ଅନୁଗୁଳକୁ ଛୁଇଁଲା କରୋନା

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲାକୁ ଛୁଇଁଲା କରୋନା । କରୋନା ସଂକ୍ରମଣ ତାଲିକାରେ ରାଜ୍ୟର ୨୦ତମ ଜିଲ୍ଲା ଭାବେ ଯୋଡ଼ି ହୋଇଛି ଅନୁଗୁଳ । ଏକାଥରକେ ୧୫ ପଜିଟିଭ୍ ସହ ଖାତା ଖୋଲିଛି ଶିଳ୍ପନଗରୀ । କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ ସୁରଟ୍ ଫେରନ୍ତା ହୋଇଥିବାବେଳେ ଜଣେ ମହାରାଷ୍ଟ୍ରରୁ ଆସିଛନ୍ତି । ଗତ ଦୁଇ ତାରିଖରୁ ପର୍ଯ୍ୟାୟକ୍ରମେ ଏହି ପ୍ରବାସୀମାନେ ବସ୍ ଯୋଗେ ଜିଲ୍ଲାକୁ ଫେରିଛନ୍ତି । ସୁରଟ ଓ ମହାରାଷ୍ଟ୍ର ଫେରନ୍ତା କରୋନା ସଂକ୍ରମିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଅନ୍ୟ ଜଣେ ୫ ଦିନ ପୂର୍ବେ ଭୁବନେଶ୍ୱରରୁ ଘରକୁ ଫେରିଛନ୍ତି । ଫେରନ୍ତା ଯୁବକ ଅନୁଗୁଳ ପୌରାଞ୍ଚଳର । ସେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର ସେଣ୍ଟ୍ରାଲ୍ ହସ୍ପିଟାଲ୍ସ୍ଥିତ ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ୍ରେ ଭର୍ତ୍ତି କରାଯିବା ନିମନ୍ତେ ପ୍ରସ୍ତୁତି ଚାଲିଛି । ତେବେ ସନ୍ଧ୍ୟା ସୁଦ୍ଧା ଦୁଇ ଜଣ ଆଡମିଶନ୍ ହୋଇଥିବା ଜଣାପଡ଼ିଛି । ଏକକାଳୀନ ୧୫ଟି ପଜିଟିଭ୍ ପରେ ଜିଲ୍ଲାରେ ଆତଙ୍କ ସୃଷ୍ଟି ହୋଇଛି ।
ଅନୁଗୁଳ ଜିଲ୍ଲାରେ କରୋନା ସ୍ଥିତି ବିଗାଡ଼ିଛନ୍ତି ସୁରଟ ଫେରନ୍ତା । ତେବେ ଆଶ୍ୱସ୍ତିକର କଥା ହେଲା, ସମସ୍ତ ୧୩ ଜଣ ସୁରଟ ଫେରନ୍ତା ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ତେଣୁ ସଂକ୍ରମଣର ଭୟ ସେତେଟା ନାହିଁ । ସେହିପରି ମହାରାଷ୍ଟ୍ରରୁ ଫେରିଥିବା ଜଣେ ଆକ୍ରାନ୍ତ ମଧ୍ୟ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ମାତ୍ର ଅନୁଗୁଳ ସହରରେ ଚିହ୍ନଟ ହୋଇଥିବା ଜଣେ ଯୁବକଙ୍କୁ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି । ସମ୍ପୃକ୍ତ ଯୁବକଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି ତାହାର ସ୍ପଷ୍ଟ ଚିତ୍ର ଆସି ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ଜିଲ୍ଲା ପ୍ରଶାସନର ସୂଚନା ମୁତାବକ, ରବିବାର ଭୋର୍ରୁ ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସଂକ୍ରମିତଙ୍କ ମଧ୍ୟରେ ଆଠମଲ୍ଲିକ ବ୍ଲକ୍ରୁ ସର୍ବାଧିକ ୬ ଜଣ ରହିଛନ୍ତି । ଛେଣ୍ଡିପଦା ବ୍ଲକ୍ରୁ ୨ ଜଣ ହୋଇଥିବା ବେଳେ ବଅଁରପାଳରୁ ୨, ପାଲଲହଡ଼ା ବ୍ଲକ୍ରୁ ଜଣେ, ଅନୁଗୁଳ ବ୍ଲକ୍ରୁ ଜଣେ ଓ ଅନୁଗୁଳ ପୌରାଞ୍ଚଳରୁ ଜଣେ ବୋଲି ଜଣାପଡ଼ିଛି । ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲାରୁ ଆଉ ଦୁଇ ଜଣଙ୍କ ନମୁନା ପଜିଟିଭ୍ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଛି । ଦୁଇ ପଜିଟିଭ୍ ସୁରଟ ଫେରନ୍ତା, ଆଠମଲ୍ଲିକ ବ୍ଲକ୍ର ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଏହି ଦୁଇ ଜଣଙ୍କୁ ମିଶାଇ ଆଠମଲ୍ଲିକ ବ୍ଲକ୍ରୁ ୮ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି ।
ଏହି ପ୍ରବାସୀମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଫସି ରହିଥିଲେ । ଲକ୍ଡାଉନ୍ କୋହଳ ହେବା ପରେ ସରକାର ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳକୁ ଆସିଥିଲେ ୫୬ ପ୍ରବାସୀ । ସ୍ୱତନ୍ତ୍ର ବସ୍ରେ ପହଞ୍ଚିବା ପରେ ସ୍କ୍ରିନିଂ କରି ସମସ୍ତଙ୍କୁ ସେମାନଙ୍କ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ପରେ ସମସ୍ତଙ୍କ ସ୍ୱାବ୍ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ରକ୍ତ ନମୁନା ପଜିଟିଭ୍ ଆସିଛି । ଚିକିତ୍ସା ପାଇଁ ସମସ୍ତଙ୍କୁ ତାଳଚେର କୋଭିଡ୍-୧୯ ହସ୍ପିଟାଲ୍କୁ ପଠାଇବା ପରେ ସମସ୍ତ ସଙ୍ଗରୋଧ କେନ୍ଦ୍ରକୁ ବିଶୋଧନ କରାଯିବ ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି । ଯେହେତୁ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ, ତେଣୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଘୋଷଣା କରାଯିବ ନାହିଁ । କେବଳ ପ୍ରାଥମିକ ପର୍ଯ୍ୟାୟରେ ସଙ୍ଗରୋଧ କେନ୍ଦ୍ରକୁ ନିଷେଧାଞ୍ଚଳ କରାଯାଇ ଭଲ ଭାବେ ବିଶୋଧନ କରାଯିବ । ପରେ ସେଠାରେ ଅନ୍ୟ ପ୍ରବାସୀମାନଙ୍କୁ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଅନୁଗୁଳ ପୌରାଞ୍ଚଳରେ ଚିହ୍ନଟ ହୋଇଥିବା ଯୁବକଙ୍କୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି । ସମ୍ପୃକ୍ତ ଯୁବକ ଭୁବନେଶ୍ୱରରେ ରହନ୍ତି । ଗତ ୫ ତାରିଖରେ ଅନୁଗୁଳସ୍ଥିତ ଘରକୁ ଫେରିଥିଲେ । ସାହି ବାସିନ୍ଦା ବିରୋଧ କରିବାରୁ ପ୍ରଶାସନ ବୁଝାସୁଝା କରି ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଥିଲା । ଏଥିସହିତ ୬ ତାରିଖ ଦିନ ତାଙ୍କ ସ୍ୱାବ୍ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ପ୍ରଶାସନ ନଜରରେ ସେ କ୍ୱାରେଣ୍ଟାଇନ୍ରେ ଥିବା କୁହାଯାଉଥିବା ବେଳେ ସମ୍ପୃକ୍ତ ଯୁବକ ବାହାରେ ବୁଲିବା ସହ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍ଥାନୀୟ ଲୋକ ଛାନିଆ ହୋଇପଡ଼ିଛନ୍ତି । ପ୍ରଶାସନ ସମ୍ପୃକ୍ତ ଯୁବକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି । ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ହେବ । କଣ୍ଟାକ୍ଟ ଟ୍ରେସିଂ ଶେଷ ହେବା ପରେ ସମ୍ପୃକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons