ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଲମତାପୁଟ ବ୍ଲକ ସୀମାନ୍ତରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ୧୦୦ କେଜି ଗଞ୍ଜେଇ ଜବତ କରିଛି ସଦର ପୁଲିସ । କାରବାରରେ ସମ୍ପୃକ୍ତ ଜଣକୁ ଗିରଫ କରିଛି । ସେ ହେଲା ଟ୍ରକ୍ ମାଲିକ ତଥା ଡ୍ରାଇଭର ଉତ୍ତରପ୍ରଦେଶ ଜଉନପୁର ଜିଲ୍ଲା ମରିଆହୁ ପାରଶନାଥ୍ର ମିଥିଲେଶ ତିୱାରି(୪୧) । ତା’ ପାଖରୁ ଗୋଟିଏ ଟ୍ରକ୍, ୧୫୦ ବସ୍ତା ଅଦା, ୨ଟି ମୋବାଇଲ ଏବଂ ନଗଦ ୧ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୦ ତାରିଖ ରାତିରେ ଏକ ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଓଆଇସି ଶ୍ରୀ ମହାକୁଡଙ୍କୁ ଖବର ମିଳିଥିଲା । ଟ୍ରକ୍ଟି ଏନଏଚ୍-୩୨୬ ବ୍ରାହ୍ମଣୀଗାଁ ଡେଇଁସାରିଥବା ଜଣାପଡ଼ିଥିଲା । ଏସ୍ଆଇ ପ୍ରଶାନ୍ତ କୁମାର ମହାନ୍ତି, ଏଏସ୍ଆଇ ସୁରେନ୍ଦ୍ର କୁମାର ସାମଲ ଏବଂ ଅନ୍ୟମାନେ ଏନଏଚ୍-୨୬ ଆମ୍ବାଗୁଡ଼ା କୋଲ୍ଡଷ୍ଟୋର ନିକଟରେ ଛପି ରହିଥିଲେ । ରାତି ପ୍ରାୟ ୮ଟାରେ ଟ୍ରକ୍(ୟୁପି ୭୦ ଏଚ୍ଟି-୦୪୧୨)ଟି ଦ୍ରୁତ ଗତିରେ ଆସୁଥିବା ଦେଖିବାକୁ ମିଳିଥିଲା । କର୍ମଚାରୀମାନେ ଟ୍ରକ ଅଟକାଇ ଯାଞ୍ଚ କରିଥିଲେ । ଡାଲାରେ ଅଦା ବସ୍ତା ଭିତରେ ୧୩ ପ୍ୟାକେଟ୍ ଗଞ୍ଜେଇ ଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ପଚରାଉଚରା ବେଳେ ଲମତାପୁଟ ସୀମାନ୍ତରୁ ଗଞ୍ଜେଇ ଉତ୍ତରପ୍ରଦେଶ ନେଉଥିବା ସମ୍ପର୍କରେ ଡ୍ରାଇଭର ମାନିଥିଲା । ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ନବୀନ କୁମାର ଟପ୍ପୋ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଗତ ସାଢେ ୮ ମାସରେ ସଦର ପୁଲିସ ୨୬ଟି ଗଞ୍ଜେଇ ମାମଲା ରୁଜୁ କରିଛି । ୨୬ ଟି ମାମଲାରେ ୬୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ପାଖରୁ ୧୦ ହଜାର ୭୯୭ କେଜି ଗଞ୍ଜେଇ ଜବତ କରାଯାଇଛି । ବିଭିନ୍ନ କିସମର ଯାନବାହାନ ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ କୋଟି ୭୦ ଲକ୍ଷ ଟଙ୍କା ହେବ ।


Comments are closed, but trackbacks and pingbacks are open.