୨୧ରୁ କାଳବୈଶାଖୀ, ସାମୟିକ ଖସିବ ତାତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅନୁଗୁଳ ୪୩.୫ ଡିଗ୍ରୀ ସେଲସିୟସ୍ । ବଲାଙ୍ଗିର ୪୩.୨ ଡିଗ୍ରୀ । ଢେଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ ତାପମାତ୍ରା ୪୨ ଡିଗ୍ରୀ । କେବଳ ଏଇ ୫ ସହର ନୁହେଁ, ତତଲା ପ୍ରହାରରେ ଛଟପଟ ସାରା ଓଡ଼ିଶା । ଦିନ ୧୦ଟା ପରେ ପଦାକୁ ବାହାରିଲେ ଦେହ ହାତ ଯେମିତି ପୋଡ଼ିଯାଉଛି । ଶୂନ୍ୟରୁ ତତଲା ପ୍ରହାର ବାଜିଲା ଭଳି ଅନୁଭୂତ ହେଉଛି । ସୋମବାର ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ୨୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଡେଇଁଛି ।
ପାଣିପାଗ ବିଭାଗର ଆକଳନ ଯାହା, କେତେକ ସ୍ଥାନରେ ହେବଏବେ କାଳବୈଶାଖୀ । କିନ୍ତୁ, ଆସନ୍ତା ୪-୫ ଦିନ ଧରି ତାତି କମିବାର ସମ୍ଭାବନା ନାହିଁ । ଅର୍ଥାତ୍ ଗ୍ରୀଷ୍ମ ଜ୍ୱାଳାରେ ଏମିତି ସନ୍ତୁଳି ହେବେ ରାଜ୍ୟବାସୀ । ଭୀଷଣ ଗରମ ଯୋଗୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ବାହାରିଲେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।
ହେଲେ ୨୧ରୁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବ । ୨୧ ଅପରାହ୍ନ କିମ୍ବା ରାତିରେ କାଳବୈଶାଖୀ ବର୍ଷା ହେବ । ୨୨ରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ଅଛି । ୨୧ରେ ଉପକୂଳ ଓଡ଼ିଶାରେ ତାତି କମିବ । ୨୨ରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପାରଦ ଖସିବା ସମ୍ଭାବନା ରହିଛି । ଏମିତିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀରୁ ତଳକୁ ଖସିପାରେ । ହେଲେ ଆଶ୍ୱସ୍ତି ସାମୟିକ ହେବ । ୨୪ରୁ ପୁଣି ରାଜ୍ୟରେ ତାତି ବଢ଼ିବ । ଆସନ୍ତା ଦୁଇଦିନ ଉପକୂଳ ଓଡ଼ିଶା ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ହିଁ ରହିବା ସମ୍ଭାବନା ଅଛି । ବର୍ତ୍ତମାନ କିଛି ମାସ ହେବ ବର୍ଷା ନଥିବାରୁ ମାଟି ଶୁଖିଲା ପଡ଼ିଛି । ସାମୁଦ୍ରିକ ପବନ ପ୍ରବାହ ଦୁର୍ବଳ ରହୁଥିବାବେଳେ ଆକାଶ ମେଘମୁକ୍ତ ରହୁଛି । ଏଥିଯୋଗୁ ତାତି ଅଧିକ ଅନୁଭୂତ ହେଉଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ବର୍ତ୍ତମାନ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହୁଛି । ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ଓ ଭୁବନେଶ୍ୱରରେ ପାରଦ ୪୦ ଡେଇଁଛି । ଆଜି ଦିନ ଭିତରେ ଝାରସୁଗୁଡ଼ା ଓ ସୋନପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । ଅନୁମାନ କରାଯାଉଛି, ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତିରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା ହୋଇପାରେ । ୨୧ରୁ କାଳବୈଶାଖୀ ବଢ଼ିପାରେ । ତଥାପି ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ।
ସୋମବାର କଟକ ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ୍ ଥିବାବେଳେ ଭୁବନେଶ୍ୱର ୪୦.୨, ବାରିପଦା ୪୨, ଝାରସୁଗୁଡ଼ା ୪୧.୮, କେନ୍ଦୁଝର ୪୧, ସମ୍ବଲପୁର ୪୧.୩, ହୀରାକୁଦ ୪୦.୭, ଭବାନୀପାଟଣା ୪୧, ଟିଟିଲାଗଡ଼ ୪୧.୭, ସୋନପୁର ୪୧.୬, ନୟାଗଡ଼ ୪୦.୫, ବୌଦ୍ଧ ୪୨, ଭଦ୍ରକ ୪୦, ଯାଜପୁର ୪୦, ଦେବଗଡ଼ ୪୦, ନୂଆପଡ଼ା ୪୦ ଓ କେନ୍ଦ୍ରାପଡ଼ା ତାପମାତ୍ରା ୪୦.୫ ଡିଗ୍ରୀ ସେଲସିୟସ୍ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons