ରାୟଗଡ଼ା,(ବି.ବି.ନୁ୍ୟଜ୍): କରୋନାରେ ଆକ୍ରାନ୍ତ ଥାଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଶବ ପୋତାକୁ ନେଇ ଉତ୍ତେଜନା । ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କୁ ଅଟକ । ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଜିଲ୍ଲାପାଳ ଘଟଣାସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଅଟକ ଅଧିକାରୀଙ୍କୁ ଛାଡିବେନି ବୋଲି ଗାଁ ଲୋକଙ୍କ ଜିଦ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଥାନା କୁମ୍ଭିକୋଟା ଫାଣ୍ଡି ଅଞ୍ଚଳରେ । ଦୀର୍ଘ ସାଢେ ୩ ଘଣ୍ଟା ଧରି ରାସ୍ତାରୋକ ପରେ ଉପଜିଲ୍ଲାପାଳ ପହଞ୍ଚି ବୁଝାସୁଝା କରିବା ପରେ ଥମିଥିଲା ଉତ୍ତେଜନା, ହଟିଥିଲା ରାସ୍ତାରୋକ ।
ମିଳିଥିବା ସୂଚନା ଅନୁଯାୟୀ, କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଶ୍ରୀଝର ଓ ସାଙ୍କେଶ ଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି ଶବ ପୋତାଯାଇଥିଲା । ଗାଁ ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ । ଶବ ପୋତି ଫେରୁଥିବା ବେଳେ ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଅଟକ ରଖିଥିଲେ । ପୋତାଯାଇଥିବା ଶବକୁ ବାହାର କରି ଅନ୍ୟତ୍ର ନେବା ଲାଗି ଜିଦ୍ ଧରିଥିଲେ । ଜିଲ୍ଲାପାଳ ଏବଂ ଶବ ପୋତିବା ପାଇଁ ନିଦେ୍ର୍ଧଶ ଦେଇଥିବା ଅଧିକାରୀମାନେ ଘଟଣାସ୍ଥଳରେ ନପହଞ୍ଚିଲେ ଶବ ଛାଡିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଏହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷା ସତ୍ତେ୍ୱ ଗାଁ ଲୋକେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଏଥିଯୋଗୁ ଉଭୟପଟରେ ଶହ ଶହ ଗାଡି ଅଟକି ରହିଥିଲା । ପୁଲିସ୍ ବଳପ୍ରୟୋଗ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଶୁଣାଇଥିଲେ ଗ୍ରାମବାସୀ ।
ଗାଁ ଲୋକେ ଅଭିଯୋଗ କରିଥିଲେ ଯେ, କରୋନା ମହାମାରୀର ମୁକାବିଲା ପାଇଁ ସରକାର ଜାରି କରିଥିବା ସମସ୍ତ ଗାଇଡ୍ଲାଇନ୍କୁ ସେମାନେ ପାଳନ କରୁଛନ୍ତି । କିନ୍ତୁ ଖୋଦ ସରକାରୀ ଅଧିକାରୀମାନେ ଏହାର ଉଲ୍ଲଂଘନ କରୁଛନ୍ତି । କୋଭିଡ୍ ମେଡିକାଲ୍ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବକୁ ଆଣି ଗାଁ ନିକଟରେ ପୋତୁଛନ୍ତି । ଏହା ଆଇନସଂଗତ ନୁହେଁ । ଏହାଦ୍ୱାରା ଆଖପାଖ ଗାଁରେ କରୋନା ସଂକ୍ରମଣ ଅଧିକ ବ୍ୟାପିବ । ଏଭଳି ଅଭିଯୋଗ କରି ତୁରନ୍ତ ପୋତାଯାଇଥିବା ଶବକୁ ସ୍ଥାନାନ୍ତର ଲାଗି ଅଡି ବସିଥିଲେ ସେମାନେ । ଦୀର୍ଘ ସାଢେ ୩ ଘଣ୍ଟା ଧରି ରାସ୍ତାରୋକ ପରେ ପହଞ୍ଚିଥିଲେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ । ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଆଗାମୀ ଦିନରେ ଆଉ ଗାଁ ନିକଟରେ ଶବ ପୋତାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବାପରେ ଲୋକଙ୍କ ରାଗ ଥଣ୍ଡା ପଡିଥିଲା । ସେମାନେ ରାସ୍ତାରୋକରୁ ହଟିଥିଲେ ।
ସୂଚନା ଥାଉକି, କରୋନାରେ ମୃତକଙ୍କ ଶେଷକୃତ୍ୟ ସଂପନ୍ନକୁ ନେଇ ବିଭିନ୍ନ ସମୟରେ ବିରୋଧାଭାସ ବଢିବାରେ ଲାଗିଛି । ଶୁକ୍ରବାର ଦିନ କୋଲନରା ବ୍ଲକ୍ର ଥେରୁବାଲିଠାରେ ଏଭଳି ଏକ ଶବ ପୋତାକୁ ନେଇ ୫ଟି ପଞ୍ଚାୟତର ଜନପ୍ରତିନିଧିମାନେ ତୀବ୍ର ବିରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଏଥିପ୍ରତି ସତର୍କ ରହିବା ଦରକାର ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।
Comments are closed, but trackbacks and pingbacks are open.