ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ କାଜୁ ଯୋଗାଇବା ବାହାନାରେ ଟଙ୍କା ଏବଂ କାର୍ ଲୁଟ୍ ଘଟଣାର ପର୍ଦ୍ଧାଫାସ କରିଛି ସଦର ପୁଲିସ । କାରବାରରେ ଲିପ୍ତ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ସେ ହେଲା ସହରର ପାରାବେଡ଼ା ବାସିନ୍ଦା ବାବୁଲି ମହାରଣା(୩୫) । ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି । ଲୁଟ ହୋଇଥିବା କାର୍ ଏବଂ ନଗଦ ୯୦ ହଜାର ଟଙ୍କା ଉଦ୍ଧାର କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୧ ତାରିଖରେ ଦିଲ୍ଲୀ ପଟପର୍ଗଞ୍ଜ ପାଣ୍ଡବନଗର ପ୍ରବୀଣ ରଞ୍ଜନ(୨୫) କାଜୁ କିଣିବା ଲାଗି ବାବୁଲି ସହ ଯୋଗାଯୋଗ କରିଥିଲେ । ଅଗ୍ରୀମ ଟଙ୍କା ଧରି ଆସିଲେ କାଜୁ ଯୋଗାଇ ଦିଆଯିବ ବୋଲି ବାବୁଲି କହିଥିଲା । ବାବୁଲି ବ୍ୟାଙ୍କ ଆକାଉଣ୍ଟରେ ୯୦ ହଜାର ଟଙ୍କା ଅଗ୍ରୀମ ପଇଠ କରିଥିଲେ ପ୍ରବୀଣ । ୨ ତାରିଖରେ କାର୍(ଏଚ୍ଆର ୨୬ ଡିଏ-୬୭୮୬) ଧରି ପ୍ରବୀଣ ବାହାରିଥିଲେ । ସେ ୪ରେ ଜୟପୁରରେ ପହଞ୍ଚିବା ପରେ ୫ ତାରିଖ ଅପରାହ୍ନ ୫ଟାରେ ବାବୁଲି ବ୍ରାହ୍ମଣୀଗାଁ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟ ଆମ୍ବ ବଗିଚାକୁ ଡାକିଥିଲା । ପ୍ରବୀଣ ସେଠାରେ ପହଞ୍ଚିବା ପରେ ଅନ୍ୟ ୨ ସହଯୋଗୀଙ୍କ ସହ ବାବୁଲି ତାଙ୍କୁ ଧମକଚମକ ଦେଇଥିଲା । କାହାକୁ କହିଲେ, ଗଞ୍ଜେଇ ମାମଲାରେ ଫସେଇ ଦେବାକୁ ଧମକ ଦେଇଥିଲେ । ଘଟଣାସ୍ଥଳରୁ କାର ନେଇ ସମସ୍ତେ ଚମ୍ପଟ ମାରିଥିଲେ । କାହାକୁ କିଛି ନକହି ପ୍ରବୀଣ ରାତିରେ ଦିଲ୍ଲୀ ବାହାରି ଯାଇଥିଲେ । ଏ ସମ୍ପର୍କରେ ପ୍ରବୀଣ ୨୦ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ବାବୁଲିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ସୂଚନାଥାଉକି, ଲୁଟ୍ ପରେ କାରର ନମ୍ବର ପ୍ଲେଟ୍ ବଦଳାଇ ଦେଇଥିଲେ ଅଭିଯୁକ୍ତ । ହରିଆଣା ପଞ୍ଜୀକରଣ ନମ୍ବର ବାହାର କରି ଓଡି ୩୩ ଏଲ୍-୨୩୧୬ ବିଶିଷ୍ଟ ନମ୍ବର ପ୍ଲେଟ୍ ଲଗାଇଥିଲେ ।


Comments are closed, but trackbacks and pingbacks are open.