ଅନିଶ୍ଚିତତାରେ ୧୧୩୮ କୋଟିର ପ୍ରକଳ୍ପ

Get real time updates directly on you device, subscribe now.

କନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ଖରସ୍ରୋତା ନଦୀରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ନେଇ ଦିନକୁ ଦିନ ନୂଆ ଅଡ଼ୁଆ ସୃଷ୍ଟି ହେବାରେ ଲାଗିଛି । ପାଣି ପ୍ରକଳ୍ପକୁ ବିରୋଧ କରୁଥିବା ବିପକ୍ଷବାଦୀ ଓ ସମର୍ଥନ କରୁଥିବା ସପକ୍ଷବାଦୀ ଗୋÂୀ ଏବେ ମୁହାଁମୁହିଁ ଅବସ୍ଥାକୁ ଆସିଲେଣି । କେତେବେଳେ ପ୍ରକଳ୍ପକୁ ସମର୍ଥନ କରି ସଭା, ସମିତି, ସାମ୍ୱାଦିକ ସମ୍ମିଳନୀ ହେଉଛି ତ’ ପୁଣି କେତେବେଳେ ପ୍ରକଳ୍ପକୁ ବିରୋଧ କରି ମାନବଶୃଙ୍ଖଳ, ଆଉ କେତେବେଳେ ପ୍ରତିବାଦ ସଭା ନ ହେଲେ ଆନେ୍ଦାଳନ କରାଯାଉଛି । ପ୍ରକଳ୍ପ କାମ ଲାଗି ଟେଣ୍ଡର ହୋଇଯିବା ପରେ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚôଛି ନିଷ୍ପତ୍ତି । ଭଦ୍ରକ ଜିଲ୍ଲାର ୩ଟି ବ୍ଲକ ପାଇଁ ଉଦ୍ଧିଷ୍ଟ ପ୍ରକଳ୍ପ ବାବଦକୁ ୮୭୦ କୋଟି ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ପାଇଁ ମଞ୍ଜୁର ୨୬୮ କୋଟି, ଏହିପରି ମୋଟ ୧୧୩୮ କୋଟିର ପ୍ରକଳ୍ପ ଏବେ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ଏଣେ ଉଭୟପକ୍ଷ ନିଜ ନିଜର ଜିଦ୍‍ ପୂରଣ କରିବାକୁ ଅଡ଼ି ବସିଥିବା ବେଳେ ଏନେଇ ରାଜନୈତିକ ଗୋଟି ଚାଳନା ବି ଜୋର୍ ଧରିଛି । ଏଣୁ ଏ ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ଅପେକ୍ଷା ।
ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କ କହିବା କଥା, ପାଣି ଓ ପବନ ଉପରେ ସମସ୍ତଙ୍କର ଅଧିକାର ଅଛି । କେହି ନିର୍ଦ୍ଧିଷ୍ଟ ଭାବେ ଦାବି କରିପାରିବେନି ଯେ ତାହା ସେମାନଙ୍କର ବୋଲି । ଏ ପ୍ରକଳ୍ପର ପାଣି ପୁଣି ପିଇବା ଲାଗି ଉଦ୍ଧିଷ୍ଟ । ୨୦୧୮ ନଭେମ୍ୱର ମସିହାରେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାର ୩ଟି ବ୍ଲକ ବାସୁଦେବପୁର, ତିହିଡ଼ି, ଚାନ୍ଦବାଲିକୁ ପିଇବା ପାଣି ଯୋଗାଇଦେବା ପାଇଁ ବସୁଧା ଯୋଜନା ଅଧୀନ ୮୭୦ କୋଟି ମୂଲ୍ୟରେ ଖରସ୍ରୋତାରେ ପାନୀୟ ଜଳ ପ୍ରକଳ୍ପ ଲାଗି ମଞ୍ଜୁର କରିଥିଲେ । ମହାକାଳପଡ଼ାର ସରୁମୁହିଁଠାରେ ୨୪୨ କୋଟି ବ୍ୟୟରେ ବସୁଧା ଯୋଜନା ଅନ୍ତର୍ଗତ ପ୍ରକଳ୍ପର ଶିଳାନ୍ୟାସ ପରେ ଉକ୍ତ ପ୍ରକଳ୍ପ ଟେଣ୍ଡର ପର୍ଯ୍ୟାୟକୁ ଯାଇଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୯ ମାର୍ଚ୍ଚ ୧ ରେ ଏଥିଲାଗି ଅନୁମୋଦନ ମିଳିଥିଲା । ତେବେ ମାର୍ଚ୍ଚ ୩ ରେ ସାଧାରଣ ନିର୍ବାଚନ ଲାଗି ଆଚରଣବିଧି ଲାଗୁ ହୋଇଯିବାରୁ ପ୍ରକଳ୍ପ କାମ ଆଉ ଆଗେଇ ପାରିନଥିଲା । ପ୍ରକଳ୍ପ ଅଟକି ରହିଥିଲା । ପ୍ରକଳ୍ପର ଉତ୍ସ ହେଲା ଆଳି-ରାଜକନିକା ମଧ୍ୟସ୍ଥ ଖରସ୍ରୋତା ନଦୀ । ସେତେବେଳେ ସେ ନୂଆ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଆମ ଘରୁ ପାଣି ଯିବ ଅଥଚ ଆମ ଲୋକ ପାଣି ପାଇବେନି ବୋଲି ବିରୋଧାଭାସ ଦେଖାଗଲା । ପରେ ଏନେଇ ସର୍ବଦଳୀୟ ବୈଠକ ଆହୂତ ହୋଇଥିଲା । ଏହାପରେ ଶ୍ରୀ ଦେବଙ୍କ ସହିତ ପୂର୍ବତନ ବିଧାୟକମାନେ ସର୍ବଦଳୀୟ ବୈଠକରେ ବସିଲେ । ନିଷ୍ପତ୍ତି ହେଲା ଯେ ସରକାର ଆମ ପ୍ରକଳ୍ପକୁ ଯଦି ମଞ୍ଜୁର ନକରିବେ ତା’ହେଲେ ଆମେ ପାଣି ଦେବାନି । ତା’ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁକଥା ଅବଗତ କରି ଲୋକଙ୍କ କ୍ଷୋଭ ବିଷୟରେ ଜଣାଇଥିଲେ । ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଆଳି ଓ ରାଜକନିକାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ପ୍ରଳଳ୍ପକୁ ମଞ୍ଜୁରୀ ଦେଇଥିଲେ । ଏଥିଲାଗି ଡିସେମ୍ୱର ମାସ ସୁଦ୍ଧା ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ବି ପ୍ରସ୍ତୁତ ହୋଇଥିଲା । ଜାନୁଆରୀ ମାସରେ ଅର୍ଥ ବିଭାଗକୁ ଫାଇଲ୍ ଗଲା ପରେ ସେଠାରୁ ଅନୁମୋଦନ ପାଇଁ ମୁଖମନ୍ତ୍ରୀଙ୍କ ପାଖକୁ ଗଲା । ତା’ପରେ ମୁଖ୍ୟମନ୍ତ୍ରୀ ଆଳି ଓ କନିକାବାସୀଙ୍କ ପାଇଁ ୨୬୮ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଥିଲେ । ଇତିମଧ୍ୟରେ କଂଗ୍ରେସ ୨ ଥର ଓ ବିଜେପି ଥରେ ରାଜରାସ୍ତାକୁ ଓହ୍ଲାଇ କହିଥିଲେ ଆମେ ପାଣି ଛାଡ଼ିବୁ ନାହିଁ । ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ଆମକୁ ପାଣି ମିଳିଲେ ଆମେ ଭଦ୍ରକ ପ୍ରକଳ୍ପକୁ ବିରୋଧ କରିବାନି । ହେଲେ ଏବେ ସେମାନେ ବିଭିନ୍ନ ଆଳ ଦେଖାଇ ପ୍ରକଳ୍ପକୁ ବିରୋଧ କରୁଛନ୍ତି । ପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ରାଜକନିକା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସର୍ବଦଳୀୟ ବୈଠକ ହୋଇଥିଲା । ସେଥିରେ ଦୋଳଗୋବିନ୍ଦ ନାୟକ ଉପସ୍ଥିତ ଥିଲେ ବି ଦେବେନ୍ଦ୍ର ଶର୍ମା ଉପସ୍ଥିତ ନଥିଲେ । ଏହା କୌଣସି କମ୍ପାନୀ ପାଇଁ ନୁହେଁ ବରଂ ଲୋକଙ୍କ ପିଇବା ପାଇଁ ପ୍ରକଳ୍ପ ବୋଲି ଶ୍ରୀ ଦେବ ଏ ସଂକ୍ରାନ୍ତ କାଗଜପତ୍ର ଦେଖାଇ କହିଛନ୍ତି ।
ଏବେ ଭାରିଗଦା ଅଞ୍ଚଳରେ ୧୭ କୋଟି ବ୍ୟୟରେ ଜୋରଦାର ପ୍ରକଳ୍ପର ଖୋଳା କାମ ଚାଲୁରହିଛି । ଜଳକଷ୍ଟ ସମୟ ଏପ୍ରିଲ ଓ ମେ ମାସ । ଖରସ୍ରୋତାରୁ ପାଣି ଶୁଖିବାର କୌଣସି ଆଶଙ୍କା ନାହିଁ । ବିଭାଗୀୟ ତଥ୍ୟ ଅନୁସାରେ, ଜଳକଷ୍ଟ ସମୟରେ ଭାରିଗଦା ନିକଟରେ ୩ ହଜାର ୭୦୦ ମିଲିୟନ ଲିଟର ଜଳ ସମୁଦ୍ରକୁ ବୋହିଯାଉଛି । ଭଦ୍ରକ ଜିଲ୍ଲା ପାଇଁ ଉଦ୍ଧିଷ୍ଟ ପ୍ରକଳ୍ପରେ ୧୩୬ ମିଲିୟନ ଲିଟର ପାଣି ଯିବ ଓ ଆଳି ଓ ରାଜକନିକା ଲାଗି ଉଦ୍ଧିଷ୍ଟ ପ୍ରକଳ୍ପରେ ୮୬ ମିଲିୟନ ଲିଟର ପାଣି ଉଠାଯିବ । ଏଥିରେ ପାଣି ନଷ୍ଟ କେଉଁଠି ହେବ ବୋଲି ସପକ୍ଷବାଦୀମାନେ ପ୍ରଶ୍ନ କରିଛନ୍ତି । ୩ ହଜାର ୭୦୦ରୁ ୨୨୨ ମିଲିୟନ ଲିଟର ପାଣି କାଟିଦେବା ପରେ ବି ଅବଶିଷ୍ଟ ପାଣି ସମୁଦ୍ରକୁ ବୋହିଯାଉଛି ବୋଲି ସେମାନେ କହିଛନ୍ତି । ଅପରପକ୍ଷରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସମ୍ପାଦକ ବିଧାନ ଦାସଙ୍କ କହିବା କଥା, ଖରସ୍ରୋତା ଯୋଗୁଁ ଆମେ ବିଗତ ଦିନରେ ଅନେକ କ୍ଷତି ସହିଛୁ । ୨୦ରୁ ୨୨ ଗାଁ ପାଣିରେ ବିଲୀନ ହୋଇଯାଇଛି । ଅନେକ ଫସଲ ଏଥିଯୋଗୁଁ ଉଜୁଡ଼ିଛି । ୧୯୬୨ ମସିହାରେ ସମଲ ବ୍ୟାରେଜ ନିର୍ମାଣ ବେଳେ ୮୨ ପ୍ରତିଶତ ଜଳକୁ ଅଟକାଇ ଦେଲେ । ସେତେବେଳେ ଆନେ୍ଦଳନ ଦାନା ବାନ୍ଧିବାରୁ କହିଥିଲେ, ସାଇଫନ୍ ନିର୍ମାଣ କରି ଲୋକଙ୍କ ଆବଶ୍ୟକତା ପୂରଣ କରାଯିବ । କିନ୍ତୁ ହେଲାନି । କେନ୍ଦ୍ରାପଡ଼ାର ୨/୩ଟି ବ୍ଲକ୍କୁ ଛାଡ଼ିଦେଲେ ବାକି ବ୍ଲକ୍ରେ ଭୂତଳ ଜଳସ୍ତର ବହୁ କମ୍‍ ରହିଛି । ଖରସ୍ରୋତାରୁ ପାଣି ଚାଲିଗଲେ ନଦୀ ଶୁଷ୍କ ହୋଇଯିବ । ସମୁଦ୍ରର ଲୁଣାପାଣି ନଦୀକୁ ଚାଲି ଆସିବା ଫଳରେ ନଈ, ପୋଖରୀ, କୂଅ, ନଳକୂଅ ଆଦି ବିଭିନ୍ନ ଜଳଉତ୍ସରୁ ଲୁଣାପାଣି ବାହାରିବ । ଏଥିପାଇଁ ବିରୋଧ ଯଥାର୍ଥ ବୋଲି ସେ କହିଛନ୍ତି । ଏପରି ସ୍ଥିତିରେ ଆଗାମୀ ଦିନରେ ପ୍ରକଳ୍ପର ଭାଗ୍ୟ କଣ ହେବ ତାହାକୁ ନେଇ ଅନିଶ୍ଚିତତା ଲାଗିରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons