ରେମୁଣା,(ବି.ବି.ନୁ୍ୟଜ୍): ଚଳିତ ମାସ ୧୪ ତାରଖ ଦିନ ରେମୁଣା, ସହଦେବଖୁଣ୍ଟା ଥାନା ପୁଲିସ ଡିଏସପି ମନୋଜ ରାଉତଙ୍କ ନେତୃତ୍ୱରେ ଅନ୍ତଃରାଜ୍ୟ ଡକାୟତ ଈଶ୍ୱର ମହାଳିକର ରେମୁଣା ଶ୍ୟାମରାଇପୁର ସ୍ଥିତ ବାସଭବନରେ ଚଢଉ କରି ବହୁ କଷ୍ଟରେ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ସେହି ଘଟଣାର ତଦନ୍ତ ଚାଲିଥିବା ବେଳେ କିଛି ଅଧିକ ସୁରାକ ପାଇ ରବିବାର ଅପରାହ୍ଣରେ ପୁଣି ଈଶ୍ୱର ଘରେ ପୁଲିସ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଘର ମଧ୍ୟରୁ ୩ଟି ହାତ ବୋମା, ୧୨ଟି ତେଲେଙ୍ଗା କଟୁରି, ଗୋଟିଏ ପୁଲିସ ସାଇରନ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଅଧିକ ତଦନ୍ତ ପାଇଁ ଈଶ୍ୱରର ସ୍ତ୍ରୀ ଜୟନ୍ତୀ ମହାଳିକ ଓ ଝିଅ ପିଙ୍କିକୁ ପୁଲିସ ଗିରଫ କରି ନେଇଥିବା ବେଳେ ୩ ଅଭିଯୁକ୍ତ ପିଙ୍କୁ, ବିକି ଓ ଚାନ୍ଦି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ଯୋଗ୍ୟ, ଗତ ୧୩ ତାରିଖ ବିଳମ୍ୱିତ ରାତ୍ରିରେ ସହଦେବଖୁଣ୍ଟା ଥାନା ଅଧୀନ ଜାତୀୟ ରାଜପଥ ୧୬ନଂ ନହରପାଟଣା ବାରୁଣୀ ପୋଲ ନିକଟରେ ଭୁବନେଶ୍ୱର ସିଭିରମଣ କଲେଜର ଏକ ଛାତ୍ର ବୁଲେଟ୍ ନଂ ଡବ୍ଲୁ୍ୟବି ୦୬କୁ୍ୟ-୦୯୩୪ରେ କୋଲକାତା ଯାଉଥିବା ଶଙ୍କର ସାହୁ(୨୫)ଙ୍କୁ ଅଭିନବ ଉପାୟରେ ଈଶ୍ୱର ମହାଳିକ ଓ ତା’ର ପରିବାର ଲୁଟିଥଲେ । ନିଜ ଇଣ୍ଡିକା କାର୍ରେ ସ୍ତ୍ରୀ, ଝିଅ, ପୁଅକୁ ବସାଇ ବୁଲେଟ୍କୁ ଅତିକ୍ରମ କରିଥିଲା ଏବଂ ସମ୍ମୁଖରେ ହଠାତ୍ କାର ରଖି ସାହାଯ୍ୟ ମାଗିଥିଲା ଈଶ୍ୱର । କୌଣସି ଜରୁରି ଥିବା ମନେ କରି ବୁଲେଟ୍ ଆରୋହୀ ଶ୍ରୀ ସାହୁ ଗାଡ଼ି ରଖିଥିଲେ । ତତ୍କ୍ଷଣାତ କାର୍ ଭିତରୁ ଈଶ୍ୱରର ସ୍ତ୍ରୀ, ୨ ଝିଅ ଓ ପୁଅ ବାହାରି ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଠାରୁ କିଛି ଟଙ୍କା, ମୋବାଇଲ ସହିତ ବୁଲେଟ୍ଟିକୁ ଛଡ଼ାଇ ପଳାଇ ଯାଇଥିଲେ । ଏନେଇ ସହଦେବଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଥିଲା । ତହିଁ ପର ଦିନ ଭୋର ୪ଟାରୁ ସହଦେବଖୁଣ୍ଟା ଥାନା ପୁଲିସ ଓ ରେମୁଣା ପୁଲିସ୍ ମିଳିତ ଚଢଉ ଜାରି ରଖିଥିଲେ । ଚଢ଼ଉ ବେଳେ ଈଶ୍ୱର ୨ତାଲା ଛାତ ଉପରେ ରହି ପିସ୍ତଲ ଦେଖାଇବା ସହିତ ପୁଲିସ ଉପରକୁ ହାତ ତିଆରି ବୋମା, ବିୟର ବୋତଲ, ଗରମ ପାଣି, କାଚ ଓ ପଥର ଫିଙ୍ଗି ଥିଲା । ଦୀର୍ଘ ୫ଘଣ୍ଟା ଧରି ପୁଲିସ ଓ ଈଶ୍ୱରର ଲୁଚକାଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶେଷରେ ଈଶ୍ୱର ପୁଲିସ ହାତରେ ଧରା ଦେଇଥିଲା । ତେବେ ପୁଲିସ ଜ୍ୱାଇଁ ପୁଅ ପରି ତାକୁ ଗାଡ଼ି ଭିତରେ ବସାଇ ନେଇ ଯାଇଥିଲା । ଏ ନେଇ ସହଦେବଖୁଣ୍ଟା ଥାନାରେ ନଂ୧୬୨/୨୦ରେ ମାମଲା ୩୯୫, ୩୯୭, ଆଇପିସି ମୂଳେ ରୁଜୁ ହୋଇଛି । ଏହି ଚଢ଼ଉରେ ବାଲେଶ୍ୱର ଡିଏସପି ମନୋଜ ରାଉତ, ସହଦେବଖୁଣ୍ଟା ଆଇଆଇସି କୃଷ୍ଣ ଚନ୍ଦ୍ର ପଲେଇ, ରେମୁଣା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ସମେତ ଓଡିଆରଏଏଫ୍ ଓ ସ୍ଥାନୀୟ ଯୁବକମାନେ ସାମିଲ ଥିଲେ ।
Comments are closed, but trackbacks and pingbacks are open.