ପୁରୀ,(ବି.ବି.ନୁ୍ୟଜ୍): ମାଲେସିଆର ଜାହାଜକୁ ଉଦ୍ଧାର କରିବାକୁ ସିଙ୍ଗାପୁରରୁ ଆସି ପହଞ୍ଚିଛି ଏକ ସ୍ୱତନ୍ତ୍ର ଜାହାଜ । ଜାହାଜରେ ଆସିଛନ୍ତି ଉଦ୍ଧାରକରୀ ଦଳ । ଆଜି ସନ୍ଧ୍ୟାରେ ଏହି ସିଙ୍ଗାପୁର ଜାହାଜ ରାଜହଂସ ବେଳାଭୂମି ପାଖ ଖିରିସାହି ନିକଟ ସମୁଦ୍ରରେ ଲଙ୍ଗର୍ ପକାଇ ରହିଛି । ରାଜହଂସ ପାଖ ଚିଲିକା ଏବଂ ସମୁଦ୍ର ମଧ୍ୟ ବେଳାଭୂମିରେ ଏହି ମାଲବାହୀ ଜାହାଜଟି ଅଟକି ରହିଛି । ବେଳାଭୂମି ବାଲିରେ ଜାହାଜର ଇଂଜିନ ପଙ୍ଖା ପୋାତି ହୋଇ ଯାଇଛି । ତେଣୁ ଜାହାଜ ଉଦ୍ଧାର କରିବା କଷ୍ଟ ସାଧ୍ୟ ହେବ । ଆସନ୍ତାକାଲି ସକାଳ ୭ଟାରୁ ଏହି ଜାହାଜ ଉଦ୍ଧାର କାମ ଆରମ୍ଭ ହେବ ବୋଲି କର୍ମଚାରୀ କହିଛନ୍ତି ।
ସିଙ୍ଗାପୁରରୁ ଆସିଥିବା ଜାହାଜରେ କ୍ରେନ୍ ଠାରୁ ଆରମ୍ଭ କରି ଏକ୍ସାଭେଟର ରହିଛି । ତା ସହ ଜାହାଜ ଉଦ୍ଧାର କରିବାରେ ଅଭିଜ୍ଞତା ସମ୍ପନ୍ନ ଦୁଇ ଜଣ ବିଶେଷଜ୍ଞ ଏବଂ କର୍ମଚାରୀ ସିଙ୍ଗାପୁରରୁ ଆସିଛନ୍ତି । ଅଟକି ରହିଥିବା ଜାହାଜଠାରୁ ପାଖାପାଖି ଶହେ ମିଟର ଦୂରରେ ଜାହାଜର ମାଲବାହୀ କଣ୍ଟେନରର ଶତକଡା ନବେଭାଗ ପୋତି ହୋଇ ରହିଛି । କଣ୍ଟେନର ଭିତରେ ଫାଟ ଦେଇ ସମୁଦ୍ର ଜଳ ପ୍ରବେଶ କରିଛି । କଣ୍ଟେନର ଫାଟକୁ ସିଲ୍ କରାଗଲେ ଏହାକୁ ଉଦ୍ଧାର କରିବା ସହଜ ହେବ ବୋଲି ଜାହାଜ କର୍ମଚାରୀ କହିଛନ୍ତି । କିନ୍ତୁ ଯାହା ଜଣାପଡୁଛି କଣ୍ଟେନରଟିକୁ ବେଳାଭୂମି ଉପରକୁ ଆଣି ଏହାର ଚାରି ପାଖରେ ରହିଥିବା ଫାଟକୁ ୱେଲଡିଂ କରିବା ପରେ ପୁଣି ଥରେ ମୂଳ ଜାହାଜ ସହ ଯୋଡିବାକୁ ପ୍ରସ୍ତୁତି ଚାଲିଛି । ତେବେ ପ୍ରଥମେ ଅଟିକି ରହିଥିବା ଜାହାଜକୁ ଉଦ୍ଧାର କରିଯିବ ବୋଲି ସୂଚନା ମିଳିଛି ।
ଅଟକି ରହିଥିବା ମାଲବାହୀ ଜାହାଜର ତେଲ ଟ୍ୟାଙ୍କରରେ ତିରିଶ ହଜାର ଲିଟର ତେଲ ରହିଥିଲା । ଟ୍ୟାଙ୍କରରେ କିଛି ଲିଟର ତେଲକୁ ଛାଡି ଦୋଲେ ବାକି ତେଲକୁ ଗତ ମଙ୍ଗଳବାର ସୁଦ୍ଧା ଖଲାସ କରାଯାଇଛି । ଜାହାଜର ଇଞ୍ଜିନରୁ ତେଲ କିନ୍ତୁ ବାହାର କରାଯାଇନାହିଁ । ଜାହାଜରେ ଅନ୍ୟୂନ ଆଢେ଼ଇ ହଜାର ଲିଟର ଇଞ୍ଜିନ ତେଲ ରହିଛି । ଏହା ବ୍ୟତୀତ ଫେବି୍ରକେସନ ଅଏଲ ମଧ୍ୟ ଜାହାଜରେ ରହିଛି । ଏହି ତେଲକୁ ପ୍ରଥମ ଖଲାସ କରାଯିବା ପରେ ଜାହାଜ ଉଦ୍ଧାର କାମ ଆରମ୍ଭ ହେବ ।
କୃଷ୍ଣପ୍ରସାଦ ବ୍ଳକର ରାଜହଂସ ନିକଟରେ ଖିରିସାହି ଗ୍ରାମ ପାଖ ଚିଲିକା ଏବଂ ସମୁଦ୍ର ମଝିରେ ଥିବା କାର୍ଗୋ ଜାହାଜଟି ଅଗଷ୍ଟ ମାସ ସାତ ତାରିଖ ରାତିରୁ ଅଟକି ରହିଛି । ଜାହାଜଟି ବଙ୍ଗଳାଦେଶରୁ ବିଶାଖପାଟଣା ଜଳଯାତ୍ରା କରୁଥିବା ବେଳେ ଗୋପାଳପୁର ପୋର୍ଟ ନିକଟ ସମୁଦ୍ରରେ ଖରାପ ହୋଇ ଯାଇଥିଲା । ପାଗ ଖରାପ ଯୋଗୁ ଏହି ଜାହାଜ କଣ୍ଟେନର ସହ ଭାସି ଆସି ରାଜହଂସ ସମୁଦ୍ର ଉପକୂଳରେ ଲାଗିଥିଲା ।
Comments are closed, but trackbacks and pingbacks are open.