ଅନ୍ଧାରରେ ଜିଲ୍ଲାର ୩୧୩ ଗାଁ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଗାଁର ନାଁ ଜାଙ୍ଗିଲିପଡ଼ା । ଛତିଶଗଡ଼ ସୀମାକୁ ଲାଗି ରହିଛି ଚନ୍ଦାହାଣ୍ଡି ବ୍ଲକ୍ର ଏହି ଗାଁ । ସଞ୍ଜ ନଇଁଲେ ଏଠି ରାଜୁତି କରୁଛି ଅନ୍ଧାର । ଆଜି ପର୍ଯ୍ୟନ୍ତ ଗାଁରେ ଜଳିନି ବିଜୁଳି ଆଲୁଅ । ଝିଅ ବାହା ଦେବାକୁ ରାଜି ହେଉନାହାନ୍ତି ଲୋକେ । ବନ୍ଧୁବାନ୍ଧବଙ୍କ ଚାପରେ ଯଦି କେହି ବିବାହ କରୁଛି ଏବଂ ଯୌତୁକରେ ଟିଭି, କୁଲର ଏବଂ ଫ୍ୟାନ୍ ଆଣୁଛି – ସେଗୁଡିକ ସେମିତି ବନ୍ଧା ହୋଇ ରହୁଛି । ବର୍ଷ ବର୍ଷ ଧରି ପଡ଼ିରହୁଛି ଘରର କେଉଁ ଏକ କୋଣରେ । ସାମାନ୍ୟ ମୋବାଇଲ୍ ଏବଂ ଲାଇଟ୍ ଚାର୍ଜ କରିବା ଲାଗି ନିର୍ଭର କରିବାକୁ ପଡୁଛି ପଡୋଶୀ ଛତିଶଗଡ ଉପରେ । ତା ପାଇଁ ଗଣିବାକୁ ପଡୁଛି ଟଙ୍କା । ଏହାଠୁ ଦୁର୍ଭାଗ୍ୟର ବିଷୟ ଆଉ କ’ଣ ବା ହୋଇପାରେ । କେବଳ ଏହି ଗୋଟିଏ ଗାଁ ନୁହେଁ, ଜିଲ୍ଲାର ୩୧୩ ଗାଁ ଲୋକଙ୍କ ଅବସ୍ଥା ଏଇୟା । ତଥାପି ଡିଜିଟାଲ୍ ଇଣ୍ଡିଆର କଥା କହୁଛନ୍ତି ସରକାର ।
ଜାଙ୍ଗିଲିପଡାରେ ରହୁଛନ୍ତି ୪୦ ପରିବାର । ଗାଁରେ ରହିଛି ଲମ୍ବା ଲମ୍ବା ପୁରୁଣାକାଳିଆ ଘର । ଗୋଟିଏ ଗୋଟିଏ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୨ରୁ ୩ ପରିବାର । ଆଜିପର୍ଯ୍ୟନ୍ତ ସେମାନଙ୍କ ଭାଗ୍ୟରେ ବିଜୁଳି ଆଲୁଅ ଜୁଟିନି । ଏହି କାରଣରୁ ବାହାର ଲୋକେ ଏଠାରେ ଝିଅ ବାହା ଦେବାକୁ କିମ୍ବା ବନ୍ଧୁ ବାନ୍ଧିବାକୁ ରାଜି ହେଉନାହାନ୍ତି । ଯେଉଁମାନେ ସମ୍ପର୍କୀୟଙ୍କ ଚାପରେ ବାହା ହେଉଛନ୍ତି, ସେମାନଙ୍କ ଜୀବନ ଦୁର୍ବିଷହ ହୋଇପଡୁଛି । ଯୌତୁକ ଆକାରରେ ଆଣିଥିବା ଟିଭି, ଫ୍ରିଜ୍ ଏବଂ କୁଲର ଅଚଳ ହୋଇ ପଡିରହୁଛି । ଉଦାହରଣ ସ୍ୱରୂପ ଗାଁର ଚନ୍ଦ୍ର ନାୟକ । ୪ ବର୍ଷ ତଳେ ବିବାହ କରିଥିଲେ । ଯୌତୁକରେ ଆଣିଥିବା ଟିଭି ଓ କୁଲରରୁ ଏଯାଏଁ ପଲିଥିନ୍ କଭର୍ ହଟିନାହିଁ । ଅଧିକାଂଶ ସମୟରେ ଗାଁଠାରୁ ଶହେ ମିଟର ଦୂରରେ ଥିବା ଛତିଶଗଡ଼ର ବନ୍ଧ୍ୟାମାଲ ଗାଁ ଉପରେ ନିର୍ଭର କରୁଛନ୍ତି ଏଠାକାର ଲୋକେ । ମୋବାଇଲ୍ ଏବଂ ଲାଇଟ୍ ଚାର୍ଜ କରିବା ଲାଗି ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଗଣୁଛନ୍ତି ।
ଏବେ ବଢିଚାଲିଛି ତାତି । ଗ୍ରୀଷ୍ମ ପ୍ରବାହରେ ଡହଳବିକଳ ହେଉଛି ଜୀବନ । ଏଠାରେ କିନ୍ତୁ ପଙ୍ଖାଟିଏ ବୁଲୁନାହିଁ । ନେତା, ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଗୁହାରି କରି କରି ଥକି ପଡିଛନ୍ତି ଗାଁ ଲୋକେ । ଏକବିଂଶ ଶତାବ୍ଦୀରେ ପାଦଦେଇ ସେମାନେ ଅନ୍ଧାରୀ ଜୀବନ ବିତାଉଥିବା କ୍ଷୋଭର ସହ କହିଛନ୍ତି ଗାଁର କେଶବ ନାୟକ, ସୁନ୍ଦରଲାଲ ନାୟକ ଓ ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ । ତେବେ କେବଳ ଜାଙ୍ଗିଲିପଡା ନୁହେଁ, ଜିଲ୍ଲାର ଏମିତି ୩୧୩ଟି ପଡା ଗାଁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ ରହିଛି । ସେ ଭିତରେ ରହିଛି ତେନ୍ତୁଳିଖୁଣ୍ଡି ବ୍ଲକ୍ର ୧୮, ଚନ୍ଦାହାଣ୍ଡିର ୮୧, ଝରିଗାଁର ୫୩, କୋଷାଗୁମୁଡାର ୩, ନନ୍ଦାହାଣ୍ଡିର ୪, ପାପଡହାଣ୍ଡିର ୧୭, ରାଇଘରର ୪୪ ଓ ଉମରକୋଟ ବ୍ଲକ୍ର ୯୨ ଗାଁ । ସରକାରଙ୍କ ମାଳ ମାଳ ଯୋଜନା ରହିଛି । କିନ୍ତୁ ବିଦୁ୍ୟତ୍କରଣ ଦିଗରେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ଯୋଜନାକୁ ଏଠାରେ କାର୍ଯ୍ୟକାରୀ କରାଯାଇନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons