ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର କୁଚେଇତା ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଛି ଏକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଦମ୍ପତିିଙ୍କ ମୃତୁ୍ୟ ଘଟିଥିବା ବେଳେ ସେମାନେ ସାଇକଲରେ ଘରକୁ ଫେରୁଥିଲେ ।
ହାତୀଓଡ଼ା ଗ୍ରାମର ପାଉଲୁସ୍ ଡାଙ୍ଗ (୪୫) ଓ ତାଙ୍କ ପତ୍ନୀ ଆଶ୍ରିତା ଡାଙ୍ଗ (୪୦) ସାଇକଲ ଯୋଗେ ବାଙ୍କିରେ ଥିବା ଏକ ବ୍ୟାଙ୍କକୁ ଯାଇଥିଲେ । ସେଠାରେ କାମ ସାରି ଅପରାହ୍ନ ୧.୩୦ ମିନିଟ୍ ସମୟରେ ସାଇକଲ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ବର୍ଷା ହେଉଥିଲା । ବର୍ଷାରେ ଭିଜିଭିଜି ଘରକୁ ଫେରୁଥିବା ସମୟରେ କୁଚେଇତା ଛକରୁ ପ୍ରାୟ ୧୦୦ ମିଟର ପୂର୍ବରୁ ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିଲା । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ଦମ୍ପତିଙ୍କ ମୃତୁ୍ୟ ଘଟିଥିଲା । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖା ଦେବା ସହ ଲୋକେ ରାସ୍ତାରୋକ କରିଥିଲେ । ଖବର ପାଇ ଚାନ୍ଦିପୋଷ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ କୁଚେଇତା ସରପଞ୍ଚ ଅର୍ଜୁନ ମୁଣ୍ଡା ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ପୁଲିସ୍ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଶବ ଦ୍ୱୟକୁ ଆମ୍ବୁଲାନ୍ସରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି । ଡାକ୍ତରଖାନାର ମର୍ଗ ହାଉସ୍ରେ ମୃତ ଦେହ ରଖାଯାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ । ଅନ୍ୟପକ୍ଷରେ ମୃତ ଦମ୍ପତିଙ୍କ ୩ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ସେମାନେ ଏବେ ଅନାଥ । ତେଣୁ ପିଲାମାନଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.