ଅଟକିଛି ରଥ ନିର୍ମାଣ :କେନ୍ଦ୍ରୀୟ ଅନୁମୋଦନକୁ ଅପେକ୍ଷା

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ରଥ ନିର୍ମାଣ ଏବଂ ରଥଯାତ୍ରାର ଆଶା ମଉଳିବାରେ ଲାଗିଛି । ପରିଚାଳନା କମିଟିରେ ରଥ ନିର୍ମାଣ ନିଷ୍ପତ୍ତି ଆଜିକୁ ତିନି ଦିନ ବିତିଲାଣି । ରଥ ନିର୍ମାଣ ହେବ କି ନାହିଁ ତାହାର କୌଣସି ସୁରାକ ବି ମିଳୁନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟିର ରଥ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଥିଲା । ଏହି ପ୍ରସ୍ତାବକୁ ଏବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି । କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦନ ଦେବେ କି ନାହିଁ ତାହା ଅସ୍ପଷ୍ଟ । ରଥ ନିର୍ମାଣ ସହ ଯୋଡ଼ି ରହିଥିବା ସମସ୍ତ ବିଧି ତିଥି ମୁତାବକ ଆଉ ହେବାର ଆଶା ନାହିଁ । ଏହାର ଉଦାହରଣ ବୁଧବାର ଦିନ ମିଳିସାରିଛି ।
ନୃସିଂହ ଚତୁର୍ଦ୍ଧଶୀରେ ତିନି ରଥର ଗୁଜ ଅନୁକୂଳ ବିଧି ସମ୍ପନ୍ନ ହୁଏ । ପରମ୍ପରା କହୁଛି ଗୁଜ ହେଉଛି ରଥର ସୁରକ୍ଷା କବଚ । ଏହି ସୁରକ୍ଷା କବଚର ଶୁଭ ଅନୁକୂଳ ପର୍ବ ନୃସିଂହ ଜନ୍ମ ମହାପ୍ରଭୁଙ୍କ ଜନ୍ମ ତିଥିରେ ଯୁଗ ଯୁଗ ଧରି ହୋଇ ଆସୁଥିଲା । ରଥ ଖଳାରେ ଗୁଜ ଅନୁକୂଳ ପର୍ବ କରୋନା ଲକ୍ ଡାଉନ ଯୋଗୁ ହୋଇ ପାରିଲା ନାହିଁ ।
କରୋନା ଲକ୍ ଡାଉନ୍ କଟକଣା କାରଣରୁ ରଥ ନିର୍ମାଣ ଅନୂକୂଳ ହୋଇନଥିବାରୁ ଗୁଜ ନିର୍ମାଣ ହୋଇ ପାରିନାହିଁ ବୋଲି ବିଶ୍ୱକର୍ମା ସେବକମାନେ କହିଛନ୍ତି । ସେହିଭଳି ଗୁଜ ଚଉପଟି ପାଇଁ କାଠ ହଣା ଏବଂ ସାଇଜ ହୋଇ ନଥିବାରୁ ରୂପକାର ସେବକ ବି ଗୁଜ ଅନୁକୂଳ କରିବାରୁ ବଞ୍ଚିତ ହୋଇଛନ୍ତି ।
ରଥ ନିର୍ମାଣ ବିଧି ତଥା ରଥ ନିର୍ମାଣ ସଂହିତା ମୁତାବକ ମହାପ୍ରଭୁଙ୍କ ଭଉଁରୀ ପର୍ବରେ ତିନି ରଥର ୬ଟି ଚକକୁ ୩ଟି ଅଖ ସହ ଡେରାଯିବ । ଆଉ ଆଠ ଦିନ ପରେ ଏହି ତିଥି ପଡୁଛି । କିନ୍ତୁ ଅନୁମତି ଆସିଲେ ଏହି କାମ ନିର୍ଦ୍ଧାରିତ ସମୟ ସୀମାରେ ହେବ କି ନାହିଁ ସେନେଇ ଅନିଶ୍ଚିତତା ଲାଗି ରହିଛି । ଏହି ପ୍ରସଙ୍ଗରେ ମୁଖ୍ୟ ବିଶ୍ୱକର୍ମାମାନେ କହିଛନ୍ତି ଭଉଁରୀ ତିଥିରେ ଆଉ ରଥର ଚକ ଡେରା ପର୍ବ ହୋଇ ପାରିବ ନାହିଁ । କାରଣ ଚକ ନିର୍ମାଣ କୌଶଳରେ ପ୍ରଥମେ ତୁମ୍ବ ପାଇଁ କାଠ କଟାଯିବ । ଏହା ପରେ ତୁମ୍ବ ଗୋଲେଇ କରାଯିବ । ଗୋଲେଇ ତୁମ୍ବରେ ବିନ୍ଧ ଖୋଳା ହେବ । ଅର ସଂଖ୍ୟା ଆଧାରରେ ଯୋଡ଼ା ଯୋଡ଼ା ସଂଖ୍ୟାରେ ବିନ୍ଧ ଖୋଳାଯିବ । ଏହା ପରେ ଯନ୍ତାଗାଡ଼ ଖୋଳା ଯାଇ ବିଲେଇବାଡ଼ିଆ ପଦ୍ଧତିରେ ଅର ପିଟା ଯିବ । ତୁମ୍ବରେ ଅର ଖଞ୍ଜାଯିବା ପରେ ପଇ ଯୋଡ଼ାଯିବ । ପଇରେ ପଇତା ପଡ଼ିବ । ଏହି ସବୁ କାମ ଶେଷ ହେବା ପରେ ଗୋଟିଏ ଚକର ନିର୍ମାଣ ଶେଷ ହେବ ବୋଲି ବିଶ୍ୱକର୍ମା ସୂଚନା ଦେଇଛନ୍ତି । ଏହି କାମ କରିବାକୁ ଆଉ ଆମ ହାତରେ ସମୟ ନାହିଁ । ବିଶ୍ୱକର୍ମାଙ୍କ ମତରେ ରଥ ଚକ ନିର୍ମାଣର ସମୟ ସୀମା ଅତିକ୍ରମ କରି ଯାଇଛି । କାରଣ ଗୋଟିଏ ତୁମ୍ବକୁ ନିର୍ମାଣ କରିବାକୁ ଦୁଇ ଦିନ ଲାଗିବ । ତୁମ୍ବରେ ବିନ୍ଧ ଖୋଳିବାକୁ ଆଉ ଦୁଇ ଦିନ ଯିବ । ଏହା ପରେ ତୁମ୍ବରେ ଲୁହା ବଳା ପଡ଼ିବାକୁ ଦିନେ ଲାଗିଯିବ । ଏହା ପରେ ବିନ୍ଧରେ ଅର ଯୋଡ଼ା ବା ବିଲେଇବାଡ଼ିଆ ଦିନକରେ ସରିବ । ତା ପରେ ପଇ ଯୋଡା କାମ ଆଉ ଦିନେ ଲାଗିବ । ଅର ଆଉ ପଇ କଟକ ଖପୁରିଆ କରତ କଳରୁ ଆସିବ । ଲୁହା ବଳା କମାର ସେବକ କରିବେ । ଏହି ସବୁ କାମ ଶେଷ କରିବାକୁ ଦଶ ଦିନ ଲାଗିବ ।
ଆଉ ଆଠ ଦିନ ପରେ ଭଉଁରୀ ପର୍ବ ଥିବାରୁ ୬ଟି ଚକ ନିର୍ମାଣ ଏହି ତିଥି ସୁଦ୍ଧା ଶେଷ ହେବ ନାହିଁ ବୋଲି ମୁଖ୍ୟ ବିଶ୍ୱକର୍ମା ଗଣନା କରିଛନ୍ତି । ଏହି ପୃÂଭୂମିରେ ତିନି ରଥର ନିର୍ମାଣ ଅନୁମତି ମିଳିଲେ ମଧ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରଥ ନିର୍ମାଣ ଶେଷ ହୋଇ ପାରିବ ନାହିଁ ବୋଲି ବିଶ୍ୱକର୍ମା ମତ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons