
ଭୁବନେଶ୍ୱର,(ବି.ବି.ନୁ୍ୟଜ): ଶୁକ୍ରବାର ସକାଳ ପ୍ରାୟ ୬ଟା ହେବ । ଚାରିପଟେ କୁହୁଡ଼ିର ପତଳା ଆସ୍ତରଣ । ବାରଙ୍ଗ ବ୍ଲକ ଛକରୁ ପୁରୀ ମେନ୍ କେନାଲ୍ ରାସ୍ତାକୁ ଗଡ଼ିଲା ସିବିଆଇ ଗାଡ଼ି । ସାଙ୍ଗରେ ପୁଲିସ ପଲଟଣ । ଆଇନ ସହ ଦୀର୍ଘ ୨୨ ବର୍ଷ ଲୁଚକାଳି ଖେଳିବା ପରେ ଧରାପଡ଼ିଥିବା ବଳାକ୍ରାରୀ ବିବନ ବିଶ୍ୱାଳ ଓରଫ ବିବେକାନନ୍ଦ ଓରଫ ତଥାକଥିତ ବାରଙ୍ଗ କିଙ୍ଗ୍ ‘ବିକେ’କୁ ଧରି ବହୁଚର୍ଚ୍ଚିତ ସେ ଅଘଟଣର ‘କ୍ରାଇମ୍ ସିନ୍ ରିକ୍ରିଏଟ୍’ କରିବାକୁ ବାହାରିଥିଲେ ସିବିଆଇ ଟିମ୍ । କେନାଲ୍ ରାସ୍ତାରେ କିଛି ବାଟ ଯିବା ପରେ ସିବିଆଇର ଗାଡ଼ି ସାଇଫନ୍ ପାଖରୁ ତଳ ରାସ୍ତାକୁ ଓହ୍ଲାଇଲା । ପୁଣି ଅଳ୍ପ ଦୂର ଯିବା ପରେ ବେଲଗଛିଆ ପଞ୍ଚାୟତର ନୟାପାଟଣା ନିକଟ ଲୁହା ପୋଲ ପାଖରେ ହଠାତ୍ ଗାଡ଼ିକୁ ଅଟକାଇଥିଲା ବିବନ । ‘ଇଏ ସେହି ଜାଗା’- ବୋଲି ଚିହ୍ନଟ କରିଥିଲା । ଏହା ପରେ ଗାଡ଼ିରୁ ଓହ୍ଲାଇ ନିକଟସ୍ଥ ଜଙ୍ଗଲିଆ, ବଣବୁଦା ଇଲାକା ଭିତରକୁ ନେଇଯାଇଥିଲା ସିବିଆଇ ଟିମ୍କୁ । କିଛି ଦୂରରେ ଥିବା ଏକ ବାଲି କୁଦ ପାଖରେ ଅଟକିଯାଇ ଦେଖାଇ ଦେଇଥିଲା କ୍ରାଇମ୍ ସ୍ପଟ୍ । ଏହିଠାରେ ହିଁ ସେହି କାଳରାତିରେ ସେ ଓ ତାର ସହଯୋଗୀ ମିଶି ଅଞ୍ଜନା ମିଶ୍ରଙ୍କୁ ବଳାକ୍ରାର କରିଥିବା କଥା ମାନିଥିଲା ।
ପରେ ପରେ, ସେ ଉକ୍ତ ଜଙ୍ଗଲିଆ ରାସ୍ତାରେ କିଭଳି ଅଞ୍ଜନାଙ୍କ କାର୍କୁ ନେଇଥିଲା, ଗାଡ଼ିରୁ କିପରି ଟାଣି ଟାଣି ବାହାର କରିଥିଲା, ଅତ୍ୟାଚାର କରିଥିଲା, ସବୁକଥା ଗୋଟିଗୋଟି ବତାଇଥିଲା । ଖଣ୍ଡି ହିନ୍ଦୀ ମିଶା ଓଡ଼ିଆରେ କହିଥିଲା, ୨୨ ବର୍ଷ ଭିତରେ ଏ ଜାଗା ବହୁତ ବଦଳି ଯାଇଛି । ଆଗରୁ ବହୁତ ଜଙ୍ଗଲିଆ, ବୁଦା ଥିଲା । ଏବେ ସଫା ହୋଇଯାଇଛି । ତଥାପି ସେ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ସେ ଅଞ୍ଚଳ ବିଷୟରେ ଭଲ ଭାବେ ପରିଚିତ ଥିବା ଜଣାଇଥିଲା । ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ବିବନ ଆଜି ସେହି ଜଙ୍ଗଲ ଭିତରେ ରହି ତଦନ୍ତକାରୀ ଟିମ୍ ସାମ୍ନାରେ ସେଦିନର ସେସବୁ ଘଟଣା, ଦୃଶ୍ୟକୁ ପୁଣିଥରେ ପ୍ରଦର୍ଶନ କରିଥିଲା । ଏଭଳି କଲା ବେଳେ ସେ ବେଳେ ବେଳେ ଦ୍ୱନ୍ଦ୍ୱରେ ମଧ୍ୟ ପଡ଼ୁଥିଲା । ମାତ୍ର ସିବିଆଇ ଟିମ୍ ତାକୁ ଏକାଧିକ ପ୍ରଶ୍ନ ପଚାରିବା ପରେ ତାର ସବୁ ବିଷୟ ମନେ ପଡ଼ିଯିବା ସହିତ ଘଟଣା ବିଷୟରେ ସେ ବଖାଣି ଚାଲିଥିଲା ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତଦନ୍ତକାରୀ ଟିମ୍କୁ ଆଜି ବିବନ୍ ବିନ୍ଦାସ୍ ଅନ୍ଦାଜରେ ସେହି ଅଞ୍ଚଳ ବୁଲାଇ ଦେଖାଇବା ସହିତ ସବୁ ପ୍ରଶ୍ନର ଉତ୍ତର ଦେଉଥିଲା । ଓଡ଼ିଆ ଓ ଖଣ୍ଡି ହିନ୍ଦୀ ଭାଷାରେ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲା । ଏପରିକି ଘଟଣା ଦିନ ସେ ଓ ତାର ଦୁଇ ସାଥୀ ପଦିଆ ଏବଂ ଟୁନିଆ ପ୍ରଚୁର ମଦ ପିଇ ଏ କାଣ୍ଡ ଭିଆଇଥିବା ବିଷୟ ମଧ୍ୟ ସ୍ୱୀକାର କରିଥିଲା । ସେଦିନର ଅଳ୍ପ କିଛି କଥା ଅବଶ୍ୟ ତାର ମନେ ପଡ଼ୁନଥିବା ସେ ସିବିଆଇକୁ କହିଛି । ତେବେ ଆଜି ଏହି ଅଞ୍ଚଳ ବୁଲାଇ ଦେଖାଇବା ବେଳେ ତଥା ନିଜ କୁକର୍ମ ବିଷୟରେ ସୂଚନା ଦେଲା ବେଳେ ବିବନର ମୁହଁରେ କୌଣସି ପ୍ରକାର ପଶ୍ଚାତାପର ଚିହ୍ନ ଦେଖିବାକୁ ମିଳିନଥିଲା । ଟିକିଏ ବି ଅବସୋସ ତାର ନଥିଲା । ସିବିଆଇ ଟିମ୍ ସିନ୍ ରିକ୍ରିଏଟ୍ କରିବା ପରେ ପୁଣି ବିବନକୁ ଧରି ବାରଙ୍ଗ ଥାନାରେ ପହଞ୍ଚିଥିଲା । ସେଠାରେ ବିବନକୁ କିଛି ସମୟ ପାଇଁ ପୁନର୍ବାର ଜେରା କରାଯାଇଥିଲା । ଅନ୍ୟ କିଛି ତଥ୍ୟ ମଧ୍ୟ ତା ମୁହଁରୁ ଓକାଳିବା ପରେ ସକାଳ ପ୍ରାୟ ୮ଟା ବେଳକୁ ସିବିଆଇ ଟିମ୍ ବିବନକୁ ଧରି ପୁଣି ଭୁବନେଶ୍ୱର ପଳାଇଥିଲେ ।
ଚାଞ୍ଚଲ୍ୟକର ଅଞ୍ଜନା ମିଶ୍ର ଗଣବଳାକ୍ରାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଦୁଇ ଦିନିଆ ରିମାଣ୍ଡରେ ଥିବା ବେଳେ ଆଜି କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇବା ପାଇଁ ତାକୁ ସ୍ପଟ୍କୁ ଆଣିବାକୁ ପୂର୍ବରୁ ସିବିଆଇ ଯୋଜନା କରିଥିଲା । ଏହି କ୍ରମରେ ଆଜି ବିବନକୁ ସିବିଆଇ ଅଫିସରୁ ଆଣିବା ପରେ ପ୍ରଥମେ ବାରଙ୍ଗ ଥାନାକୁ ନିଆଯାଇଥିଲା । ସେଠାରେ ଥାନା ପକ୍ଷରୁ ପ୍ରାୟ ୧ ପ୍ଲାଟୁନ୍ ଫୋର୍ସ ଯୋଗାଡ଼ କରାଯାଇଥିଲା । ଯେଉଁଥିରେ ଉଭୟ ମହିଳା ଓ ପୁରୁଷ ପୁଲିସ କର୍ମୀ ଥିଲେ । ଯେଉଁ ସ୍ଥାନକୁ ବିବନକୁ ନେବାର ଥିଲା ସେଠାରେ ପୂର୍ବରୁ କିଛି ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଥିଲା । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ବିବନକୁ ଘଟଣାସ୍ଥଳକୁ ନିଆଯାଇଥିଲା । ସିବିଆଇ ଗାଡ଼ି ସହିତ ସଶସ୍ତ୍ର ପୁଲିସ ବାହିନୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଏସକର୍ଟ ପାଇଁ ସିବିଆଇ ଟିମ୍ ସହିତ ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତ, ଏସ୍ଆଇ ସୁଶାନ୍ତ ପାତ୍ର ଓ ଏଏସ୍ଆଇ ଲତିଫ ଅହମଦ ପ୍ରମୁଖ ରହିଥିଲେ । ସିବିଆଇ ପକ୍ଷରୁ ତଦନ୍ତକାରୀ ଅଧିକାରୀ ଭାବେ ସୁଜିତ ପାଲ୍ ସଂପୂର୍ଣ୍ଣ ସିନ୍ ରିକ୍ରିଏସନ୍ ବେଳେ ବିବନ ପାଖରେ ରହିଥିଲେ । ବିବନ ଆଜି ଘଟଣାସ୍ଥଳକୁ ଆସି ସେହି କାଳରାତି ବିଷୟ ବଖାଣୁଥିବା କଥା ନିକଟସ୍ଥ ଗ୍ରାମବାସୀ ଜାଣିବା ପରେ ସେଠାରେ ବହୁ ଲୋକ ରୁଣ୍ଡ ହୋଇଯାଇଥିଲେ । ଏପରିକି ଅଭିଯୁକ୍ତ ବିବନକୁ କଠୋର ଦଣ୍ଡ ଦେବାକୁ ମଧ୍ୟ ଲୋକେ ଦାବି କରିଥିଲେ ।


Comments are closed, but trackbacks and pingbacks are open.