ଭୁବନେଶ୍ୱର/ମାଲକାନଗିରି,(ବି.ବି.ବୁ୍ୟରୋ): ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜାନୁଆରୀ ମାସରେ ଚାଲିଥିବା ଏକ ବଡ଼ କମ୍ବିଂ ଅପରେସନ ସଫଳ ହୋଇଛି । ବିଏସ୍ଏଫ, ସିଆର୍ପିଏଫ୍ ‘କୋବ୍ରା’ ଆଉ ଆନ୍ଧ୍ରପ୍ରଦେଶ ପୁଲିସର ‘ଗ୍ରେ ହାଉଣ୍ଡ’ ଟିମ୍ ସହାୟତାରେ ଏହି ଅପରେସନ ଜରିଆରେ ସ୍ୱାଭିମାନ ଅଞ୍ଚଳର ପ୍ରାୟ ୭୦ ପ୍ରତିଶତ ଏରିଆକୁ ମାଓ-ମୁକ୍ତ କରାଯାଇଛି । ଅପରେସନ ପରେ ବିପୁଳମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୁଳା ପୁଲିସ ହାତରେ ଲାଗିଛି । ଇନଶାସ ଲାଇଟ ମେସିନ ଗନ୍ ଆଉ ଅପ୍ଟିକାଲ ସାଇଟ୍ସ ଭଳି ବନ୍ଧୁକ ବି ଜବତ ହୋଇଛି । ଯାହାକି, ବିଗତ ଦିନରେ ପୁଲିସଠାରୁ ମାଓବାଦୀମାନେ ଲୁଟିଥିଲେ ବୋଲି କହିଛନ୍ତି ପୁଲିସ ଡିଜି ଅଭୟ ।
କମିଶନରେଟ୍ ମୁଖ୍ୟାଳୟର କ୍ୟାମ୍ପ ଅଫିସରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଡିଜି ଅଭୟ କହିଛନ୍ତି, ସ୍ୱାଭିମାନ ଅଞ୍ଚଳରେ ଲାଲ୍ ବାହିନୀ ଦୀର୍ଘଦିନ ହେଲା ଆତଙ୍କ ଖେଳାଇ ଆସୁଥିଲେ । ଏହି ଅପରେସନ ପରେ ମାଓବାଦୀଙ୍କ ଦେଶବିରୋଧୀ କାର୍ଯ୍ୟକଳାପକୁ ଏକ ଶକ୍ତ ଧକ୍କା ଲାଗିଛି । ସ୍ୱାଭିମାନ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ମାଓ ବିରୋଧୀ ମନୋଭାବ ବଢ଼ିଛି । ଦୁର୍ଗମ ଅଞ୍ଚଳକୁ ରାସ୍ତା ଫିଟିଛି । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚାଲିଥିବା ପ୍ରୟାସରେ ମଧ୍ୟ ସହାୟତା ମିଳିଛି । ସଫଳ ଅପରେସନ ପଛରେ ବିଏସ୍ଏଫ୍ ଓ ସିଆରପିଏଫ୍ ଜବାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆନ୍ଧ୍ର ପୁଲିସକୁ ଏନେଇ ଧନ୍ୟବାଦ ଜଣାଉଛୁ ।
ମାଓ କ୍ୟାମ୍ପରୁ ମିଳିଥିବା ଦସ୍ତାବିଜ୍ ଭିତ୍ତିରେ ଜଏଣ୍ଟ ଟିମ୍ ଉକ୍ତ ଇଲାକାରେ ଚକ୍କର କାଟିଥିଲା । ୨-୩ ଦିନ ଧରି ହନ୍ତଳଗଡ଼ା, ଯନ୍ତ୍ରୀ, ବୁରାସେତୁ, ଆନ୍ଧ୍ରାପାଲ୍ଲୀ ଭଳି ଅଞ୍ଚଳରେ ଖାନତଲାସି ଚାଲିଥିଲା । ଏହି ସର୍ଚ୍ଚ ଅପରେସନରେ ଜଙ୍ଗଲର ମାଟି ତଳେ ଲୁଚାଯାଇଥିବା ବିପୁଳମାତ୍ରାରେ ଅସ୍ତ୍ରଶସ୍ତ୍ର ଠାବ କରାଯାଇଛି ।
ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକ ହେଲା, ଗୋଟିଏ ଇନ୍ଶାସ ଲାଇଟ୍ ମେସିନ୍ ଗନ, ୩ଟି ଇନଶାସ୍ ରାଇଫଲ, ୩ଟି କାରବାଇନ ଷ୍ଟେନଗନ, ଗୋଟିଏ ଏସଏଲଆର ରାଇଫଲ, ଗୋଟିଏ ୩୦୩ ରାଇଫଲ, ଗୋଟିଏ ପିସ୍ତଲ, ୨୦୨ଟି ୫.୫୬ ଏମଏମ ଗୁଳି, ୫୯ଟି ୭.୬୨ ଗୁଳି, ୪୨ଟି ୯ ଏମଏମ ଗୁଳି, ୪ଟି ଏଲଏମଜି ମାଗାଜିନ, ୮ଟି ଇନଶାସ ମାଗାଜିନ, ୨ଟି ଏସଏଲଆର ମାଗାଜିନ, ୬ଟି କାରବାଇନ ମାଗାଜିନ, ଗୋଟିଏ ୩୦୩ ମାଗାଜିନ, ୨ଟି ଭିଏଚ୍ଏଫ ସେଟ୍, ସ୍କାନର, ଗୋଟିଏ ଅପ୍ଟିକାଲ ସାଇଟ୍, ଗୋଟିଏ ଟିଫିନ୍ ବୋମା, ୧୦୦ ଗ୍ରାମ ଗନପାଉଡର, ୫ ବଣ୍ଡଲ କୋରଡେକ୍ସ ତାର, ଗୋଟିଏ ବଣ୍ଡଲ ଫ୍ଲେକ୍ସି ତାର, ୪ଟି ମାଗାଜିନ ପାଉଚ ଓ ଗୋଟିଏ ଫ୍ଲାଶ ଲାଇଟ୍ । ଏଗୁଡ଼ିକ ମଧ୍ୟରୁ ଅନେକ ଅସ୍ତ୍ରଶସ୍ତ୍ର ଅତୀତରେ ପୁଲିସଠାରୁ ଲୁଟ୍ ହୋଇଥିବା ଅନୁମାନ କରାଯାଉଛି ।
ତେବେ ସ୍ୱାଭିମାନ ଅଞ୍ଚଳର ଦକ୍ଷିଣାଞ୍ଚଳକୁ ସମ୍ପୂର୍ଣ୍ଣ ମାଓ-ମୁକ୍ତ କରାଯାଇଛି । ଏବେ ସ୍ୱାଭିମାନର ଉତ୍ତରାଞ୍ଚଳ ଅର୍ଥାତ ଆନ୍ଧ୍ର ବର୍ଡର ସଂଲଗ୍ନ ଦୁର୍ଗମ ଜଙ୍ଗଲକୁ ଟାଗେର୍ଟ କରିଛି ଓଡିÿଶା ପୁଲିସ । ପୂର୍ବରୁ ବଡ଼ପଡ଼ାର ପାପେରମାଟଲାରେ ଏକ ଥାନା ଥିବା ବେଳେ ଏବେ ଆଉ ଏକ ଥାନା ଗଢ଼ିବାକୁ ଗୁରୁତ୍ୱ ଦିଆଯାଉଛି । କୁନ୍ତୁରପଦରେ ଥିବା ସେନା କ୍ୟାମ୍ପରେ ନିକଟ ଜୋଡାମ୍ବୋଠାରେ ଏକ ଅତ୍ୟାଧୁନିକ ଥାନା ନିର୍ମାଣ ହେବ । ଯାହାର ବଜେଟ୍ ଅଢେ଼ଇ କୋଟି ରହିଛି । ଦୁଇ ମହଲା ବିଶିଷ୍ଟ ଏହି ବିଲ୍ଡିଂର ଦ୍ୱିତୀୟ ମହଲାରେ ଜବାନଙ୍କ ପାଇଁ କ୍ୟାମ୍ପ ରହିବ । ପ୍ରଥମ ମହଲାରେ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ଅଫିସ ରହିବା ସହ ତଳ ମହଲାରେ ଗୋଳାବାରୁଦ ଗୋଦାମ ରହିବ । ୨୦୨୦ ଶେଷ ସୁଦ୍ଧା ସ୍ୱାଭିମାନ ଅଞ୍ଚଳ ମାଓ-ମୁକ୍ତ କରାଯିବାକୁ ଟାଗେର୍ଟ ରହିଥିବା ପୁଲିସ ସୂଚନା ଦେଇଛି ।
ସମ୍ମିଳନୀରେ ଗୁଇନ୍ଦା ସ୍ୱତନ୍ତ୍ର ଡିଜି ଡ. ସତ୍ୟଜିତ ମହାନ୍ତି, ଆଇଜି (ଅପରେସନ) ଅମିତାଭ ଠାକୁର, ସିଆର୍ପିଏଫ୍ ଆଇଜି ସଂଗ୍ରାମ କେଶରୀ ମହାନ୍ତି, ବିଏସ୍ଏଫ ଆଇଜି ହରବିନ୍ଦର, ଡିଆଇଜି (ଏସ୍ଆଇଡବ୍ଲୁ୍ୟ) ଅନିରୁଦ୍ଧ କୁମାର ସିଂହ ଓ ଅନ୍ୟ ବରିÂ ଅଧିକାରୀ ଉପସ୍ଥିତ ଥିଲେ ।
ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ଏକ ବଡ଼ ଟିମ୍ ଦୀର୍ଘ ଦିନ ହେଲା କ୍ୟାମ୍ପ ଚଳାଇଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ପୁଲିସ ଆରମ୍ଭ କରିଥିଲା ଅପରେସନ ସ୍ୱାଭିମାନ । ଦକ୍ଷିଣ-ଉତ୍ତରାଞ୍ଚଳ ଡିଆଇଜି ସେଫିନ୍ ଅହମ୍ମଦ କେ ଏହାର ନେତୃତ୍ୱ ନେଇଥିଲେ । ଜାନୁଆରୀ ୮ରୁ ୧୩ ତାରିଖ ଯାଏଁ ଏହି ଅପରେସନ ଚାଲିଥିଲା । ଜାନୁଆରୀ ୧୫ରେ ଗୋଇକୁଣ୍ଡା ଗାଁଠାରେ ପୁଲିସ ଓ ଡିଭିଏଫ ବାହିନୀ ସହ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥଲା । ପରେ ସର୍ଚ୍ଚ ଅପରେସନକୁ ଜୋର୍ଦାର୍ କରାଯାଇ ଏହି ସଫଳତା ମିଳିଛି ।
Comments are closed, but trackbacks and pingbacks are open.