ଛତିଆ,(ବି.ବି.ନୁ୍ୟଜ୍): ଅମୃତଭଣ୍ଡା ପତ୍ରରୁ ତିଆରି ହେଉଥିଲା ନକଲି ପାନମସଲା, ଜର୍ଦ୍ଧା । ବିକ୍ରି ହେଉଥିଲା ନାମୀଦାମୀ ବ୍ରାଣ୍ଡରେ । ସୂଚନା ପାଇବା ପରେ କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍) କରିଛି ଚଢ଼ଉ ।
ଏସଟିଏଫ ଭୁବନେଶ୍ୱର ପରେ ଏବେ ଯାଜପୁର ଜିଲ୍ଲା ବୈରୀ ଥାନା ଅଂଚଳରେ ଚାଲିଥିବା ନକଲି ଜର୍ଦ୍ଧା ଡିପୋରେ ଚଢ଼ଉ କରି ୨ଟି ନକଲି କାରଖାନା ଠାବ କରିଛି । କ୍ୱିଣ୍ଟାଲ କ୍ୱିଣ୍ଟାଲ ଓଜନର ନକଲି ପାନ ମସଲା ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ପାଖାପାଖି ୨୦ଲକ୍ଷ ଟଙ୍କା ହେବ ବୋଲି ଏସ୍ଟିଏଫ୍ ସୂଚନା ଦେଇଛି ।
ଏସ୍ଟିଏଫ୍ ସୂଚନା ମୁତାବକ, ବୈରୀ ଥାନା ନେଳିଆ ପଂଚାୟତ ବିଦ୍ୟାଧରପୁର ଗ୍ରାମରେ ନକଲି କାରଖାନା ଚାଲିଥିବା ନେଇ ସୂଚନା ମିଳିଥିଲା । ଗୁରୁବାର ରାତିରେ ଏସ୍ଟିଏଫ୍ ଟିମ୍ ସ୍ଥାନୀୟ ପୁଲିସ ସହାୟତାରେ ବିଦ୍ୟାଧରପୁର ଗାଁର ଗୌରାଙ୍ଗ ପାତ୍ର ଓ ପର୍ଶୁରାମ ପାତ୍ରଙ୍କ ଘରେ ଚଢ଼ଉ କରିଥିଲା । ସେହିପରିି ଉକ୍ତ ଗାଁର ଅନ୍ୟ ବାସିନ୍ଦା ରମେଶ ପାତ୍ରଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ଦୁଇ କାରଖାନାରୁ ପାଖାପାଖି ଏକ କ୍ୱିଣ୍ଟାଲ ୪୦ କେଜିର ନକଲି ଗୋପାଳ ଜର୍ଦ୍ଧା, ପ୍ରାୟ ୨ କ୍ୱିଣ୍ଟାଲ ୧୨ କେଜିର ଜର୍ଦ୍ଧା ପ୍ରସ୍ତୁତ ପାଇଁ ସାମଗ୍ରୀ, ଜର୍ଦ୍ଧା ପ୍ରସ୍ତୁତରେ ବ୍ୟବହୃତ ୫୦୫ ଲିଟର ଗ୍ଲିସେରିନ୍ ଓ ୬୦ ଲିଟରର ସେଣ୍ଟ ଜବତ ହୋଇଛି । ଦୁଇ ସ୍ଥାନରୁ ପୁଲିସକୁ ବିପୁଳ ମାତ୍ରାରେ ନକଲି ଜର୍ଦ୍ଧା ସହ ପାନ ମସଲା ତିଆରି ମେସିନ୍, ମିକ୍ସିଂ ଗ୍ରାଇଣ୍ଡର ଓ ପୁଳା ପୁଳା ମାତ୍ରାରେ ଅସଲି ବ୍ରାଣ୍ଡର ନକଲି ଷ୍ଟିକର ମିଳିଥିଲା । ଜବତ ସାମଗ୍ରୀକୁ ଥାନା ଯାଏଁ ବୋହିବା ପାଇଁ ୨ଟି ଟ୍ରକ ଓ ଗୋଟିଏ ପିକ୍ ଅପ୍ ଭ୍ୟାନ ଲାଗିଥିଲା ।
ବୈରୀ ଥାନା ପୁଲିସ ଦୁଇ ପୃଥକ ମାମଲାରେ ୩ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୭, ୪୨୦, ୪୮୨, ୪୮୩ ସହ କପି ରାଇଟ୍ ଆକ୍ଟର ୬୩,୬୫ ଧାରା, ଟ୍ରେଡ୍ମାର୍କ ଆକ୍ଟ ୧୦୩, ୧୦୪ ସେକ୍ସନ ଓ କୋଟ୍ପା ଆକ୍ଟର ଧାରା ୨୦ ରୁଜୁ କରାଯାଇଛି । ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଏଠାରୁ ରାଜ୍ୟର ବିଭିନ୍ନ ସହରକୁ ନକଲି ପାନ ମସଲା ପଠାଯାଉଥିଲା । ଏହି ଗାଁର ପ୍ରାୟ ୭୫ ପ୍ରତିଶତରୁ ଅଧିକ ଲୋକ ନକଲି ପାନମସଲା ତିଆରି ବେପାରରେ ମାତିଛନ୍ତି । ବେପାରିମାନେ ନକଲି ସାମଗ୍ରୀ ପ୍ରସ୍ତୁତରେ ଅମୃତଭଣ୍ଡା ଗଛ ପତ୍ରକୁ ଶୁଖାଇ ସେଥିରେ ସେଣ୍ଟ ଓ କିଛି ଅସଲି ଜର୍ଦ୍ଧା ମିଶାଇ ନକଲି ଜର୍ଦ୍ଧା ବନାଉଛନ୍ତି । ବଜାରରେ ଚଢ଼ା ଦରରେ ବିକୁଛନ୍ତି । ପୂର୍ବରୁ ୨ ଥର ଉକ୍ତ ଗାଁରେ ପୁଲିସ ଚଢ଼ଉ କରିଛି ।
ସୂଚନା ଥାଉ କି, ସେପ୍ଟେମ୍ବର ୨୯ ତାରିଖରେ ଏସଟିଏଫ୍ ଟିମ୍ ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ଜଟଣୀ ଥାନା ଅଞ୍ଚଳରୁ ଏମିତି ଦୁଇ ନକଲି କାରଖାନା ଠାବ କରିଛି । ସେଠାରୁ ପାଖାପାଖି ୧୫ ଲକ୍ଷ ଟଙ୍କାର ନକଲି ପାନ ମସଲା, ଜର୍ଦ୍ଧା ଓ ସିଗାରେଟ୍ ଜବତ କରିଥିଲା । ନକଲି ବେପାରରେ ମାତିଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ଯାଜପୁରରେ ଚଢ଼ଉ କରାଯାଇଥିବା ଟିମ୍ କହିଛି ।
Comments are closed, but trackbacks and pingbacks are open.