ନବରଙ୍ଗପୁର,(ବି.ବି.ନୁ୍ୟଜ୍): ତିନିବର୍ଷ ହେଲା ଅଧପନ୍ତରିଆ ପଡିଛି ଅଙ୍ଗନବାଡି କୋଠା । କାନ୍ଥ ପଲସ୍ତରା ହୋଇନି କି ଛାତ ପଡିନି । ଏବେ ବର୍ଷାରେ କାନ୍ଥର ଇଟାସବୁ ଧୋଇହୋଇ ଯାଉଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଞ୍ଚାୟତ କବାଟସିଲ୍ ଗାଁରେ ରହିଛି ଏହି ଅଙ୍ଗନବାଡି । ୟା ଭିତରେ ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ୩ ଜଣ କନିÂ ଯନ୍ତ୍ରୀଙ୍କର ଅନ୍ୟତ୍ର ବଦଳି ହୋଇଛି । ହେଲେ କୋଠା କାମ ଶେଷ ହେବା ନାଁ ନେଉନି ।
ସୂଚନା ଅନୁସାରେ, ତିନି ବର୍ଷ ତଳେ ଏହି କେନ୍ଦ୍ର ଏକ ଚାଳଘରେ ଚାଲିଥିଲା ଘର ବାରଣ୍ଡାରେ ପିଲାଙ୍କ ଖାଇବାକୁ ଦିଆଯାଉଥିଲା । ୨୦୧୭ ରେ କେନ୍ଦ୍ରର ନୂତନ କୋଠା ପାଇଁ ମଞ୍ଜୁରୀ ମିଳିଥିଲା । ଏଥିପାଇଁ ୫ ଲକ୍ଷ ଟଙ୍କା ବ୍ୟୟବରାଦ ଧାର୍ଯ୍ୟ ହୋଇଥିଲା । କରୋନା କଟକଣା ଯୋଗୁ ଗତ ୫ ମାସ ହେଲା କେନ୍ଦ୍ର ବନ୍ଦ ରହିଛି । ଅଙ୍ଗନବାଡି କର୍ମୀ ଘରକୁଘର ବୁଲି ହିତାଧିକାରୀଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି । ଏଣେ କୋଠା କାମ ବି ଅଧପନ୍ତରିଆ ହୋଇ ରହିଛି । ତେନ୍ତୁଳିଖୁଣ୍ଟି ବ୍ଲକ ଜେଇ ଅରବିନ୍ଦ ବେହେରା କହିଛନ୍ତି, ୨୦୧୭ ରେ କବାଟସିଲ୍ ଗାଁକୁ ଅଙ୍ଗନବାଡି କେନ୍ଦ୍ର ମଞ୍ଜୁର ହୋଇଥିଲା । ଜଣେ ଠିକାଦାରଙ୍କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ସମ୍ପୃକ୍ତ ଠିକାଦାର କାମ ଅଧାରେ ପକାଇ ଦେଇଛନ୍ତି । ଗତ ତିନି ବର୍ଷରେ ୩ ଜଣ ଜେଇଙ୍କର ବଦଳି ହୋଇଛି । ଏବେ କେନ୍ଦ୍ର ମୋ ଦାୟିତ୍ୱରେ ରହିଛି । ବାକି କାମ ଶୀଘ୍ର ଶେଷ କରିବାକୁ ଉଦ୍ୟମ କରାଯିବ ।
ଏ ସମ୍ପର୍କରେ ଗ୍ରାମବାସୀ କହିଛନ୍ତି, ତେନ୍ତୁଳିଖୁଣ୍ଟି ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଛି । ଲଗାମ ଲାଗୁ ନଥିବାରୁ ବ୍ଲକ ପ୍ରଶାସନ ଓ ଠିକାଦାର ସବୁଥିରେ ଅବହେଳା କରି ଚାଲିଛନ୍ତି । ବ୍ଲକର ଅଧିକାଂଶ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନି । ଜିଲ୍ଲା ପ୍ରଶାସନର ତଦାରଖ ଅଭାବ ରହୁଛି । ଏପରିସ୍ଥଳେ, ଜିଲ୍ଲା ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.