ଯାଜପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାଜପୁର ଜିଲ୍ଲାରେ ମାର୍ଚ୍ଚ ୨୦ ତାରିଖ ପରଠାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ଜଣଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡିକାଲ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି । ଅନ୍ୟ ଦୁଇଜଣଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଫେରିଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି । ୧୯ଜଣ ଚିହ୍ନଟଙ୍କ ମଧ୍ୟରୁ ୧୪ଜଣ କୋଲକାତାରୁ ଫେରିଥିବା ବେଳେ ୪ଜଣ ସେମାନଙ୍କ ସଂପର୍କୀୟ ଏବଂ ଅନ୍ୟ ଜଣେ ନିଜାମୁଦ୍ଧିନ୍ ଲିଙ୍କ୍ ଥିବା ଟ୍ରାଭେଲ୍ ହିଷ୍ଟ୍ରିରୁ ଜଣାପଡ଼ିଛି । ୨୬ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ମୋଟ ୨୨୮୦ଜଣଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧୨୧ଜଣଙ୍କ ଟେଷ୍ଟ ରିପୋର୍ଟ ଆସିଥିବା ବେଳେ ୧୯ଜଣ କରୋନା ସଂକ୍ରମିତ ହୋଇଥବା ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସୋମବାର ମଧ୍ୟାହ୍ନ ସୁଦ୍ଧା ୪୧୧୦ଜଣ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି । ଅଦ୍ୟାବଧି ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ୧୫ହଜାରରୁ ଅଧିକ ଫେରିବା ସହ ପଞ୍ଜୀକରଣ କରାଇଥିବା ଜଣାପଡ଼ିଛି ।
ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଦଶରଥପୁର ବ୍ଲକ୍ରେ ସର୍ବାଧିକ ୯ଜଣ ଥିବା ବେଳେ ଯାଜପୁର ବ୍ଲକ୍ରେ ୮ଜଣ, କୋରେଇ ଓ ରସୁଲପୁର ବ୍ଲକ୍ରେ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାର ପ୍ରଥମ ସଂକ୍ରମିତ ବ୍ୟକ୍ତି ଜଣକ ରସୁଲପୁର ବ୍ଲକ୍ରେ ଚିହ୍ନଟ ହୋଇଥିବା ତାଙ୍କର ନିଜାମୁଦ୍ଧିନ୍ ଲିଙ୍କ ଥିଲା । ତାଙ୍କୁ କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଜିଲ୍ଲାରେ ଆଉ ୧୮ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଶ୍ୱିନୀ ହସ୍ପିଟାଲରେ ଜଣେ ଚିକିତ୍ସିତ ହେଉଥିବା ବେଳେ ଟାଟା ମେଡିକାଲ କୋଭିଡ୍ ହସ୍ପିଟାଲରେ ୧୭ଜଣ ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଜିଲ୍ଲାକୁ ଗୁରୁବାର ରାତି ୧୦ଟାରୁ ରବିବାର ସକାଳ ୧୦ଟା ପର୍ଯ୍ୟନ୍ତ ୬୦ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । ଏହି ସମୟ ମଧ୍ୟରେ ଜିଲ୍ଲାରେ ପୁଣି ୬ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ପୁନର୍ବାର ସୋମବାର ମଧ୍ୟାହ୍ନ ୧୨ଟାରୁ ବୁଧବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଧା ଜିଲ୍ଲାକୁ ସଟ୍ ଡାଉନ୍ କରିଦିଆଯାଇଛି । ଜିଲ୍ଲାର ଦଶରଥପୁର, ଯାଜପୁର, ବରୀ, ବିଞ୍ଝାରପୁର, କୋରେଇ ବ୍ଲକ୍ ସହିତ ଯାଜପୁର ମୁ୍ୟନିସିପାଲିଟିକୁ ସଟ୍ ଡାଉନ କରିଦିଆଯାଇଛି । ଏହି ସମୟ ମଧ୍ୟରେ ଅତି ଜରୁରି ନଥିଲେ ସଂପୃକ୍ତ ଅଞ୍ଚଳକୁ କେହି ଯାଇପାରିବେ ନାହିଁ କିମ୍ବା ବାହାରକୁ ବାହାରି ପାରିବେ ନାହିଁ ।
ମାର୍ଚ୍ଚ ୩ରେ ଜିଲ୍ଲାର ପ୍ରଥମ କରୋନା ସଂକ୍ରମିତ ରସୁଲପୁର ବ୍ଲକ୍ ବ୍ରହ୍ମବରଦା ଅଞ୍ଚଳରେ ଚିହ୍ନଟ ହୋଇଥିଲେ । ସଂପୃକ୍ତ ବ୍ୟକ୍ତି ନିଜାମୁଦ୍ଧିନ୍ରୁ ଫେରିଥିଲେ । ଏହା ପରେ କିଛି ଦିନ ଶାନ୍ତ ପଡ଼ିଥିଲା । ୧୨ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ନୂତନ ସଂକ୍ରମିତ ଚିହ୍ନଟ ହୋଇନଥିଲେ । ମାର୍ଚ୍ଚ ୧୩ ତାରିଖରେ ଯାଜପୁର ବ୍ଲକ୍ ସାନତ୍ରିଲୋଚନପୁର ଗ୍ରାମର ଜଣେ ବୟସ୍କ ବ୍ୟକ୍ତି କରୋନା ସଂକ୍ରିମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରୀରୁ ଜଣାପଡ଼ିଥିଲା ଯେ ସେ କୋଲକାତାରୁ ଫେରିଥିଲେ । ତାଙ୍କ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳତାଡ଼ ଆରମ୍ଭ ହୋଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କ ସାଙ୍ଗରେ କିଏ କିଏ ଆସିଥିଲେ ତାଙ୍କୁ ଠାବ କରାଯିବା ସହିତ କୋଲକାତା ଫେରନ୍ତାଙ୍କୁ ଉପରେ ସ୍ୱତନ୍ତ୍ର ନଜର ଦିଆଯାଇଥିଲା । ଜିଲ୍ଲାରେ ପଞ୍ଜୀକରଣ କରିଥିବା କୋଲକାତା ଫେରନ୍ତାଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା । ଏହା ପରେ ୨୦ତାରିଖରେ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମସ୍ତେ କୋଲକାତାରୁ ଫେରିଥିଲେ । ୨୨ ତାରିଖରେ ଆଉଜଣେ କୋଲକାତା ଫେରନ୍ତା ଦଶରଥପୁର ବ୍ଲକ୍ରେ ଚିହ୍ନଟ ହୋଇଥିଲେ । ପରଦିନ ଅର୍ଥାତ ୨୩ ତାରିଖରେ ଦଶରଥପୁର ବ୍ଲକ୍ ବିରଜାପୁର ପଞ୍ଚାୟତର କୋଲକାତା ଫେରନ୍ତା ଜଣେ ଓ ଯାଜପୁର ବ୍ଲକ୍ ବାସୁଦେବପୁର ପଞ୍ଚାୟତ ଜାଲପୁର ଗ୍ରାମର ସଂକ୍ରମିତଙ୍କ ସଂପର୍କୀୟ ୩ଜଣ ଚିହ୍ନଟ ହୋଇଥିଲେ । ୨୫ତାରିଖ ରାତିରେ ୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସମସ୍ତ ସଂକ୍ରମିତ ଦଶରଥପୁର ବ୍ଲକ୍ର ହୋଇଥିବା ବେଳେ ସମସ୍ତେ କୋଲକାତାରୁ ଫେରିଥିଲେ । ଆଜି ଅର୍ଥାତ ସୋମବାର ସନ୍ଧ୍ୟାରେ ଯାଜପୁର ବ୍ଲକ୍ ବାସୁଦେବପୁର ପଞ୍ଚାୟତରେ ଜଣେ କୋଲକାତା ଫେରନ୍ତା କରୋନା ସଂକ୍ରମିତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ତାଙ୍କୁ ଠାବ କରିବା ସହିତ ତାଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହ କରି କଳିଙ୍ଗନଗରସ୍ଥିତ ଟାଟା ମେଡିକା କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି ।


Comments are closed, but trackbacks and pingbacks are open.