ଅଟୋ ଶିଳ୍ପରେ ତେଜୁଛି ମାନ୍ଦାବସ୍ଥା:୧୮ ମାସରେ ୨୮୬ ଡିଲରରେ ତାଲା

Get real time updates directly on you device, subscribe now.

ଚେନ୍ନାଇ:ଦେଶର ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ତେଜିଚାଲିଛି । ମାସକୁ ମାସ କମ୍ପାନିଗୁଡିକର ବିକ୍ରି କମିବା ସହ ଆର୍ଥିକ ଫଳାଫଳ ବ୍ୟାହତ । ଶିଳ୍ପରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ୧୮ ମାସ ମଧ୍ୟରେ ସମଗ୍ର ଦେଶରେ ୨୮୬ ଡିଲର କାରବାର ବନ୍ଦ କରିଦେଇଥିବା ଏକ ରିପୋର୍ଟରୁ ଜଣାଯାଇଛି । ଫଳରେ ୩୨,୦୦୦ ନିଯୁକ୍ତି ପ୍ରଭାବିତ ହୋଇଥିବା ଜଣାଯାଇଛି ।
ବିଶେଷ କରି ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ବୃହତ୍ ସଂଖ୍ୟକ ଅଟୋ ଡିଲରସିପ୍ ବନ୍ଦ ହୋଇଛି । କାର ସେଗ୍ମେଣ୍ଟ ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାଯାଇଛି ।
ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ବଜାରରେ ସୁଧାର ଆସିବ ବୋଲି ଶିଳ୍ପ ବିଶେଷଜ୍ଞମାନେ ଆଶା ରଖିଛନ୍ତି । ଅଟୋମୋବାଇଲ ଡିଲର ମହାସଂଘ(ଫାଡା) ପ୍ରକାଶ କରିଛି ଯେ, ୨୦୧୯ ଏପ୍ରିଲରେ ଶେଷ ହୋଇଥିବା ୧୮ ମାସ ମଧ୍ୟରେ ଦେଶରେ ୨୮୬ଟି ଡିଲରସିପ୍ରେ ତାଲା ପଡ଼ିଛି । ସବୁଠାରୁ ଅଧିକ କାର ସେଗ୍ମେଣ୍ଟ ପ୍ରଭାବିତ ହୋଇଛି । ବନ୍ଦ ହୋଇ ଯାଇଥିବା ୨୮୬ ଡିଲର ମଧ୍ୟରୁ ମହାରାଷ୍ଟ୍ରର ସର୍ବାଧିକ ରହିଛି । ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ୮୪ଟି ଡିଲର ପଏଣ୍ଟରେ ତାଲା ପଡ଼ିଛି । ଏହା ପଛକୁ ତାମିଲନାଡ଼ୁ ଏବଂ ଦିଲ୍ଲୀ ରହିଥିବା ଜଣାଯାଇଛି ।
ମାସ ମାସ ଧରି ବିକ୍ରିରେ ହ୍ରାସ ଘଟିଚାଲିଛି । ଉତ୍ପାଦନ ହ୍ରାସ କରିଚାଲିଛନ୍ତି ନିର୍ମାତା । ଜୁନ୍ରେ ଘରୋଇ ବଜାରରେ ପାସେଞ୍ଜର ଭେଇକିଲ(ପିଭି), ବାଣିଜ୍ୟିକ ଯାନ(ସିଭି), ଦୁଇ ଏବଂ ତିନିଚକିଆ ଯାନ ବିକ୍ରିରେ ୧୨% ହ୍ରାସ ଘଟିଥିବା ଭାରତୀୟ ଅଟୋ ନିର୍ମାତା ସଂଘ(ସିଆମ୍) ପ୍ରକାଶ କରିଛି । ଜୁନ୍ରେ ସବୁ ପ୍ରକାର ଅଟୋମୋବାଇଲ ବିକ୍ରି ୧୯ ଲକ୍ଷ ୟୁନିଟ୍କୁ ହ୍ରାସ ପାଇଛି, ଯାହାକି ୨୦୧୮ ଜୁନ୍ରେ ୨୨ ଲକ୍ଷ ୟୁନିଟ୍ ଥିଲା ।
ଲୋକଙ୍କ ଆୟ ଅଭିବୃଦ୍ଧି ମନ୍ଥର ହେବା ତଥା ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନି(ଏନ୍ବିଏଫ୍ସି)ଗୁଡିକରେ ଦେଖାଦେଇଥିବା ସଙ୍କଟ ଯୋଗୁ ବର୍ତ୍ତମାନ ଅଟୋ ଶିଳ୍ପ ଦୁର୍ଦ୍ଦିନ ଦେଇ ଗତି କରୁଛି ।
୨୦୧୯ରୁ ୨୦୨୧ ମଧ୍ୟରେ ଗାଡି ଦରରେ ୧୩ରୁ ୩୦% ବୃଦ୍ଧି ଘଟିବା ନେଇ ଆକଳନ କରାଯାଉଛି । ବିଶେଷକରି ନିରାପତ୍ତା, ବୀମା ଏବଂ ପ୍ରଦୂଷଣ ସଂକ୍ରାନ୍ତ ବିଭିନ୍ନ ନିୟମର ଅନୁପାଳନ ବାବଦ ଖର୍ଚ୍ଚ ଯୋଗୁ କମ୍ପାନିଗୁଡିକ ଦର ବଢ଼ାଇବେ । ୨୦୨୦ ଏପ୍ରିଲରୁ ଭାରତ ବିଏସ୍-୪ରୁ ବିଏସ୍-୬ ପ୍ରଦୂଷଣ ମାନଦଣ୍ଡକୁ ସ୍ଥାନାନ୍ତରିତ ହେବ । ଫଳରେ କମ୍ପାନିଗୁଡିକର ଖର୍ଚ୍ଚ ବଢ଼ିବ, ଯାହାର ବୋଝ ଏମାନେ ଗ୍ରାହକଙ୍କ ଉପରେ ପକାଇବାକୁ ବାଧ୍ୟ ହେବେ । ଚାହିଦା କମିବା ଫଳରେ ଆଗକୁ ଶିଳ୍ପ ବଡ଼ ମାତ୍ରାରେ ପ୍ରଭାବିତ ହେବ ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଚାହିଦା ବଢ଼ାଇବା ପାଇଁ ସମ୍ପୂର୍ଣ୍ଣ ଅଟୋମୋବାଇଲ ଶିଳ୍ପରେ ଏକକ ୧୮% ଜିଏସ୍ଟି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛି ଭାରତୀୟ ଅଟୋ ଯନ୍ତ୍ରାଂଶ ନିର୍ମାତା ସଂଘ(ଏସିଏମ୍ଏ) । ଏହା ନ ହେଲେ ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବା ଏହି ଶିଳ୍ପରେ ୧୦ ଲକ୍ଷ ଚାକିରି ଉଭାନ ହୋଇପାରେ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି । ପ୍ରକାଶଯୋଗ୍ୟ, ଦେଶର ଅଟୋ ଯନ୍ତ୍ରାଂଶ ଶିଳ୍ପରେ ପାଖାପାଖି ୫୦ ଲକ୍ଷ ଲୋକ କାର୍ଯ୍ୟ କରୁଛନ୍ତି । ଏକ ସ୍ପଷ୍ଟ ଇ-ଯାନ ନୀତି ଆଣିବା ପାଇଁ ସଂଘ କହିଛି । ଅଟୋମୋବାଇଲ ଶିଳ୍ପ ଏବେ ବଡ଼ ସମସ୍ୟା ଦେଇ ଗତି କରୁଛି । କିଛି ମାସ ଧରି ସବୁ ସେଗ୍ମେଣ୍ଟରେ ଗାଡ଼ି ବିକ୍ରି କମୁଥିବା ଏସିଏମ୍ଏ ସଭାପତି ରାମ ଭେଙ୍କଟରମଣି ପ୍ରକାଶ କରିଛନ୍ତିି ।
ଅଟୋ ନିର୍ମାତାମାନେ ସେମାନଙ୍କ ଉତ୍ପାଦନରେ ୧୫ରୁ ୨୦% ହ୍ରାସ କରିଛନ୍ତି । ଫଳରେ ଏକ ଦୁର୍ବିପାକ ସ୍ଥିତି ଉପୁଯିବାକୁ ଯାଉଥିବା ସେ କହିଛନ୍ତି । ଏହି ଟ୍ରେଣ୍ଡ ଜାରି ରହିଲେ ଆଗକୁ ପାଖାପାଖି ୧୦ ଲକ୍ଷ ଲୋକ ଚାକିରି ହରାଇବେ ବୋଲି ଭେଙ୍କଟରମଣି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons