ଇଟାନଗର: ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଏନ-୩୨ ବିମାନ ସମ୍ପର୍କରେ କିଛି ନୂଆ ତଥ୍ୟ ମିଳିଛି । ବାୟୁସେନା ସୂତ୍ରରୁ ଦାବି କରାଯାଇଛି କି ଏହି ବିମାନଟି ଏକ ପାହାଡକୁ ଅତିକ୍ରମ କରିବାକୁ ପ୍ରୟାସ କଲାବେଳେ ତା’ ସହିତ ଧକ୍କା ଲାଗିଥିଲା । ସେଇ ଅଞ୍ଚଳରେ ଘନ ବାଦଲ ଯୋଗୁ ବିମାନର ପାଇଲଟ ସମ୍ମୁଖରେ ଥିବା ପାହାଡର ଉଚ୍ଚତା ଠିକ୍ ଭାବେ ଠଉରାଇ ପାରିନଥିଲେ । ବିମାନଟି ପାହାଡର ଯେଉଁ ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହାକୁ ଦେଖିଲେ ଏପରି ମନେ ହେଉଛି । ଏଥିରୁ ଲାଗୁଛି ଯଦି ଆଉ ମାତ୍ର କିଛି ଫୁଟ ଉପରେ ବିମାନଟି ଯାଇଥାନ୍ତା, ତାହାହେଲେ ହୁଏତ ପାହାଡ ସହିତ ଧକ୍କା ଲାଗିବାରୁ ବର୍ତ୍ତି ଯାଇଥାନ୍ତା । ଜୁନ୍ ୩ ତାରିଖରେ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଏକ ବାୟୁସେନା ଘାଟିକୁ ଯାଉଥିବା ସମୟରେ ଏହି ବିମାନଟି ନିଖୋଜ ହୋଇଯାଇଥିଲା । ବିମାନଟି ଉଡାଣ ଭରିବାର ମାତ୍ର ୩୩ ମିନିଟ ପରେ ରାଡାରରୁ ଗାଏବ ହୋଇଯାଇଥିଲା । ସେତେବେଳେ ସେଥିରେ ବାୟୁସେନାର ୮ ଜଣ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୧୩ ଜଣ ଯାତ୍ରୀ ଥିଲେ । ଏହି ବିମାନର ପତ୍ତା ଲଗାଇବା ପାଇଁ ବ୍ୟାପକ ଅଭିଯାନ ଚଳାଯିବା ସତ୍ତେ୍ୱ ୮ ଦିନ ଯାଏଁ ଏଥିରେ କିଛି ସଫଳତା ମିଳିନଥିଲା । ମଙ୍ଗଳବାର ବାୟୁସେନାର ଏକ ଏମଆଇ-୧୭ ହେଲିକପ୍ଟର ଏହାର ଧ୍ୱଂସାବଶେଷର ପତ୍ତା ଲଗାଇଥିଲା । ଲିପୋ ଉପତ୍ୟାକାର ଉତ୍ତରରେ ସମୁଦ୍ର ପତ୍ତନ ଠାରୁ ୧୨,୦୦୦ ଫୁଟ ଉଦ୍ଧ୍ୱର୍ରେ ଏକ ପାହାଡ ଉପରେ ଏହାର ଧ୍ୱଂସାବଶେଷ ପଡିଥିବାର ଲକ୍ଷ୍ୟ କରାଯାଇଥିଲା । ଆଜି ସେଇ ସ୍ଥାନ ନିକଟକୁ ସ୍ଥଳସେନା, ବାୟୁସେନାର କିଛି ପର୍ବତାରୋହୀଙ୍କ ସହ କେତେକ ସାଧାରଣ ପର୍ବତାରୋହୀଙ୍କୁ ବି ପଠାଯାଇଛି । କିନ୍ତୁ ଯେପରି ଦୁର୍ଘଟଣା ହୋଇଛି, ସେଥିରୁ ବିମାନର କୌଣସି ଯାତ୍ରୀ ବଞ୍ଚଥିବାର ସମ୍ଭାବନା ଖୁବ୍ କମ୍ ବୋଲି ମନେ କରାଯାଉଛି ।
Comments are closed, but trackbacks and pingbacks are open.