ବାଲେଶ୍ୱର,(ବି.ବି.ନୁ୍ୟଜ୍):ଟାଉନ ଥାନା ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଡକାୟତି କରୁଥିବା ଏକ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ପର୍ଦ୍ଧଫାସ କରିଛି । ପୃଥକ ୨ଟି ଲୁଟ୍ ଘଟଣାରେ ଜଡ଼ିତ ଥିବା ଏହି ଗ୍ୟାଙ୍ଗର ୫ଜଣଙ୍କ ସମେତ ପୁଲିସ୍ ୭ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୩୯ ହଜାର ଟଙ୍କା ଓ ୧୫ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ ସୁନ୍ଦରି ଅଞ୍ଚଳର ପ୍ରଶାନ୍ତ ଦାସ(୩୭), ଟାଉନଥାନା ଅନ୍ତର୍ଗତ ମାନସିଂବଜାର ଅଞ୍ଚଳର ମକରା ଦଳେଇ(୨୩), ଆକତପୁରର ରବିନାରାୟଣ ବେହେରା(୨୪), ସୁନହଟ ଅଞ୍ଚଳର ଅଶୋକ କୁମାର ମଲ୍ଲିକ(୨୨), ସଦରଥାନା ଅନ୍ତର୍ଗତ ଛେଳିପଦାର ଦୀପକ ବେହେରା(୨୩), ରେମୁଣା ଥାନା ଅନ୍ତର୍ଗତ ଦୁର୍ଗାଦେବୀ ଅଞ୍ଚଳର ଅନନ୍ତ ସାହୁ(୫୦), ରୁପସା ଥାନା ଅନ୍ତର୍ଗତ ଆଗରିଆ ଅଞ୍ଚଳର ସୁବ୍ରତ ଗିରି(୨୦) । ଏହି ଘଟଣାରେ ଟାଉନଥାନା ଅନ୍ତର୍ଗତ ମାନସିଂ ବଜାର ଅଞ୍ଚଳର ରଞ୍ଜନ ବେହେରା ଫେରାର ଅଛି ।
ଘଟଣାରୁ ପ୍ରକାଶ, ଏହି ଗ୍ୟାଙ୍ଗ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି ଓ ଲୁଟ୍ କରୁଥିଲେ । ତେବେ ଭୋଇସାହିର ବୁଢ଼ୀମଙ୍ଗଳା ମନ୍ଦିର ନିକଟସ୍ଥ ସଙ୍ଘମିତ୍ରା ବେହେରାଙ୍କ ଘରେ ଗତ ୨୭ ତାରିଖରେ ଚୋରି ହୋଇଥିଲା । ସଙ୍ଘମିତ୍ରା ତାଙ୍କ ସର୍ମ୍ପକୀୟଙ୍କ ଘରକୁ ଯାଇଥିବାବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ ତାଙ୍କ ଘରର କବାଟ ଭାଙ୍ଗି ଗୋଟିଏ ସୁନା ମୁଦି ଓ ନଗଦ ୨ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ କରିଥିଲେ । ଏନେଇ ଟାଉନ ଥାନାରେ କେସ ନଂ ୧୯୬/୧୯ ରେ ମାମଲା ରୁଜୁ ହୋଇଥିଲା ।
ଅନୁରୂପଭାବେ ଗତ ୨୭ ଓ ୨୮ ତାରିଖ ରାତିରେ ସୁନହଟ ନିକଟସ୍ଥ କନଦୁର୍ଗା ମନ୍ଦିର ଅଞ୍ଚଳରୁ ଜୟନ୍ତୀ ପ୍ରଧାନଙ୍କ ଘରୁ ଚୋରି ହୋଇଥିଲା । ଜୟନ୍ତୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ତାଙ୍କ ପରିବାର ଲୋକେ ସେଠାରେ ଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ତାଙ୍କ ଘରୁ ୩୭ ହଜାର ୧୦୦ ଟଙ୍କା ସମେତ ୧୫ ଲକ୍ଷ ଟଙ୍କାର ସୁନାରୁପା ଅଳଙ୍କାର, ମୋବାଇଲ, ଲାପଟପ୍ ଭଳି ବିଭିନ୍ନ ସାମଗ୍ରୀ ଲୁଟି ଥିଲେ । ଜୟନ୍ତୀଙ୍କ ଭାଇ ପରମେଶ୍ୱର ପ୍ରଧାନଙ୍କ ଅଭିଯୋଗକ୍ରମେ ଥାନାରେ ଏନେଇ ୧୯୮/୧୯ ଅନୁଯାୟୀ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା ।
ଏହି ଦୁଇଟି ଅଭିଯୋଗ ଆସିବା ପରେ ଟାଉନଥାନା ଆଇଆଇସି ସରୋଜିନୀ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଝାନ୍ଭିନ୍ କରିଥିଲା । ବିଶେଷ ସୂତ୍ରରୁ ଖବର ପାଇ ପ୍ରଥମେ ରବିନାରାୟଣ ବେହେରାଙ୍କୁ ଘରୁ ଉଠାଇ ଆଣିଥିଲା । ଜେରା ବେଳେ ରବି ଏହି ଗ୍ୟାଙ୍ଗ ବିଷୟରେ ସୂଚନା ଦେଇଥିଲା । ପରେ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ଗରିଫ ୭ ଅଭିଯୁକ୍ତଙ୍କ ମଧ୍ୟରୁ ଅନନ୍ତ ଅଳଙ୍କାର ବ୍ୟବସାୟୀ ଥିଲେ । ଲୁଟେରାମାନେ ତାଙ୍କ ନିକଟରେ ଅଳଙ୍କାର ବିକିଥିଲେ । ସେହିଭଳି ସୁବ୍ରତ ନିକଟରୁ ଲାପଟପ୍ ବ୍ୟତୀତ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମ ଡିଏସ୍ପି ଉମେଶ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଟାଉନଥାନା ଅଧିକାରୀ ସରୋଜିନୀ ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।


Comments are closed, but trackbacks and pingbacks are open.