୪୦ ଫୁଟ ଗଛ ଉପରକୁ ଚଢ଼ିଗଲେ ମହିଳା

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଗଛର ୪୦ ଫୁଟ ଉପରକୁ ଚଢ଼ିଯାଇଥିଲେ ମହିଳା । ତାଙ୍କର ଏହି ଦୁଃସାହସିକତାକୁ ଦେଖି ତଟସ୍ଥ ହୋଇଯାଇଥିଲେ ପ୍ରତ୍ୟକ୍ଷଦର୍ଶୀ । ଗଛ ଉପରେ ଦୀର୍ଘ ୩ ଘଣ୍ଟା କାଳ ବସିଥିଲେ । ତେବେ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧନ୍ଦି ହେଲା ପରେ ମହିଳାଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମବାହିନୀ । ମହିଳା ସୁରକ୍ଷିତ ଥିଲେ ହେଁ ତାଙ୍କ ମାନସିକ ସ୍ଥିତି ଭଲ ନାହିଁ । ତାଙ୍କ ଆଚରଣରୁ ସେ ଜଣେ ମାନସିକ ଦିବ୍ୟାଙ୍ଗ ବୋଲି ଜଣାପଡ଼ିଛି । କାରଣ ସେ ନିଜ ପରିଚୟ କହିପାରୁନାହାନ୍ତି । କାନ୍ଥରେ ଲାଗିଥିବା ପୋଷ୍ଟର କିମ୍ବା କୌଣସି ବ୍ୟାନରରେ ଫଟୋ ଦେଖିଲେ ସେ ଗାଳିମନ୍ଦ କରିବା ସହ ଆଡୁସାଡୁ ଗପୁଛନ୍ତି । ତେଣୁ ମଧୁପାଟଣା ଥାନା ପୁଲିସ୍ ତାଙ୍କୁ ଏସ୍ସିବି ମାନସିକ ରୋଗ ବିଭାଗରେ ଆଜି ରାତିରେ ଭର୍ତ୍ତି କରିଛି । ତେବେ ମହିଳା କେଉଁଝର ଅଞ୍ଚଳର ବୋଲି ଅନୁମାନ କରାଯାଉଛି ।
ରାଜେନ୍ଦ୍ର ନଗରର ଅରବିନ୍ଦ ନଗର ଅଞ୍ଚଳରେ ଏହି ମହିଳା ପ୍ରଥମେ ଗଛର ୩୦ ଫୁଟ ଉପରକୁ ଚଢ଼ି ଯାଇଥିଲେ । ଏହାକୁ ପ୍ରଥମେ ସ୍ଥାନୀୟ ଅଞ୍ଚଳର ରାଜୁ ଖୁଣ୍ଟିଆ ଦେଖିଥିଲେ । ସେ ମଧୁପାଟଣା ଥାନାକୁ ଖବର ଦେଇଥିଲେ । ପୁଲିସ୍ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ସହ ଯୋଗାଯୋଗ କରିବା ପରେ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ମହିଳାଙ୍କୁ ଉଦ୍ଧାର କରିବା ଅସମ୍ଭବ ହେବାରୁ ବକ୍ସିବଜାର ଦମକଳ କେନ୍ଦ୍ରର ସହାୟତା ନିଆଯାଇଥିଲା । ବକ୍ସିବଜାର ଦମକଳ କେନ୍ଦ୍ରର ଏକ ବଡ଼ ସିଡିକୁ ଗଛରେ ଲଗାଇବା ବେଳେ ମହିଳା ସିଡିକୁ ଗୋଇଠା ମାରି ଖସାଇବାକୁ ଉଦ୍ୟମ କରିଥିଲେ । ଉଦ୍ଧାରକାରୀ ଦଳ ସିଡିକୁ ଗଛରେ ବହୁ କଷ୍ଟରେ ପକାଇ ଗଛ ଉପରକୁ ଉଠିବା ସମୟରେ ମହିଳା ଆହୁୁରି ପ୍ରାୟ ୧୦ ଫୁଟ୍ ଉପରକୁ ଚଢ଼ିଯାଇଥିଲେ । ଏହା ଦେଖି ଉଦ୍ଧାରକାରୀ ଦଳ ଆଶଙ୍କାରେ ପଡ଼ିଥିଲେ । ପ୍ରଥମେ ୨ ଜଣ କର୍ମଚାରୀ ସିଡିରେ ଚଢ଼ିବା ପରେ ସେମାନଙ୍କୁ ପଛରୁ ସହାୟତା ଦେବା ପାଇଁ ଆଉ ୨ ଜଣ କର୍ମଚାରୀ ଚଢ଼ିଥିଲେ । ଅପରାହ୍ନ ୨ଟାରୁ ଭୋକ ଉପାସରେ ଚଢ଼ିଥିବା ମହିଳା ଦୁର୍ବଳ ହୋଇପଡ଼ିବା ପରେ ଆଉ ଅଧିକ ଉପରକୁ ଚଢ଼ିପାରିନଥିଲେ । ଏଇ ସୁଯୋଗରେ ଉଦ୍ଧାରକାରୀ ଦଳ ମହିଳାଙ୍କୁ କାବୁ କରିନେଇଥିଲା । ୨ ଜଣ କର୍ମଚାରୀ ମହିଳାଙ୍କୁ ୪୦ ଫୁଟ୍ ଉପରୁ ତଳକୁ ଆଣିଥିଲେ । ଅଗ୍ନିଶମ ସେବା ସଂସ୍ଥାର ଠିକ୍ ପଦକ୍ଷେପ ଯୋଗୁଁ ମହିଳା ନିଶ୍ଚିତ ମୃତୁ୍ୟମୁଖରୁ ବର୍ତ୍ତି ଯାଇଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ବକ୍ସିବଜାର ଓ ଚାଉଳିଆଗଞ୍ଜ ଦମକଳ କେନ୍ଦ୍ରର ୧୦ ଜଣ କର୍ମଚାରୀ ନିୟୋଜିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons