ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ଅଟୋ ବ୍ରହ୍ମପୁର ଆଡ଼କୁ ଯାଉଥିବା ବେଳେ ଏକ ଘରୋଇ ବସ୍ ଓଭରଟେକ୍ କରି ଅଟୋର ଡାହାଣ ପାର୍ଶ୍ୱକୁ ଧକ୍କା ଦେଇଥିଲା।
ମୃତା ମହିଳା ହେଲେ ଗୁଣସଗାର ଗାଁର ରଞ୍ଜିତା ଦଳାଇ। ସମସ୍ତ ମୃତ ଓ ଆହତ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।
ଗୁଣସଗାରରୁ ଗୋଟିଏ ପରିବାରର ୮ ଜଣ ଅଟୋରେ ବ୍ରହ୍ମପୁର ନିକଟସ୍ଥ ମାଣ୍ଡିଆପଲିରେ ଥିବା ସାଇ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ଆମ୍ବଗଡ଼ ଠାରେ ଏକ ବସ୍ ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଏମ୍କେସିଜିରେ ଭର୍ତ୍ତି କରାଯାଇଛି। ଅଟୋ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ଖବର ଅନୁସାରେ, ଆହତଙ୍କ ମଧ୍ୟରୁ ଗଣେଶ ଦଳାଇଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍କୁ ଜବତ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବସ୍ଟି ବ୍ରହ୍ମପୁରରୁ ଦିଗପହଣ୍ଡି ଯାଉଥିଲା।
Comments are closed, but trackbacks and pingbacks are open.