ବ୍ୟାସନଗର,(ବି.ବି.ନୁ୍ୟଜ୍): କଳିଙ୍ଗନଗର ଶିଳ୍ପାଞ୍ଚଳ ରାଜଧାନୀ ପାଲଟିଥିବା ଯାଜପୁର ରୋଡ ଏବେ ଅପରାଧୀଙ୍କ ଟାର୍ଗେଟ୍ରେ । ଦୁଇଦିନ ତଳେ ଯାଜପୁର ରୋଡ ପୁଲିସ ରମ୍ପାସ ନିକଟରୁ ୪ଜଣ ଡକାୟତଙ୍କୁ କାବୁ କରିଥିବା ବେଳେ ଆଜି ପୁଣି ୪ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି । ପୁଲିସ ହାତରେ ଧରାପଡ଼ିଥିବା ଡ଼କାୟତ ଯାଜପୁର ଜିଲ୍ଲା ସହିତ କେନ୍ଦୁଝର ଜିଲ୍ଲାରେ ଘଟିଥିବା ଚୋରି ଏବଂ ଡକାୟତି ମାମଲାରେ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି ।
ଏ ସଂପର୍କରେ ଆଜି ଏସ୍ପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨ଦିନ ତଳେ ଧରାପଡ଼ିଥିବା ୪ଡକାୟତଙ୍କ ସୂଚନା ଏବଂ ପୁଲିସର ଖୁଫିଆ ଏଜେନ୍ସି ଜରିଆରେ ଆଉ ୪ଜଣ ଡକାୟତଙ୍କୁ ଯାଜପୁର ରୋଡ ପୁଲିସ ଧରିବାରେ ସଫଳ ହୋଇଥିବା ଏସ୍ପି ଶ୍ରୀ ମୀନା ପ୍ରକାଶ କରିଥିଲେ । ଗିରଫ ଅଭିଯୁକ୍ତମାନେ ଯାଜପୁର ଜିଲ୍ଲାର କଳିଙ୍ଗନଗର(୪ଟି ମାମଲା), ଯଖପୁରା(୫ଟି ମାମଲା), ଯାଜପୁର ରୋଡ(୫ଟି ମାମଲା) ଏବଂ କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଧୀନରେ ଘଟିଥିବା ଏକାଧିକ ଅପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି । ଗିରଫମାନେ ହେଲେ ଦାନଗଦୀର ବାଇଧର ସେଠୀଙ୍କ ପୁଅ ବାଉନା ଓରଫ ପପୁ(୨୧), ମାନଗୋବିନ୍ଦପୁର କେଶବ ପାତ୍ରଙ୍କ ପୁଅ ମିଲୁ ଓରଫ ନିଲୁ(୨୬), ଉଦୟ ପାତ୍ରଙ୍କ ପୁଅ ଆକାଶ ଏବଂ ଯଖପୁରାର ଶାନ୍ତନୁ ସେଠୀଙ୍କ ପୁଅ ଗୁଣ୍ଡୁଆ ଓରଫ ସନ୍ତୋଷ(୨୫) । ସେମାନଙ୍କ ଠାରୁ ୨ଟି ବୋମା, ଗୋଟିଏ ଖଣ୍ଡା, ଗୋଟିଏ ଖେଳଣା ପିସ୍ତଲ, ଗୋଟିଏ ରଡ, ଘର ଭାଙ୍ଗିବା ଯନ୍ତ୍ରାଂଶ, ନକ୍ସା, ମଙ୍କି କ୍ୟାପ୍, ଦୁଇଟି ବାଇକ ଏବଂ ୪ଟି ମୋବାଇଲ ଜବତ୍ କରାଯାଇଛି ।
ଏସ୍ପି ଶ୍ରୀ ମୀନାଙ୍କ ସୂଚନା ମୁତାବକ, ବ୍ୟାସନଗର ମହାବିଦ୍ୟାଳୟ ପଛପଟେ ଥିବା ଏକ ପଡ଼ିଆରେ ୬ଜଣ ଡକାୟତ ବସି ଡକାୟତି ଯୋଜନା କରୁଥିବା ସମ୍ପର୍କରେ ଖବର ପାଇ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରିଥିଲା । ସେଠାରୁ ୪ଜଣଙ୍କୁ ଧରିଥିଲେହେଁ ଅନ୍ଧାରର ସୁଯୋଗ ନେଇ ଆଉ ୨ଜଣ ଖସିଯିବାକୁ ସକ୍ଷମ ହୋଇଥିଲେ । ସେମାନଙ୍କ ଠାରୁ ମିଳିଥିବା ଏକ ନକ୍ସା ଏବଂ ମୋବାଇଲରୁ ପୁଲିସ ଡକାୟତି ଯୋଜନା ସମ୍ପର୍କରେ ପ୍ରମାଣ ପାଇଥିଲେ । ଯାଜପୁର ରୋଡର ଗୋପବନ୍ଧୁ ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଲୁଟ କରିବା ପାଇଁ ଏହି ଡକାୟତି ଦଳ ଯୋଜନା କରିଥିଲେ ।ସେଥିପାଇଁ କେଉଁ ଦିଗରୁ କିପରି ଯାଇ ଲୁଟ କରାଯିବ ଏବଂ ସେଠାରୁ କିଭଳି ଭାବେ ଚମ୍ପଟ ମାରିବେ ତାହାର ସମ୍ପୂର୍ଣ୍ଣ ବିବରଣୀ ଏହି ନକ୍ସାରେ ରହିଥିଲା । ଯାହାକୁ ନେଇ ପୁଲିସ ଖୋଳତାଡ଼ କରିବା ପରେ ଏହି ୪ଜଣଙ୍କ ବିଭିନ୍ନ ଡକାୟତି ମାମଲାରେ ସଂପୃକ୍ତି ଜଣାପଡ଼ିବା ସହିତ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା । ବିଶେଷ କରି ଯାଜପୁର ରୋଡ ଥାନା ଧବଳଗିରି ଏବଂ କୁସୁନପୁରଠାରେ ଘଟିଥିବା ଦୁଇଟି ଛିନତାଇ ମାମଲାରେ ଦୁଇଟି ସୁନା ଚେନ୍ ଉଦ୍ଧାର କରାଯାଇଥିବା ବେଳେ ବାଇକ୍ ଚୋରି ମାମଲାରେ ବାଇକକୁ ମଧ୍ୟ ପୁଲିସ ସେମାନଙ୍କ ଠାରୁ ଉଦ୍ଧାର କରିଛି । କେବଳ ସେତିକି ନୁହେଁ ସେମାନଙ୍କ ଠାରୁ ପ୍ରାୟ ୧୩ଟି ଚୋରି ମୋବାଇଲ ମଧ୍ୟ ପୁଲିସ ଉଦ୍ଧାର କରିଛି । ଧରାପଡ଼ିଥିବା ୪ଜଣଙ୍କ ମଧ୍ୟରୁ ବାଉନା ଏବଂ ମିଲୁ କଳିଙ୍ଗନଗର ଏବଂ କେନ୍ଦୁଝର ଜିଲ୍ଲାର ଘସିପୁରା ପୁଲିସର ୱାଣ୍ଟେଡ୍ ତାଲିକାରେ ଥିବା ଏସ୍ପି ଶ୍ରୀ ମୀନା ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ୨ଜଣଙ୍କୁ ପୁଲିସ ପରବର୍ତ୍ତୀ ଅବସ୍ଥାରେ ଧରିବାକୁ ଯୋଜନା କରିବ ବୋଲି ଏସପି ଶ୍ରୀ ମୀନା ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ ଏସଡିପିଓ କେଦାର ନାଥ ସାହୁ, ଥାନା ଅଧିକାରୀ ଅନିଲ କୁମାର ମହାନ୍ତି, ଏସ୍ଆଇ ପବିତ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.