୪୪ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ:ଶବଗୃହରେ କୁଢ଼ କୁଢ଼ ମୃତଦେହ

Get real time updates directly on you device, subscribe now.

କିଏଭ: ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଇତିମଧ୍ୟରେ ୪୪ ଦିନ ହୋଇଗଲାଣି । ଏହି ଆକ୍ରମଣରେ ରୁଷର ପ୍ରାୟ ୧୯ ହଜାର ସୈନ୍ୟଙ୍କର ମୃତୁ୍ୟ ଘଟିଛି । ୟୁକ୍ରେନର ବିଭିନ୍ନ ଶବଗୃହରେ ଆଉ ସ୍ଥାନ ନାହିଁ । ସେଠାରେ ରୁଷ ସୈନ୍ୟଙ୍କ ମୃତଦେହ ଗଦା ହୋଇରହିଛି । ୟୁକ୍ରେନର ବିଭିନ୍ନ ଶବଗୃହ ଓ ରେଫି୍ରଜେରେଟର କାର୍ରେ ୭ ହଜାରରୁ ଅଧିକ ରୁଷୀ ସୈନ୍ୟଙ୍କ ମୃତଦେହ ପଡିରହିଛି । ଏହାର କେହି ଦାବିଦାର ନାହାନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପରାମର୍ଶଦାତା ଓକେକ୍ସି ଆରେଷ୍ଟୋଭିଚ୍ ଆଜି ଏହି ସୂଚନା ଦେଇଛନ୍ତି ।
ଓକେକ୍ସି କହିଛନ୍ତି ଯେତେବେଳେ ଶବଗୃହରେ ୩ ହଜାର ମୃତଦେହ ହୋଇଯାଇଥିଲା ସେହି ସମୟରେ ସେମାନେ ରୁଷକୁ ଏହି ମୃତଦେହ ନେବା ଲାଗି କହିଥିଲେ । ମାତ୍ର ରୁଷ ମନା କରିଦେଇଥିଲା । କାରଣ ମୃତଦେହ ନେଲେ ରୁଷୀ ସୈନ୍ୟଙ୍କ ମୃତାହତ ସମ୍ପର୍କରେ ତଥ୍ୟ ଜଣାପଡିବ । ଯାହାଫଳରେ ରୁଷର ପ୍ରକୃତ ବିଫଳତା ବିଶ୍ୱ ସାମ୍ନାକୁ ଚାଲିଆସିବ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଓଲେକ୍ସି କହିଛନ୍ତି ଯେ ରୁଷୀ ସୈନ୍ୟଙ୍କ ମୃତାହତ ସମ୍ପର୍କରେ ସୂଚନା ଦେବା ଲାଗି ସେମାନେ ୱେବସାଇଟ୍ ଓ ଟେଲିଗ୍ରାମ ଚ୍ୟାନେଲ ଖୋଲିଛନ୍ତି । ସେଥିରେ ମୃତାହତ ସୈନିକଙ୍କ ଫଟୋ ଓ ସୂଚନା ପ୍ରଦାନ କରାଯାଇଛି । ମାତ୍ର ରୁଷ ସେନା ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ଏହି ମୃତଦେହ ତାଙ୍କ ସୈନ୍ୟମାନଙ୍କର ନୁହେଁ ବୋଲି କହିଆସୁଛନ୍ତି । ରୁଷ ଦାବି କରୁଛି କି ଯୁଦ୍ଧରେ କେବଳ ୧୩୫୧ ଜଣ ସୈନ୍ୟଙ୍କର ମୃତୁ୍ୟ ହୋଇଛି । କିନ୍ତୁ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଯୁଦ୍ଧରେ ତାଙ୍କ ଦେଶର ବିପୁଳ କ୍ଷୟକ୍ଷତି ଘଟିଥିବା ସ୍ୱୀକାର କରିଛନ୍ତି । କିନ୍ତୁ କେତେ ସଂଖ୍ୟକ ସୈନ୍ୟଙ୍କର ମୃତୁ୍ୟ ଘଟିଛି ତାହା ସେ ସ୍ପଷ୍ଟ କରିନାହାନ୍ତି । କେବଳ ଏତିକି କହିଛନ୍ତି ଯେ ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ ଅଭିଯାନରେ ତାଙ୍କ ଦେଶର ବହୁ ସଂଖ୍ୟକ ସୈନ୍ୟଙ୍କର ମୃତୁ୍ୟ ହୋଇଛି ।
୨୦୧୫ରେ ରୁଷ ଏକ ଆଇନ ଆଣିଥିଲା । ସେଥିରେ କୁହାଯାଇଥିଲା କି ଯୁଦ୍ଧରେ ମୃତାହତ ହେଉଥିବା ସୈନିକଙ୍କ ସମ୍ପର୍କିତ ତଥ୍ୟ ଗୋପନ ରଖାଯିବ । ଏହି ତଥ୍ୟ ଯିଏ ପ୍ରଘଟ କରିବ ଆଇନ ଅନୁସାରେ ତାଙ୍କୁ ଦଣ୍ଡିତ କରାଯିବ । ଯୁଦ୍ଧରେ ରୁଷର ପ୍ରାୟ ୧୯ ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନ ଦାବି କରିଛି । କିନ୍ତୁ ନାଟୋ ଏହି ସଂଖ୍ୟା ୭ ହଜାରରୁ ୧୫ ହଜାର ଭିତରେ ହେବ ବୋଲି ଆକଳନ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons