ଅଟୋ ଧକ୍କାରେ ଜଣେ ମୃତ, ଜଣେ ଆହତ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ବିଜୟା ଦଶମୀରେ ବାଇକ-ଅଟୋ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତୁ୍ୟ ହୋଇଛି ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗଜପତି ଜିଲ୍ଲା ଖୁରିଗାଁର ନୁକା ରାଜୁ(୨୫) । ଆହତଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ଘର ଗୁଣପୁର ଥାନା ଶିରଝୋଲି ଗାଁର ବୋଲି ଜଣାପଡିଛି । ତାଙ୍କୁ ବ୍ରହ୍ମପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଶିରୋଝଲି ଗାଁର ଦୁଇଜଣ ଯୁବକଙ୍କ ସହ ତାଙ୍କ ବନ୍ଧୁ ଖୁରିଗାଁର ନୁକା ଏକ ବାଇକ୍ରେ କାଶୀନଗରର ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ଗୁଣପୁର-ପାରଳାଖେମୁଣ୍ଡି ରାସ୍ତାର କତାଗୁଡା ଘାଟି ମୁହାଁଣରେ ରେ ବିପରୀତ ଦିଗ ଆନ୍ଧ୍ରର ହୀରମଣ୍ଡଳରୁ ଆସୁଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ନୁକାଙ୍କ ହାତ ଖଣ୍ଡିଆ ହୋଇ ୨୦ ଫୁଟ୍ ଦୂରରେ ଛିଟିକି ପଡିଥିଲା । ଅନ୍ୟ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇ ରାସ୍ତାରେ ପଡି ରହିଥିଲେ । ଖବରପାଇ ଗୁଣପୁର ଦମକଳ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଗୁଣପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନୁକାଙ୍କ ମୃତୁ୍ୟ ହୋଇଥିଲା । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଆଜି ପୂର୍ବାହ୍ଣରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲୁ ରହିଥିବା ପୁଲିସ୍ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons