ଅଧରାତିରେ ମେରୁ ପାଳିଲେ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ): କଟକଣା ମଧ୍ୟରେ ମହାବିଷୁବ ସଂକ୍ରାନ୍ତି ପାଳିଛନ୍ତି ରେଶମ ସହରବାସୀ । ସଂକ୍ରାନ୍ତି ତିଥିରେ ଦୋକାନ ବଜାର ପ୍ରାୟତଃ ବନ୍ଦ ଥିବା ବେଳେ କରୋନା କଟକଣା ଯୋଗୁଁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ନଥିଲା । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମେରୁ ସଂକ୍ରାନ୍ତି ପାଳନ ଉପରେ କଟକଣା ଜାରି ହୋଇଥିବାରୁ ମଙ୍ଗଳବାର ଅଧରାତିରେ ମେରୁ ଉତ୍ସବ ପାଳିଛନ୍ତି ଶ୍ରଦ୍ଧାଳୁ ।
ମେରୁ ସଂକ୍ରାନ୍ତି ଅବସରରେ ଗଞ୍ଜାମର ପାରମ୍ପରିକ ଦଣ୍ଡଯାତ୍ରା ଉଦ୍ୟାପିତ ହୋଇଛି । ମେରୁ ଯାତ୍ରା ଗଞ୍ଜାମରେ ଏକ ବଡ଼ ପରମ୍ପରା । କିନ୍ତୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନାକୁ ଦୃଷ୍ଟିରେ ରଖି ତଥା କଟକଣା ହେତୁ ମଙ୍ଗଳବାର ରାତିରୁ ହିଁ ଦଣ୍ଡକାଳୀ ମନ୍ଦିରମାନଙ୍କରେ ମେରୁ ତଥା ଝାମୁ ଯାତ୍ରା ହୋଇଥିଲା । ତଥାପି ଅନେକ ସ୍ଥାନରେ ବେଶ୍ ଭିଡ଼ ଜମିଥିଲା । ପ୍ରଥମେ ଦଣ୍ଡ ଘରେ ବିଧି ପୂଜାର୍ଚ୍ଚନା କରାଯାଇଥିଲା । ମାନସିକ ଦଣ୍ଡୁଆମାନେ ମିଳିତ ହୋଇ ପରିକ୍ରମା କରିବା ପରେ ଦଣ୍ଡ ଘର ସମ୍ମୁଖରେ ଦଣ୍ଡ ନାଚ ପରିବେଷଣ କରିଥିଲେ । ପାଣି ଦଣ୍ଡ ସାରି ପାଟ ଦଣ୍ଡୁଆଙ୍କ ସହ ମେରୁ ଖୁଣ୍ଟ ନିକଟରେ ପହଞ୍ଚିଥିଲେ ସମସ୍ତ ଦଣ୍ଡୁଆ । ସେଠାରେ ପୁଜା ବିଧି ଆରମ୍ଭ ହୋଇ ମେରୁଖୁଣ୍ଟ ତଳ ଭାଗରେ ଅଗ୍ନି ସଂଯୋଗ କରାଯାଇଥିଲା । ବେଲ କାଠରେ ପାଟ ଦଣ୍ଡୁଆଙ୍କୁ ଗୋଡ଼ ବନ୍ଧାଯାଇ ମୁଣ୍ଡ ତଳକୁ କରାଯାଇଥିଲା । ତଳେ ଜଳୁଥିବା ଅଗ୍ନିରେ ତିନି ମୁଠା ଝୁଣା ଦିଆଯିବା ପରେ ମେରୁ ପର୍ବ ସମାପ୍ତି ହୋଇଥିଲା । ପୁରୁଣା ବ୍ରହ୍ମପୁର, ପାଣିଗ୍ରାହୀପେଣ୍ଠ ସାହି, ଆମ୍ୱପୁଆ, ବିଜିପୁର, ବ୍ରଜନଗର, ନୂଆ ବସ୍ଷ୍ଟାଣ୍ଡ କାଳୀ ମନ୍ଦିରରେ ମଙ୍ଗଳବାର ରାତିରେ ହିଁ ମେରୁ ଉତ୍ସବ କରାଯାଇଥିଲା । ଅପରପକ୍ଷରେ କରୋନା କଟକଣା ଯୋଗୁଁ ଆଜି ପ୍ରାୟତଃ ପ୍ରସାଦ କିମ୍ବା ମୃଦୁ ପାନୀୟ ବଣ୍ଟନ ହୋଇନାହିଁ । ସଂକ୍ରାନ୍ତିରେ ସବୁ ଦୋକାନ ଓ ବଜାର ବନ୍ଦ ଥିବାରୁ ସହର ଖାଁ ଖାଁ ରହିଥିଲା ।
ବିଷୁବ ସଂକ୍ରାନ୍ତି ତିଥିରେ ହନୁମାନ ଜୟନ୍ତୀ ପାଳନ କରାଯାଇଥିଲା । କିନ୍ତୁ କଟକଣାକୁ ଦୃଷ୍ଟିରେ ରଖି କେବଳ ମନ୍ଦିରରେ ହିଁ ପୂଜକଙ୍କ ଦ୍ୱାରା ପୂଜାବିଧି ସମ୍ପନ୍ନ ହୋଇଛି । ସର୍ବସାଧାରଣ ହନୁମାନ ଜୟନ୍ତୀ ହୋଇନାହିଁ କି ଶ୍ରଦ୍ଧାଳୁମାନେ ସାମିଲ ହୋଇପାରି ନଥିଲେ । ପ୍ରତିବର୍ଷ ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଓ ଗୌତମ ସିନେମା ହଲ୍ ରୋଡ୍ ହନୁମାନ ମନ୍ଦିରରେ ପ୍ରବଳ ଭିଡ଼ ହେଉଥିଲା । କିନ୍ତୁ କଟକଣା ଦୃଷ୍ଟିରୁ ଏହି ମନ୍ଦିରରେ ଏଥର ହନୁମାନ ଜୟନ୍ତୀ ଆଡ଼ମ୍ବରପୂର୍ଣ୍ଣ ହୋଇପାରି ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons