ଅର୍ଥନୀତି ପାଇଁ ପୁଣି ଭିଟାମିନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଘରୋଇ ଅର୍ଥନୀତିର ଅଣ୍ଟା ସଳଖିବା ପାଇଁ ପୁଣି ଭିଟାମିନ୍ ଦେଇଛନ୍ତି କେନ୍ଦ୍ର ସରକାର । ଏଥର ରପ୍ତାନି ଓ ଗୃହ କ୍ଷେତ୍ରକୁ କରିଛନ୍ତି ଟାର୍ଗେଟ୍ । ଗୃହ ନିର୍ମାଣ କ୍ଷେତ୍ର ପାଇଁ ୧୦,୦୦୦ କୋଟି ଟଙ୍କାର ପ୍ୟାକେଜ୍ ବ୍ୟବସ୍ଥା ହୋଇଛି । ରପ୍ତାନିକାରୀଙ୍କ ପାଇଁ ୫୦,୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ଶିଥିଳ ପଡ଼ିଯାଇଥିବା ଅର୍ଥନୀତି ଏହାଦ୍ୱାରା ପୁଣି ବଳ ଜୁଟାଇବ ବୋଲି ସୀତାରମଣ ଆଶାବ୍ୟକ୍ତ କରିଛନ୍ତି ।
ବିଭିନ୍ନ କ୍ଷେତ୍ରରେ ଚାହିଦା କମିବା ଯୋଗୁ ଅର୍ଥନୀତି ପଛେଇଛି । ତେଣୁ ଚାହିଦାରେ ଶକ୍ତି ଭରିବା ପାଇଁ ଅର୍ଥମନ୍ତ୍ରୀ ଗୃହ କ୍ଷେତ୍ରକୁ ଟାର୍ଗେଟ୍ କରିଛନ୍ତି । ପାଣ୍ଠି ଅଭାବ ଯୋଗୁ ବିଭିନ୍ନ ଗୃହ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁ ନଥିବାରୁ ଏଥିପାଇଁ ୧୦,୦୦୦ କୋଟି ଟଙ୍କାର ପ୍ୟାକେଜ୍ ବ୍ୟବସ୍ଥା କରାଯାଇଛି । ଶସ୍ତା ଓ ମଧ୍ୟମ ଆୟ ବର୍ଗର ଗୃହ ନିର୍ମାଣ କ୍ଷେତ୍ରରେ ଏହି ଟଙ୍କା ବିନିଯୋଗ ହେବ । ଦେବାଳିଆ ଆଇନରେ ଫସିନଥିବା ତଥା ଅନାଦାୟ ଋଣ ସୃଷ୍ଟି କରିନଥିବା ଗୃହ ପ୍ରକଳ୍ପକୁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
ସରକାରଙ୍କ ଏହି ୧୦,୦୦୦ କୋଟି ଟଙ୍କାର ପ୍ୟାକେଜ୍ ବାଦ୍ ଏଲ୍ଆଇସି ଓ ଅନ୍ୟ ବାହ୍ୟ ନିବେଶକ ସଂସ୍ଥା ସମାନ ପରିମାଣର ପାଣ୍ଠି ଏହି କ୍ଷେତ୍ରରେ ଲଗାଇବେ । ଅର୍ଥାତ୍ ଶସ୍ତା ଗୃହ ନିର୍ମାଣ କ୍ଷେତ୍ରରେ ମୋଟ ୨୦,୦୦୦ କୋଟି ଟଙ୍କା ବିନିଯୋଗ ହେବ । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ବଜାରରୁ ଋଣ ପାଇବା ପାଇଁ ହାଉସିଂ ଡେଭଲପରଙ୍କ ନିମନ୍ତେ ଯେଉଁ ମାର୍ଗଦର୍ଶିକା ରହିଛି, ତାହାକୁ କୋହଳ କରାଯିବ । ଏଥିଲାଗି ବାହ୍ୟ ବାଣିଜି୍ୟକ ଋଣ (ଇସିବି) ଋଣ ନିୟମ କୋହଳ ହେବ । ଫଳରେ ଡେଭଲପରମାନେ ସହଜରେ ଋଣ ନେଇ ସେମାନଙ୍କ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବେ ।
ସୀତାରମଣ ଆହୁରି କହିଛନ୍ତି, ଗୃହ ନିର୍ମାଣ ଋଣ (ଏଚ୍ବିଏ) ଉପରେ ସୁଧ ହାର ହ୍ରାସ କରାଯିବ ଏବଂ ଏହାକୁ ୧୦ ବର୍ଷିଆ ସିକୁ୍ୟରିଟିଜ୍ (ଜି-ସେକ୍)ରେ ସଂଯୋଗ କରାଯିବ । ଏହାଦ୍ୱାରା ସରକାରୀ କର୍ମଚାରୀମାନେ ଶସ୍ତାରେ ଘର କିଣିପାରିବେ । ଋଣ ନେଇ ସେମାନେ ନିଜ ଜାଗାରେ ଘର ନିର୍ମାଣ କରିପାରିବେ । ଏହାଦ୍ୱାରା ଅଧିକରୁ ଅଧିକ ସରକାରୀ କର୍ମଚାରୀ ନୂଆ ଘର କିଣିବାକୁ ମଧ୍ୟ ଆଗ୍ରହ ଦେଖାଇବେ ।
ଅନ୍ୟପକ୍ଷରେ ନିମ୍ନଗାମୀ ରପ୍ତାନି କ୍ଷେତ୍ରକୁ ସୁଦୃଢ଼ କରିବା ସକାଶେ ଅର୍ଥମନ୍ତ୍ରୀ ସୀତାରମଣ ଏକ ନୂଆ ସ୍କିମ୍ ଘୋଷଣା କରିଛନ୍ତି । ରପ୍ତାନିକାରୀଙ୍କୁ ପୂଜା ଭେଟି ଦେଇ ‘ରପ୍ତାନି ସାମଗ୍ରୀ ଉପରୁ ଶୁଳ୍କ ବା ଟିକସ ଉଚ୍ଛେଦ’ ସ୍କିମ୍ ଅଣାଯାଇଛି । ଏଥିପାଇଁ ରାଜକୋଷ ଉପରେ ୫୦,୦୦୦ କୋଟି ଟଙ୍କାର ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି । ରପ୍ତାନିକୁ ପ୍ରୋତ୍ସାହିତ କରିବା ସକାଶେ ୨୦୨୦ ମାର୍ଚ୍ଚରେ ଦେଶର ପ୍ରମୁଖ ୪ଟି ସ୍ଥାନରେ ମେଗା ସପିଙ୍ଗ୍ ଫେଷ୍ଟିଭାଲ ଆୟୋଜନ କରାଯିବ ।
ଚଳିତବର୍ଷ ଅଗଷ୍ଟରେ ଦେଶର ରପ୍ତାନିରେ ୬.୦୫ଧ ହ୍ରାସ ଘଟିଛି । ଏହି ସମୟରେ ମୋଟ ୨,୬୧୩ କୋଟି ଡଲାର (୧,୮୨,୯୧୦ ଲକ୍ଷ କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ ଦେଶରୁ ରପ୍ତାନି ହୋଇଛି । କ୍ରମାଗତ ଭାବେ ଏଥିରେ ହ୍ରାସ ଘଟୁଥିବା ବେଳେ ଏହା ଅର୍ଥନୀତି ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ତେଣୁ ପ୍ରୋତ୍ସାହନ ମାଧ୍ୟମରେ ଶିଳ୍ପକୁ ଆଗକୁ ଅଗ୍ରସର କରାଇବା ପାଇଁ ସରକାର କାର୍ଯ୍ୟ କରୁଥିବା ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ।
ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଦ୍ରବ୍ୟ ଓ ସେବା କର(ଜିଏସ୍ଟି)ରେ ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍ ପାଇଁ ଏକ ସମ୍ପୂର୍ଣ୍ଣ ଅଟୋମେଟିକ୍ ରିଫଣ୍ଡ୍ ରୁଟ୍ ବ୍ୟବସ୍ଥା ଅଣାଯିବ । ମାସ ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯିବ । ଏହା ମାଧ୍ୟମରେ ରପ୍ତାନିକାରୀଙ୍କୁ ତ୍ୱରିତ୍ ଭିତ୍ତିରେ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଫେରସ୍ତ କରାଯାଇ ପାରିବ । ଏହାବ୍ୟତୀତ ନୂଆ ଶୁଳ୍କ ଉଚ୍ଛେଦ ସ୍କିମ୍ ଦ୍ୱାରା ପୁରୁଣା ସ୍କିମ୍କୁ ହଟାଇ ଦିଆଯିବ । ନୂଆ ସ୍କିମ୍ ରପ୍ତାନିକାରୀଙ୍କ ପାଇଁ ଅଧିକ ଫଳପ୍ରଦ ହେବ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମୁଦ୍ରାସ୍ଫୀତି ଏବେ ନିୟନ୍ତ୍ରଣରେ ରହିଛି । ଶିଳ୍ପ ଉପôାଦନରେ ସୁଧାର ଘଟିଛି । ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିÂାନ(ଏନ୍ବିଏଫ୍ସି)ଗୁଡିକ ନିମନ୍ତେ ଋଣ ପ୍ରବାହ ବଢ଼ାଇବା ପାଇଁ ଘୋଷଣା କରାଯାଇଥିବା ପଦକ୍ଷେପର ଫଳ ମିଳିବା ଆରମ୍ଭ କଲାଣି । ଗୋଆରେ ଜିଏସ୍ଟି ପରିଷଦ ବୈଠକ ପୂର୍ବରୁ ଆସନ୍ତା ୧୯ ତାରିଖରେ ଅର୍ଥମନ୍ତ୍ରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲ-ଜୁନ୍)ରେ ଭାରତର ଜିଡିପି (ମୋଟ ଘରୋଇ ଉପôାଦ) ଅଭିବୃଦ୍ଧି ୫ଧକୁ ହ୍ରାସ ପାଇଛି । ୬ ବର୍ଷରେ ଏହା ସର୍ବନିମ୍ନ ସ୍ତର । ସମ୍ପ୍ରତି ରିଅଲ୍ ଇଷ୍ଟେଟ୍, ଅଟୋମୋବାଇଲ କ୍ଷେତ୍ରରେ ମାନ୍ଦାବସ୍ଥା ଜଳଜଳ ଦିଶିବାରେ ଲାଗିଛି । ଦେଶର ଅଟୋମୋବାଇଲ ବିକି୍ର ୨୧ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଲଗାତର ଦଶମ ମାସ ପାଇଁ ମାରୁତି ସୁଜୁକି ସମେତ ଅନ୍ୟ ସମସ୍ତ ପ୍ରମୁଖ କମ୍ପାନି ବିକି୍ର ହ୍ରାସର ସମ୍ମୁଖୀନ ହୋଇଛନ୍ତି । ତେଣୁ ଅର୍ଥନୀତିକୁ ଗତିଶୀଳ କରାଇବା ପାଇଁ ସରକାରଙ୍କ ହସ୍ତକ୍ଷେପ ଜରୁରି ହୋଇପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons