୫୦ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି । ସପ୍ତାହ ନ ପୂରୁଣୁ ପୁଣି ଜଳକା ନଦୀରେ ବଡ଼ ବନ୍ୟାକୁ ସାମ୍ନା କରିଛନ୍ତି ବସ୍ତାବାସୀ । ଏଥିରେ ୮ ପଞ୍ଚାୟତର ୬୦ରୁ ଊଦ୍ଧ୍ୱର୍ ଗ୍ରାମ ଜଳ ଘେରରେ ଥିବା ବେଳେ ୫୦ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟା ୭ଟାରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ୫. ୫୦ମିଟର ଅତିକ୍ରମ କରି ୬. ୧୨ମିଟରରେ ପ୍ରବାହିତ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା । ମାତ୍ର ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା । ବୁଧବାର ସକାଳ ୧୦ଟାରେ ୭.୧ ମିଟରରୁ ଊଦ୍ଧ୍ୱର୍ରେ ଜଳ ପ୍ରବାହିତ ହେବା ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା । ହଠାତ୍ ଜଳସ୍ତର ବୃଦ୍ଧି ଯୋଗୁଁ ପ୍ରଶାସନକୁ ପ୍ରସ୍ତୁତି ପାଇଁ ସମୟ ମିଳିଲାନି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇଦେବାକୁ ଥିବା ବିଭିନ୍ନ ବିଭାଗର ଅଧିକାରୀମାନେ ନିଜେ ଅସୁରକ୍ଷିତ ଥିବା ଦେଖିବାକୁ ମିଳିଛି । ବାହାର୍ଦ୍ଧା ସ୍ଥିତ ଜେଏମ୍ଏଫ୍ସି କୋର୍ଟ, ବସ୍ତା ଥାନା, ଏସ୍ଡିପିଓ କାର୍ଯ୍ୟାଳୟ, ଅବକାରୀ କାର୍ଯ୍ୟାଳୟ, ଗାନ୍ଧିଛକ ସ୍ଥିତ ବିଦୁ୍ୟତ୍ ଷ୍ଟ୍ରକ୍ଚର, ବିଦୁ୍ୟତ୍ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି । ଦରକାରୀ କାଗଜପତ୍ର ବଞ୍ଚାଇବାକୁ ଅଧିକାରୀମାନେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି । ବସ୍ତା ଥାନା, ପୁଲିସ କ୍ୱାର୍ଟର୍ସ ମଧ୍ୟରେ ପାଣି ପଶି ବହୁ କ୍ଷତି ଘଟାଇଛି । ସେହିପରି ବିଦୁ୍ୟତ୍ ଷ୍ଟ୍ରକ୍ଚରରେ ପାଣି ଯୋଗୁଁ ବିଦୁ୍ୟତ୍ ସରବରାହ ବନ୍ଦ ରହିଛି ।
ବନ୍ୟା ଯୋଗୁଁ ବସ୍ତା ବ୍ଲକ ଅନ୍ତର୍ଗତ ୮ ପଞ୍ଚାୟତର ୬୦ରୁ ଊଦ୍ଧ୍ୱର୍ ଗ୍ରାମ ପ୍ରଭାବିତ ହୋଇଛି । ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଅନେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଦୁଧହଂସା ପଞ୍ଚାୟତର ଧପାକନ୍ଦ, ଗୋଠଗଡ଼ିଆ, ନଳବାହାର, ପାଇକପଡ଼ା, ଜନ୍ତିକାପାଳ, ସୁନ୍ଦରହତା, ଦୁଧହଂସା, ମାଝୀସାହି ଗାଁଗୁଡ଼ିକ ବନ୍ୟାଜଳ ଘେରରେ ଣହିଥିବା ବେଳେ ସଦାନନ୍ଦପୁର ପଞ୍ଚାୟତର ଗୁଣ୍ଡୁରୀସାହି, ଦେଉଳପଡ଼ା, ଟିକିରାପଡ଼ା, ବାଉଁଶମୁଖା, ସଦାନ୍ଦପୁର ବସ୍ତି, ବାରମାଢ଼ିଆ ମହାନ୍ତି ସାହି, ବାହାର୍ଦ୍ଧା ପଞ୍ଚାୟତର ବାହାର୍ଦ୍ଧାବସ୍ତି, ବାହାର୍ଦ୍ଧା, ଉପରତାପଣ୍ଡା, ଉପରତାପଣ୍ଡା ବସ୍ତି, ଚନ୍ଦନସିଆ, ଦତ୍ତପୁର, ପୁନସୀତା, ଗହୀର ସିମୁଳିଆ, ଧେନୁଖୋଜା, ବରିଦା, ପୁନସୀତା ଆଦିବାସୀ ସାହି, କୁଡ଼ିଆ ପଞ୍ଚାୟତର ପେଗରପଡ଼ା, ବେଗୁନିଆ, ଜମାଳପୁର, ମାଛିଆ, କଦଳୀହଣ୍ଡା, ବେଲା, ଗାନ୍ଧିଛକ, କୁଡ଼ିଆ, ରାଉତପଡ଼ା ପଞ୍ଚାୟତର ରାଉତପଡ଼ା, ନୂଆଗାଁ, ଝିଙ୍କିରିଆ, ପତ୍ରଝଡ଼ା ପଞ୍ଚାୟତର ସରଡିହା, ନାଭ, କୁଶଡିହା, ହସନପୁର, ମହାଦେବସରାଇ, ଦରଡ଼ା ପଞ୍ଚାୟତର କୁଣ୍ଡେଇ, ପଳାସିଆ, କୋଠପଦା, ଦକ୍ଷିଣସରିଶା, ମଥାନୀ ପଞ୍ଚାୟତର କଟିମଥାନୀ, ଦକ୍ଷିଣସାହି, ସାନଖୁଡ଼ି, ପେଗରପଡ଼ା, ଧାନହଣ୍ଡା, ବଡ଼ା, ଗମ୍ଭାରିଆ, ବଡ଼ଖୁଡ଼ି, ବାସୁଚକୁରାଇ ପଞ୍ଚାୟତର ବାସୁଚକୁରାଇ, ଭଗିଚକୁରାଇ, ପାଇକଡିହା, ଧୋବାଚକୁରାଇ ପ୍ରଭୃତି ଗ୍ରାମ ପାଣି ଘେରରେ ରହିଛି ।
ସେହିପରି ମଥାନୀ ବାହାର୍ଦ୍ଧା ଚଟାଣ, ଗାନ୍ଧିଛକ ଦରଡ଼ା ରାସ୍ତାର କୁଡ଼ିଆ ଛକ, କଟିପୋଲ ରାଉତପଡ଼ା ରାସ୍ତାର ପଳାସିଆ ଗ୍ରାମ୍ୟ ରାସ୍ତା, ଗାନ୍ଧିଛକ ସଦାନନ୍ଦପୁର ରାସ୍ତା, ଧପାକନ୍ଦ ମଥାନୀ, ଧପାକନ୍ଦ ନଳବାହାର, ନଳବାହାର ରାଉଳସାହି, ସୁନ୍ଦରହତା ତାରିଣୀ ମନ୍ଦିର ଠାରୁ ଜନ୍ତିକାପାଳ ରାସ୍ତା, ଝିଙ୍କିରିଆ ନୂଆଗାଁ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବନ୍ୟା ଯୋଗୁଁ ଅନେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୬ଟି ଓଡ୍ରାଫ ଟିମ୍, ୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲେ । ଜଳଘେର ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହି ସବୁ ପଞ୍ଚାୟତର ପାଖାପାଖି ୫୦ହଜାରରୁ ଊଦ୍ଧ୍ୱର୍ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି । ଐପର୍ଯ୍ୟନ୍ତ ୩ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଅସ୍ଥାୟୀ କେନ୍ଦ୍ରରେ ରଖାଯାଇଛି । ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପ୍ରମୁଖଙ୍କ ସମେତ ଜଳସେଚନ ବିଭାଗର ଆଡିସନାଲ ଚିଫ ଇଞ୍ଜିନିୟର ପୀତବାସ ହାଁସଦା, ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ, ଏସ୍ଡିଓ ତାପସ କୁମାର ନାୟକ ପ୍ରମୁଖ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । ନଦୀ ଉପକୂଳବର୍ତ୍ତୀ ଗ୍ରାମ ମେଳକ, ତଳତାପଣ୍ଡା, ସାନଖୁଡ଼ି, ଲକ୍ଷ୍ମଣପଡ଼ା, ଶିବଗତିଆ, ପେଗରପଡ଼ା, ମଥାନୀ, ଦଳେଇସାହି, ଧଳସାହି ଆଦି ସ୍ଥାନରେ ବନ୍ୟାଜଳ ନଦୀବନ୍ଧ ଅତିକ୍ରମ କରିବା ଯୋଗୁଁ ସେହି ସବୁ ସ୍ଥାନରେ ବାଲିବସ୍ତା ପକାଯାଇଥିବା ମଥାନୀ ବିଭାଗୀୟ ଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି । ସେହିପରି ସଦର ବ୍ଲକର ଶ୍ରୀରାମପୁର, ରସଲପୁର ଆଦି ପଞ୍ଚାୟତ ପାଣିଘେରରେ ରହିଥିବା ବେଳେ ସଦର ବିଡିଓ ନରେନ୍ଦ୍ର ଖମାରୀ ଓ ତହସିଲଦାର ଅନାମିକା ସିଂ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଲେଶ୍ୱର-ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ବସ୍ତା ବ୍ଲକ ପତ୍ରଝଡ଼ା ପଞ୍ଚାୟତ ନିକଟସ୍ଥ ଏକତାଳି ଠାରେ ଜଳକା ନଦୀବନ୍ଧରେ ୫୦୦ ଫୁଟ୍ର ଘାଇ ହୋଇଛି । ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ଯୋଗୁଁ ନଦୀ ଜଳସ୍ତର ହଠାତ୍ ବୃଦ୍ଧି ପାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons