ଅନନ୍ତନାଗରେ ଆତଙ୍କୀ ଆକ୍ରମଣ: ୫ ଯବାନ ସହିଦ

Get real time updates directly on you device, subscribe now.

ଅନନ୍ତନାଗ: ପୁଲୱାମା ଆକ୍ରମଣର କ୍ଷତ ଏଯାଏ ଲିଭିନଥିବା ବେଳେ ଏହାର ପ୍ରାୟ ୪ ମାସ ପରେ ଆତଙ୍କବାଦୀମାନେ ବୁଧବାର ପୁଣି ଏକ ବଡ଼ଧରଣର ହମ୍ଲା କରିଛନ୍ତି । ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଏହି ଆକ୍ରମଣରେ ୫ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଏହି ଘଟଣାରେ ଜମ୍ମୁ-କାଶ୍ମୀରର ଜଣେ ପୁଲିସ ଇନ୍ସପେକ୍ଟରଙ୍କ ସମେତ ୪ ଜଣ ଯବାନ ଓ ଜଣେ ସାଧାରଣ ମହିଳା ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ପାକ୍ ଆତଙ୍କୀ ସଂଗଠନ ଅଲ୍-ଉମର ମୁଜାହିଦ୍ଦିନ୍ ନିଜକୁ ଦାୟୀ କରିଛି । କିନ୍ତୁ ଏହା ପଛରେ ପ୍ରକୃତରେ ଜୈସର ହାତ ଥିବାର କୁହାଯାଉଛି ।
ମିଳିଥିବା ସୂଚନା ମୁତାବକ, ଆତଙ୍କବାଦୀମାନେ ଅନନ୍ତନାଗ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ କିଛିଦିନ ହେଲା ସକ୍ରିୟ ଥିଲେ । ସେମାନେ ସିଆରପିଏଫ ଯବାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ସୁଯୋଗ ପାଇ ଆଜି ଯବାନଙ୍କ ଉପରେ ଅଟୋମେଟିକ୍ ରାଇଫଲ୍ ଦ୍ୱାରା ଆଖିବୁଜା ଗୁଳିବର୍ଷା ସହ ଗ୍ରେନେଡ ମାଡ଼ କରିଥିଲେ ।
ଅନନ୍ତନାଗ ଜିଲ୍ଲାର ଜେନେରାଲ୍ ବସ୍ ଷ୍ଟାଣ୍ଡ ନିକଟବର୍ତ୍ତୀ ଚି ଗାଲିସ୍ଥିତ ଅକ୍ସଫୋର୍ଡ ବିଦ୍ୟାଳୟ ନିକଟରେ ଏହି ହମ୍ଲା ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଆତଙ୍କବାଦୀମାନେ ବୁଧବାର ସନ୍ଧ୍ୟାବେଳେ ମୁଖା ପିନ୍ଧି ଦୁଇଟି ଗାଡ଼ିରେ ହଠାତ୍ ଆସି ପହଞ୍ଚିଥିଲେ । ଏହାପରେ ସେମାନେ ପୂର୍ବରୁ ମୁତୟନ ଥିବା ବି/୧୧୬ ବାଟାଲିୟନ୍ ସିଆରପିଏଫ ବାହିନୀ ଉପରକୁ ଆକ୍ରମଣ କରିଥିଲେ ।
ଆତଙ୍କୀଙ୍କ ଏହି ଆକ୍ରମଣର ଜବାବ ଦେଇଥିଲେ ଯବାନ୍ । ସୁରକ୍ଷା କର୍ମୀଙ୍କ ପକ୍ଷରୁ ଗୁଳି ବର୍ଷା କରାଯିବା ଦ୍ୱାରା ୨ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଆତଙ୍କୀଙ୍କ ଗ୍ରେନେଡ୍ ମାଡ଼ରେ ପ୍ରଥମେ ୩ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନ୍ୟ ୫ ଜଣ ଗୁରୁତର ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅନ୍ୟ ଦୁଇଜଣ ସହିଦ ହୋଇଥିଲେ । ଆକ୍ରମଣର ସାମ୍ନା କରି ଲଢ଼ୁଥିବା ଅନନ୍ତନାଗ ଥାନାର ଏସ୍ଏଚ୍ଓ ଅର୍ସଦ ଅହମ୍ମଦ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଶ୍ରୀନଗର ସ୍ଥାନାନ୍ତର କରାଯାଇଛି । ଏଥିରେ ଜଣେ ସାଧାରଣ ମହିଳା ଗୁରୁତର ଆହତ ହୋଇଛନ୍ତି । ସହିଦ ହୋଇଥିବା ସିଆରପିଏଫ ଯବାନମାନଙ୍କ ପରିଚୟ ରମେଶ କୁମାର(ହରିଆଣା), ନିରୋଦ ଶର୍ମା(ଆସାମ), ସତ୍ୟେନ୍ଦ୍ର କୁମାର(ୟୁପି), ମହେଶ କୁମାର କୁଶୱାହା(ୟୁପି) ଏବଂ ସନ୍ଦୀପ ଯାଦବ(ମଧ୍ୟପ୍ରଦେଶ) ବୋଲି ଜଣାପଡିଛି । ସେହିପରି ଆହତ ହୋଇଥିବା ଯବାନମାନଙ୍କ ପରିଚୟ ରାଜେନ୍ଦର ଇଙ୍ଗଲ, ପ୍ରେମଚାନ୍ଦ କୌଶିକ ଏବଂ କେଦାରନାଥ ଓଝା ବୋଲି ସୂଚନା ଦିଆଯାଇଛି ।
ପାକିସ୍ତାନର ଅଲ୍-ଉମର ମୁଜାହିଦ୍ଦିନ୍ ନାମକ ଏକ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ସଂଗଠନକୁ ମୁସ୍ତାକ୍ ଜରଗର ପରିଚାଳନା କରୁଛି । କୁହାଯାଉଛି ଯେ ଭାରତୀୟ ବାୟୁସେନାର ବାଲାକୋଟ ଏୟାରଷ୍ଟ୍ରାଇକ୍ ବେଳେ ମୁସ୍ତାକ୍ ଟାର୍ଗେଟ୍ରେ ଥିଲା । କିନ୍ତୁ ସେ ବର୍ତ୍ତିଯାଇଥିଲା । ଉଲ୍ଲେଖଥାଉ କି ୧୯୯୯ରେ ଆତଙ୍କବାଦୀମାନେ ବିମାନ ଆଇସି-୮୧୪ର ଯାତ୍ରୀଙ୍କୁ ଅପହରଣ କରିନେଇଥିଲେ । ବଦଳରେ ସେମାନେ ମୁସ୍ତାକ୍ ଜରଗରକୁ ଛାଡ଼ିବାକୁ ଦାବି କରିଥିଲେ । ପରେ ତାକୁ ଛଡ଼ାଯାଇଥିଲା । ମୁସ୍ତାକ୍ ସହିତ ଜୈସ୍ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଏବଂ ଶେଖ୍ ଉମରକୁ ମୁକ୍ତ କରାଯାଇଥିଲା । ସେହି ଦିନଠାରୁ ସେମାନେ ସେନାର ଟାର୍ଗେଟ୍ରେ ଥିଲେ ।
ଅନନ୍ତନାଗରେ ଆତଙ୍କବାଦୀଙ୍କ ଏଭଳି ବଡ଼ଧରଣର ହମ୍ଲା ପରେ ଘଟଣାସ୍ଥଳ ସଂଲଗ୍ନ ଅଞ୍ଚଳରେ ସୁରକ୍ଷା କର୍ମୀମାନେ ଘେରାବନ୍ଦୀ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି । ଏହାଛଡ଼ା ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଉକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ଯେଉଁ ଅଞ୍ଚଳରେ ଆତଙ୍କୀ ହମ୍ଲା ହୋଇଛି, ସେଠାରେ ସବୁବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଲାଗିରହିଥାଏ । ତେଣୁ ସେଠାରେ ଉଭୟ ପୁଲିସ ଓ ସିଆରପିଏଫ ପକ୍ଷରୁ ମିଳିତ ଅପରେସନ ଜାରି ରହିଥାଏ ।
କୁହାଯାଉଛି କି ଅନନ୍ତନାଗରେ ଆଜି ହୋଇଥିବା ଆତଙ୍କୀ ଆକ୍ରମଣ ସମ୍ପର୍କରେ ରାଜ୍ୟ ପୁଲିସ ଆଗୁଆ ଗୁଇନ୍ଦା ସୂଚନା ଦେଇଥିଲା । କେ ପି ରୋଡର ଏକ ବସଷ୍ଟାଣ୍ଡ ନିକଟରେ ଆତଙ୍କୀ ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ରିପୋର୍ଟର୍ରେ ଉଲ୍ଲେଖ କରାଯାଇଥିଲା । ଏହାସତ୍ତେ୍ୱ ବି ଏପରି ଆକ୍ରମଣକୁ ରୋକାଯାଇପାରିନଥିଲା ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବ୍ରୁଆରୀ ୧୪ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ (ଜେଇଏମ୍) ପକ୍ଷରୁ ଆତ୍ମଘାତୀ ଆକ୍ରମଣ ଘଟିଥିଲା । ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ହୋଇଥିବା ଏହି ଆକ୍ରମଣରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏହାର କିଛିଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନ ସୀମା ଭିତରେ ପଶି ଏହାର ବାଲାକୋଟସ୍ଥିତ ଆତଙ୍କବାଦୀ ଆଡ୍ଡା ଉପରେ ସାଂଘାତିକ ଏୟାରଷ୍ଟ୍ରାଇକ୍ କରିଥିଲା । ଫଳରେ ଅନେକ ଆତଙ୍କବାଦୀ ନିପାତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons