ଅଡ଼ୁଆରେ ପୁଲିସ, ପ୍ରଶାସନ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): କରୋନା ସଂକ୍ରମଣ କାରଣରୁ ବିବାହ, ବ୍ରତ ଆଦି ବିଭିନ୍ନ ସାମାଜିକ ଉତ୍ସବ ପାଳନ ଉପରେ କଟକଣା ଜାରି ହୋଇଛି । ଏପରିକି କଟକଣା ଭାଙ୍ଗିବା ହେତୁ ଅନେକ ସାଧାରଣ ଲୋକ ଜରିମାନାରେ ଦଣ୍ଡିତ ହେଉଥିବାର ନଜିର ମଧ୍ୟ ରହିଛି । ହେଲେ ଆଇନ କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ୱ ତୁଲାଉଥିବା ଜଣେ ତହସିଲଦାର୍ ଏକ ବିବାହ ଶୋଭାଯାତ୍ରାରେ ବାଜାର ତାଳେ ତାଳେ ନାଗିନ୍ ନୃତ୍ୟ କରି ନିୟମ ଓ କଟକଣାର ଧଜ୍ଜିଆ ଉଡ଼ାଇବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ଖେଳାଇଛି । ନିଜ ଭାଇ ବାହାଘର ବାରାତ୍ରେ ନୃତ୍ୟ କରି ସେ କେବଳ ବିବାଦ ଘେରକୁ ଆସିନାହାନ୍ତି, ଏହି ନୃତ୍ୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତିର୍ତ୍ତୋଲ ପୁଲିସ ଓ ପ୍ରଶାସନ ମଧ୍ୟ ଅଡ଼ୁଆରେ ପଡ଼ିଛି । ବିବାହରେ ବରଯାତ୍ରୀ ଶୋଭାଯାତ୍ରାକୁ କିପରି ଅନୁମତି ମିଳିଲା, ବାଜା ରୋଶଣି ଆୟୋଜନ ପଛରେ ତହସିଲଦାରଙ୍କ ପ୍ରଚ୍ଛନ୍ନ ଇଙ୍ଗିତ ରହିଛି କି ନାହିଁ ..ଏହିଭଳି ନାନା ପ୍ରଶ୍ନ ଏବେ ଉଠିଛି । ଯାହା ପୁଲିସର ସ୍ୱଚ୍ଛତା ଓ ଖୋଦ୍ ତହସିଲଦାରଙ୍କ ଅନୁଶାସନ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ଏଥିସହିତ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ ନିୟନ୍ତ୍ରଣ ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ ନେଇ ବଡ଼ ବିତର୍କ ସୃଷ୍ଟି କରିଛି ।
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅଞ୍ଚଳରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ୍ର ତହସିଲଦାର ବୁଲ୍ବୁଲ୍ ବେହେରାଙ୍କ ଦୁଇ ଦିନ ତଳର ବାରାତ୍ ନାଚ ଏଭଳି ରୋଚକ ବିବାଦୀୟ ମୋଡ ନେଇଛି । ଏକ ବିବାହ ଶୋଭାଯାତ୍ରାରେ ବାଜାର ତାଳେ ତାଳେ ନାଚିବା ସମୟର ଭିଡିଓ ଭାଇରାଲ ହେବା ପରେ ତହସିଲଦାର ବୁଲ୍ବୁଲ୍ ବେହେରା ଆଇନ ଜାଲରେ ଛନ୍ଦି ହେବାର ସମ୍ଭାବନା ଦେଖାଦେଇଛି । ମିଳିଥିବା ଖବର ମୁତାବକ, ଦୁଇ ଦିନ ତଳେ ନିଜ ଭାଇଙ୍କର ବିବାହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରା । ଜଗନ୍ନାଥପୁର ପଞ୍ଚାୟତର କୈବର୍ତ୍ତ ସାହି ପାଖ ନାଳ ପୋଲ ଛକରୁ ବିବାହ ରୋଶଣି ବାହାରିିଥିଲା । ରାତି ସମୟରେ ବରଯାତ୍ରୀ ଦଳରେ ଅନେକ ମହିଳା, ପୁରୁଷ ସାମିଲ ଥିଲେ । ବିବାହ କାର୍ଯ୍ୟକ୍ରମରେ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ଅତି ବେଶୀରେ ୨୫ ଜଣ ଲୋକ ଯୋଗଦେବାର ନିୟମ ରହିଥିଲେ ସୁଦ୍ଧା, ତହସିଲଦାର ଏଠାରେ ଉକ୍ତ ନିୟମକୁ ପାଳନ କରିନଥିଲେ । ଏପରିକି ନାଚରେ ଏଭଳି ମସଗୁଲ ଥିଲେ ଯେ, କେତେବେଳେ ମାସ୍କ ପିନ୍ଧି ତ, ଆଉ କେତେବେଳେ ବିନା ମାସ୍କରେ ରାସ୍ତାରେ ନାଚି ଚାଲିଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ କନ୍ୟା ଘର ପାଖରୁ ଅଧ କିମି ଦୂର ପର୍ଯ୍ୟନ୍ତ ବିବାହ ଶୋଭାଯାତ୍ରା ହୋଇଥିଲା । କରୋନା ସଂକ୍ରମଣକୁ ଆଖିରେ ରଖି ଯେଉଁଠି ସରକାର ବିବାହ ଶୋଭାଯାତ୍ରାକୁ ସଂପୂର୍ଣ୍ଣ ବାରଣ କରିଛନ୍ତି, ସେଠି ବାଜା ରୋଶଣି ଭିତରେ ତହସିଲଦାର ନୃତ୍ୟଗୀତର ମଜା ଉଠାଇଥିଲେ, ଯାହା ଖୋଦ୍ ସରକାରୀ କଳକୁ ଉପହାସ ବୋଲି ଏବେ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିବାହ ଶୋଭାଯାତ୍ରା ଖବର ତିର୍ତ୍ତୋଲ ପୁଲିସ କାନକୁ ଆସିଥିଲା । ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ । ସେତେବେଳକୁ କିନ୍ତୁ ଘଟଣାସ୍ଥଳରେ କାହାକୁ ଠାବ କରାଯାଇ ପାରିନଥିବା ତିର୍ତ୍ତୋଲ ଥାନାଧିକାରୀ ଭାବଗ୍ରାହୀ ରାଉତ ପ୍ରକାଶ କରିଛନ୍ତି । ତଥାପି ଆବଶ୍ୟକ ପଡ଼ିଲେ ଏ ଦିଗରେ ତଦନ୍ତ ହେବ ବୋଲି ଶ୍ରୀ ରାଉତ ପରୋକ୍ଷ ଆଭାସ ଦେଇଛନ୍ତି । ଅନ୍ୟପକ୍ଷରେ ସୋସିଆଲ୍ ମିଡିଆରେ ଏହି ବିବାଦୀୟ ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲା ପୁଲିସ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି କି’ ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ରିପୋର୍ଟ ଆଧାରରେ ଦରକାର ପଡ଼ିଲେ ନିୟମ ଉଲ୍ଲଂଘନ ନେଇ କେସ୍ ହେବ । ଘଟଣା ସଂପର୍କରେ ତହସିଲଦାର କିନ୍ତୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି’ ଶୋଭାଯାତ୍ରା ହୋଇନଥିଲା । ବନ୍ଦ କୋଠରୀ ଭିତରେ କମ୍ ଲୋକଙ୍କ ଉପସ୍ଥିତିରେ ମାତ୍ର ୧୦ ମିନିଟ ପାଇଁ ପାରିବାରିକ ଖୁସି ପାଳନ ହୋଇଥିଲା । ଏବେ ପୁଲିସର ତଦନ୍ତରୁ କି ସତ ବାହାରୁଛି ତାହାକୁ ଅପେକ୍ଷା । ସଂପ୍ରତି ଜଗତସିଂହପୁର ଜିଲ୍ଲାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ତ୍ରିଶତକ ଡେଇଁ ଯାଉଛି । ତଥାପି ବରଯାତ୍ରୀଙ୍କ ଉପସ୍ଥିତିରେ ନାଚଗୀତର ମାହୋଲ୍ ବିଚ୍ ରାସ୍ତାରେ ଦେଖିବାକୁ ମିଳିବା କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନକୁ ସୂଚାଉଛି । ଯେଉଁ ପ୍ରକାର ବାରାତ୍ ଶୋଭାଯାତ୍ରା ହୋଇଥିଲା, ସେଥିରୁ ବରଯାତ୍ରୀମାନଙ୍କ ନିମନ୍ତେ ଭୁରିଭୋଜନର ବ୍ୟବସ୍ଥା ହୋଇଥିବା ଦିଗକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି କୁହାଯାଉଛି । ଏତେସବୁ ଆୟୋଜନ ସତ୍ତେ୍ୱ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନକୁ ଏହାର ଆଭାସ ନମିଳିବା ଆଶ୍ଚର୍ଯ୍ୟକର ବୋଲି ମତ ପ୍ରକାଶ ପାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons