
ମାଲକାନଗିରି, (ସତ୍ୟ ପ୍ରକାଶ ସାମଲ): ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓବାଦୀ ପୁଣି ଘଟାଇଛନ୍ତି ଏକ ବର୍ବରକାଣ୍ଡ । ଗତ ୨୧ତାରିଖରେ ବିଜାପୁର ଜିଲ୍ଲା ଗାଙ୍ଗୁଲର ଥାନା ପାଲନାଡ ଗାଁରେ ଆଦିବାସୀ ମେଳା ଦେଖିବାକୁ ଯାଇଥିବା ଡିଆରଜି ପୁଲିସ ଏସ୍ଆଇ ମୂରଲୀ ତାତିଙ୍କୁ ବନ୍ଧୁକ ଦେଖାଇ କେତେକ ମାଓବାଦୀ ଅପହରଣ କରି ନେଇଥିଲେ । ଏସ୍ଆଇଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ପନôୀ ଓ ଭାଇ ମାଓବାଦୀଙ୍କୁ ବହୁତ ଅନୁରୋଧ କରିବା ସତ୍ତେ୍ୱ ସେମାନେ ଛାଡ଼ି ନଥିଲେ । ଅପହରଣର ତିନିଦିନ ପରେ ଦୁଃଖଦ ଖବର ଆସିଛି । ପ୍ରଜାକୋର୍ଟରେ ହାଜର କରି ଏସ୍ଆଇ ଶ୍ରୀ ତାତିଙ୍କୁ ମାଓବାଦୀମାନେ ଶେଷରେ ମୃତୁ୍ୟଦଣ୍ଡ ଦେଇଛନ୍ତି । ତାଙ୍କୁ ନିର୍ମମ ଭାବେ ହତ୍ୟା କରି ନିକଟସ୍ଥ ପାଲନାଡ ଜଙ୍ଗଲରେ ମାଓବାଦୀମାନେ ମୃତଦେହକୁ ଫିଙ୍ଗିଦେଇ ପଳାଇଛନ୍ତି । ମୃତ ଶରୀରର ପେଟ ଉପରେ ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନ ପକ୍ଷରୁ ଏକ ଚିଠି ପକାଇ ଦିଆଯାଇଛି । ସେଥିରେ ଉଲ୍ଲେଖ ରହିଛି, ଏସ୍ଆଇ ତାତି ଜଣେ ପୁଲିସର ସୂଚନାଦାତା ଭାବେ କାମ କରି ଅନେକ ମାଓବାଦୀଙ୍କୁ ଗିରଫ କରାଇଛନ୍ତି । ତେଣୁ ତାଙ୍କୁ ପ୍ରଜାକୋର୍ଟରେ ମୃତୁ୍ୟଦଣ୍ଡ ଦିଆଗଲା ।
ଡିଆରଜି ସବ୍ଇନ୍ସପେକ୍ଟର ମୂରଲୀ ତାତି ଜଗଦଲପୁରଠାରେ କାର୍ଯ୍ୟ କରୁଥିଲେ । ସେ ଗତ ମାସେ ହେଲା ଛୁଟିରେ ବିଜାପୁର ଜିଲ୍ଲା ଗାଙ୍ଗୁଲର ଥାନା ପାଲନାଡ ଗାଁକୁ ଯାଇଥିଲେ । ପୂର୍ବରୁ ସେ ମାଓବାଦୀଙ୍କ ଟାର୍ଗେଟ୍ରେ ଥିଲେ । ପାଲନାଡ ଜଙ୍ଗଲରେ ଯବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି ।


Comments are closed, but trackbacks and pingbacks are open.