ଅଝଟ ହେଲାନି କାଳିଆ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ବଡ଼ ଅଝଟିଆ କାଳିଆ ଠାକୁର । ଅଚଳ ମହାମେରୁ । ଇଛା ନଥିଲେ ଟିକିଏ ବି ଆଗକୁ ଯାଆନ୍ତି ନାହିଁ । ସବୁବର୍ଷ ପହଣ୍ଡିରେ ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ପାଖରେ ଆନନ୍ଦବଜାରକୁ ଯିବା ରାସ୍ତାରେ ଓ ସିଂହଦ୍ୱାର ଗୁମୁଟରେ ବହୁ ସମୟ ନିଅନ୍ତି । ଖାଲି ଆଗ, ପଛ ହୁଅନ୍ତି । ଏବର୍ଷ ସୁଧାର ପିଲାଟିଏ ଭଳି ଚାଲିଆସିଲେ ।ଏପରିକି ରଥକୁ ଚଢ଼ିବା ପାଇଁ ମଧ୍ୟ ଅଧିକ ସମୟ ନେଇନଥିଲେ । ଆଜି ଲାଗୁଥିଲା ସତେ ଯେପରି ମହାପ୍ରଭୁ ନିଜ ଯାତା୍ର ନିଜେ ତୁଲାଉଛନ୍ତି । ସବୁକାମ ନିର୍ଦ୍ଧାରିତ ସମୟ ପୂର୍ବରୁ ହେଉଥିଲା । ଦୁଇ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ସରିଥିଲା । ଏଥିରୁ ଜଣାଯାଉଥିଲା ସତେ ଯେପରି ଠାକୁରେ ରଥାରୂଢ଼ ହେବାକୁ ବ୍ୟଗ୍ର ଥିଲେ ।
ଶ୍ୱେତାଶ୍ୱେତୋପନିଷଦରେ ଉଲ୍ଲେଖ ଅଛି ‘ଅପାଣି ପାଦୋ ଜବନୋ ଗ୍ରହୀତା’ ଅର୍ଥାତ ହାତ ନଥାଇ ସବୁ ଗ୍ରହଣ କରନ୍ତି । ପାଦ ନଥାଇ ସବୁଠାରୁ ବେଗଗାମୀ । ଏବର୍ଷ ରଥର ଗତିକୁ ଦେଖିଲେ ଏହା ଲାଗୁଥିଲା । ଯେଉଁ ରଥକୁ ୧ହଜାର ଲୋକ ଟାଣୁଥିଲେ, ଘଣ୍ଟାଘଣ୍ଟା ରିହର୍ସାଲ ହେଉଥିଲା ଏବର୍ଷ କିଛି ନାହିଁ । ୨ଶହରୁ ୩ ଶହ ଲୋକ ଟାଣୁଥିଲେ । ପ୍ରତିବର୍ଷ ସିଂହଦ୍ୱାର ଗୁମୁଟରୁ ଠାକୁର ରଥକୁ ବିରାଜି ରୁନ୍ଧା ସରିବା ବେଳକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଯାଏ । ଆଜି ମହାପ୍ରଭୁ ସକାଳ ୮ଟା ୩୫ ମିନିଟରେ ସିଂହଦ୍ୱାର ଗୁମୁଟରେ ପହଞ୍ଚିଥିଲେ । ୮ଟା ୫୬ ବେଳକୁ ଚାରମାଳକୁ ଚଢ଼ିଥିଲେ । ୯ଟା ୫ମିନିଟ ବେଳକୁ ରୁନ୍ଧା ସରିଥିଲା । ସତେ ଯେପରି କାଳିଆ ତା ଭକ୍ତଙ୍କୁ ଦେଖିବାକୁ ବ୍ୟଗ୍ର ଥିଲା । ଭକ୍ତ ସିନା ଟିଭିରେ କାଳିଆକୁ ଦେଖୁଥିଲେ କାଳିଆ ଖୋଜୁ୍ଥିଲା ଭକ୍ତଙ୍କୁ ।
ଗତ ୧୦ବର୍ଷର ରଥ ଟଣାକୁ ଅନୁଧ୍ୟାନ କଲେ ଜଣାଯାଏ ସନ୍ଧ୍ୟା ପରେ ବିଜୁଳି ଆଲୁଅ ଲାଗି ରଥଟଣା ହେଉଥିଲା । ଏବର୍ଷ ଦିନରୁ କାମ ସରିଛି । ରଥ ବାଟରେ ଅଟକି ନାହିଁ । ଟାଉନ୍ ଥାନା ପାଖରେ ରଥ ସବୁବେଳେ ଏକ କୋଣକୁ ମାଡ଼ିଯାଉଥିଲା । ଏବର୍ଷ ଏଭଳି ହଟ କରିନି କାଳିଆ । ତେଣୁ ବିଳମ୍ବ ହୋଇନଥିଲା । ଲାଗୁଥିଲା ସତେ ଯେମିତି ଭକତ ଭାବରେ ବନ୍ଧା ଭାବଗ୍ରାହୀ ସବୁକିଛି ସ୍ୱୟଂ ନିଜେ ହିଁ ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons