
ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ପଞ୍ଚାୟତ ବେହେରା ସାହିରେ ଆଜି ଅଭାବନୀୟ ଘଟଣା ଘଟିଛି । ଘର ପୋଡ଼ିଯାଇ ମା’ଙ୍କ ଜୀବନ ଯାଇଥିବା ବେଳେ ୧୦ ବର୍ଷର ଝିଅ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ଆଜି ରାତି ୯ଟା ବେଳେ ଏହି ଅଘଟଣ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି ।
ବାଣିତିଆ ବେହେରା ସାହିର ପ୍ରଦୀପ ବେହେରା, ତାଙ୍କ ସ୍ତ୍ରୀ ଭାରତୀ ଓ ଦୁଇ ଝିଅକୁ ନେଇ ପରିବାର । ପ୍ରଦୀପ ମାର୍କେଟ ଯାଇଥିବା ବେଳେ ଦୁଇ ଝିଅ ଓ ମା ଘରେ ଥିଲେ । ହଠାତ୍ ଘର ଭିତରୁ ନିଅାଁ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମହିଳା ଓ ଦୁଇ ଝିଅ ଘରେ ରହି ଯାଇଥିଲେ । ପାଖ ପଡେ଼ାଶୀ ଡାକ ଶୁଣି ଆସି ପ୍ରଥମେ ଝିଅଙ୍କୁ ଉଦ୍ଧାର କରିଥିଲେ । ମାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ହେଁ ନିଅାଁ ପ୍ରକୋପ ବଢ଼ିଯାଇଥିଲା । ଗୁରୁତର ଝିଅଟିକୁ ବାଇକ୍ ଯୋଗେ ମେଡିକାଲ ନିଆଯାଇଥିଲା । ପରେ ମାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଖବର ପାଇ ଭଦ୍ରକ ଅଗି୍ନଶମ ବାହିନୀ ପହଞ୍ଚି ନିଅାଁକୁ ଆୟତ କରିଛି । ଖବର ଲେଖା ହେଲା ବେଳକୁ ସମ୍ପୃକ୍ତ ମହିଳାଙ୍କ ମୃତ ଦେହ ଘର ନିକଟରେ ପଡ଼ି ରହିଛି । ନିଆଁ ଲିଭାଉଥିବା ବେଳେ ପାଖ ପଡେ଼ାଶୀ ସାମାନ୍ୟ ପୋଡ଼ି ହୋଇଯାଇଛନ୍ତି । ଭାରତୀଙ୍କ ଅକାଳ ମୃତୁ୍ୟରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।


Comments are closed, but trackbacks and pingbacks are open.