ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଚଳନ୍ତା ଅଟୋରେ ମହିଳାଙ୍କୁ ଦେଖିବା ପରେ ସମ୍ଭାଳି ପାରି ନଥିଲେ । ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁଥିଲେ । ଏମିତିକି ତାଙ୍କୁ ଅଶ୍ଲୀଳ ଇଙ୍ଗିତ ମଧ୍ୟ କରିଥିଲେ । ଯୁବକଙ୍କ ଏଭଳି ହରକତ ଅସହ୍ୟ ହେବାରୁ ମହିଳାଜଣକ ଅଟୋରେ ତାଙ୍କୁ ଚାପୁଡ଼ା ମାରିଲେ । ପରେ ଅଟୋ ଡ୍ରାଇଭର ଓ ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ । ଏମିତି ଘଟଣା ଦେଖିବାକୁ ମିଳିଛି ଏୟାରପୋର୍ଟ ଥାନା ଅଞ୍ଚଳରେ । ସ୍ଥାନୀୟ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । ତାଙ୍କ ନାମ ମୁକ୍ତାର ଖାନ୍ ଓରଫ୍ ରାଜୁ (୪୭) । ଘର ବାଲିପାଟଣା ସାହବନଗରରେ । ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ପୋଖରୀପୁଟ ଅଞ୍ଚଳର ଜଣେ ୩୨ ବର୍ଷୀୟ ମହିଳା ସକାଳ ୧୧ଟା ବେଳେ ପୋଖରୀପୁଟ ଛକରୁ ଅଟୋରେ ଚଢ଼ିଲେ । ତାଙ୍କ ପାଖ ସିଟ୍ରେ ରାଜୁ ବସିଥିଲେ । ଅଟୋଟି ରାଜମହଲ ଛକ ଯାଏଁ ଯାଇଥିଲା । ୟା’ ଭିତରେ ରାଜୁ ସମ୍ପୃକ୍ତ ମହିଳାଙ୍କ ଆଡ଼କୁ ଜାକି ହୋଇ ବସିଥିଲେ । କରୋନା ସଂକ୍ରମଣ ଡର ଥିବା ଦର୍ଶାଇ ମହିଳାଜଣକ ତାଙ୍କ ପାଖକୁ ନ ଆସିବାକୁ ବାରଣ କରିଥିଲେ । ରାଜୁ ମଧ୍ୟ ତାଙ୍କ କଥା ମାନି ଦୂରେଇ ଯାଇଥିଲେ । ମହିଳାଜଣକ କାମ ସାରି ଘରକୁ ଫେରିବା ପାଇଁ ରାଜମହଲ ଛକରୁ ଅନ୍ୟ ଏକ ଅଟୋରେ ଚଢ଼ିଥିଲେ । ମହିଳାଙ୍କୁ ପିଛା କରୁଥିବା ରାଜୁ ମଧ୍ୟ ଉକ୍ତ ଅଟୋରେ ବସି ପଡିଥିଲା । ଏଥର ରାଜୁର ବଦମାସୀ ବଢ଼ି ଯାଇଥିଲା । ମହିଳାଙ୍କ ବିଭିନ୍ନ ଅଙ୍ଗକୁ ଛୁଇଁବାକୁ ଲାଗିଲା । ଏମିତିକି ମହିଳାଙ୍କ ବେକରେ ଥିବା ସୁନା ଚେନ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲା ।
ନଖରାମୀ ଅସହ୍ୟ ହେବାରୁ ପଲାସପଲ୍ଲୀ ଛକରେ ମହିଳାଜଣକ ଅଟୋରୁ ଓହ୍ଲାଇ ପଡ଼ି ରାଜୁ ଗାଲକୁ ଚାପୁଡ଼ା ମାରିବାକୁ ଲାଗିଲେ । ଅଟୋ ଡ୍ରାଇଭର ଓ ସ୍ଥାନୀୟ ଲୋକ ରାଜୁର ଅସଲ ଚେହେରା ଜାଣିବା ପରେ ତାଙ୍କୁ ନେଇ ଏକ ବିଦୁ୍ୟତ ଖୁଣ୍ଟରେ ବାନ୍ଧି ଦେଇ ନିସ୍ତୁକ ପିଟିଥିଲେ । ଏୟାରପୋର୍ଟ ଥାନା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ରାଜୁଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା ।
Comments are closed, but trackbacks and pingbacks are open.