୍ଧ୍ୟାରେ ପ୍ରଦୀପଙ୍କ ମା’, ପରିବାର ସଦସ୍ୟ ଓ ଗ୍ରାମବାସୀ ରେମୁଣା ଥାନାରେ ପହଞ୍ଚି ହୋ-ହଲ୍ଲା କରିଥିଲେ । ସେମାନଙ୍କୁ ବୁଝାସୁଝା କରି ରେମୁଣା ଥାନା ଅଧିକାରୀ ପ୍ରଦୀପ ଭୂୟାଁ ଉଦଳା ପଠାଇ ଦେଇଥିଲେ ।
ସୂଚନାଯୋଗ୍ୟ କି, ମୃତ ପ୍ରଦୀପ ଗ୍ରାମ୍ୟ ଜଳଯୋଗାଣ ବିଭାଗରେ କାର୍ଯ୍ୟ କରୁଥିଲେ । ତାଙ୍କ ନାମରେ କୌଣସି ଅଭିଯୋଗ ନାହିଁ । ପୁଲିସ କୌଣସି କାରଣ ନଥାଇ ତାଙ୍କୁ ଉଠାଇ ଆଣି ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons