ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନ୍ସିପରେ ଭାରତୀୟଙ୍କ ଉନ୍ନତ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଷ୍ଟାର ଭାରୋତ୍ତୋଳକ ଅଜୟ ସିଂହ ସ୍ୱର୍ଣ୍ଣିମ ସଫଳତା ସହ କ୍ଲିନ୍ ଆଣ୍ଡ ଜର୍କରେ ନୂତନ ରାଜ୍ୟଗୋଷ୍ଠୀ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।
୨୨ ବର୍ଷୀୟ ଅଜୟ ପୁରୁଷ ୮୧ କିଲୋ ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ କ୍ଲିନ୍ ଆଣ୍ଡ ଜର୍କରେ ୧୯୦ କିଲୋ ଓଜନ ଉଠାଇ ରାଜ୍ୟଗୋଷ୍ଠୀ ରେକର୍ଡ କରିଥିଲେ । ସେହିପରି ସେ ସ୍ନାଚ୍ରେ ୧୪୪ କିଲୋ ଉଠାଇବା ସହ ମୋଟ୍ ୩୩୮ କିଲୋ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିଣିଥିଲେ । ଏହା ହେଉଛି ଅଜୟଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଏହାପୂର୍ବରୁ ଏପ୍ରିଲ୍ ମାସରେ ଚୀନ୍ରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ୍ସିପରେ ସେ ୩୨୦ କିଲୋ ଓଜନ ଉଠାଇଥିଲେ । ଅନ୍ୟତମ ଭାରତୀୟ ପପୁଲ୍ ଚାଙ୍ଗମାଇ ମୋଟ୍ ୩୧୩ କିଲୋ ଓଜନ ଉଠାଇ ଅଜୟଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି । ସେ ସ୍ନାଚରେ ୧୩୫ କିଲୋ ଓ ସ୍ନାଚରେ ୧୭୮ କିଲୋ ଓଜନ ଉଠାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପି ଅନୁରାଧା ପୁରୁଷ ୮୭ କିଲୋ ଓଜନ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ଆର୍ଭି ରାହୁଲ୍ ୮୯ କିଲୋ ଓଜନ ବର୍ଗରେ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଅନୁରାଧା ମୋଟ୍ ୨୨୧ କିଲୋ (ସ୍ନାଚରେ ୧୦୦ କିଲୋ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୨୧ କିଲୋ) ଓଜନ ଉଠାଇ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ । ରାହୁଲ ସ୍ନାଚରେ ୧୪୫ କିଲୋ ଓ କ୍ଲିନ୍ ଆଣ୍ଡ ଜର୍କରେ ୧୮୦ କିଲୋ, ଏହିଭଳି ଭାବରେ ମୋଟ୍ ୩୨୫ କିଲୋ ଓଜନ ଉଠାଇଥିଲେ ।
Comments are closed, but trackbacks and pingbacks are open.