ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇ ନିକଟରେ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । କୋଭିଡ ପରବର୍ତ୍ତୀ ଯତ୍ନ ଓ ଚିକିତ୍ସା ପାଇଁ ତାଙ୍କୁ ପୁଣି ହସ୍ପିଟାଲ ନିଆଯାଇଛି । ଥକାପଣ, ଶରୀର ପୀଡ଼ା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେବାରୁ ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତରମାନେ କହିଛନ୍ତି । ତେଣୁ ଏବେ ଦିଲ୍ଲୀ ଏମ୍ସରେ ରହି ସେ ନିଜ କାର୍ଯ୍ୟ ତୁଲାଉଛନ୍ତି । ଦିଲ୍ଲୀ ଏମ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଅଗଷ୍ଟ ୨ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନ ଥିଲା । ଏହାପରେ ଅଗଷ୍ଟ ୧୪ ତାରିଖରେ ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।
ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଶାହଙ୍କୁ ସୋମବାର ରାତି ୨ଟାରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ନିଦେ୍ର୍ଧଶକ ଡା. ରଣଦୀପ ଗୁଲେରିଆଙ୍କ ନେତୃତ୍ୱାଧୀନ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି । ଏବେ ସେ ଠିକ୍ ଅଛନ୍ତି । ଗତ ୩-୪ ଦିନ ହେଲା ଶାହ ଥକାପଣ ଏବଂ ଶରୀରରେ ପୀଡ଼ା ଅନୁଭବ କରୁଥିବା କହିଥିଲେ । ହସ୍ପିଟାଲରୁ ହିଁ ସେ ନିଜ କାର୍ଯ୍ୟ କରୁଥିବା ଏମ୍ସ ଗଣମାଧ୍ୟମ ଓ ପ୍ରୋଟୋକଲ ବିଭାଗ ଅଧ୍ୟକ୍ଷା ଡା. ଆରତୀ ବିଜ୍ ଏକ ବିବୃତିରେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, କରୋନା ପଜିଟିଭ ଚିହ୍ନଟ ହେବା ପୂର୍ବରୁ ୫୫ ବର୍ଷୀୟ ଶାହ ତିନି ସପ୍ତାହ ତଳେ ଏକ କ୍ୟାବିନେଟ ବୈଠକରେ ଯୋଗଦେଇଥିଲେ । ବୈଠକରେ ସମସ୍ତ ପ୍ରମୁଖ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ବୈଠକରେ ମାସ୍କ, ସାମାଜିକ ଦୂରତା ବଜାୟ ରଖାଯିବା ଭଳି ସମସ୍ତ କୋଭିଡ ପ୍ରୋଟୋକଲ ପାଳନ କରାଯାଇଥିଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଇଥିଲା । ସମସ୍ତଙ୍କୁ ସଙ୍ଗରୋଧ ପାଇଁ କୁହାଯାଇଥିଲା ।
Comments are closed, but trackbacks and pingbacks are open.