ଅର୍ଥନୀତି ସଜାଡ଼ିବାକୁ ମେଗା ପ୍ୟାକେଜ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଶ୍ୱ ମାନ୍ଦାବସ୍ଥା ଯୋଗୁ ଭାରତ ବଜାରରେ ଅସ୍ଥିରତା ଦେଖାଦେଇଛି । ବଜାର ଏକ ପ୍ରକାର ଧୀମା ପଡ଼ିଯାଇଛି । ଡଲାର ତୁଳନାରେ ଟଙ୍କା ଦୁର୍ବଳ । ନଗଦ ସଙ୍କଟ ମଧ୍ୟରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି । ଏଭଳି କ୍ଷେତ୍ରରେ ଅର୍ଥନୀତିକୁ ଜୀବନଦାନ ଦେବା ପାଇଁ ସରକାର କରିଛନ୍ତି ଅନେକ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି, ଯାହାକି ଅର୍ଥବ୍ୟବସ୍ଥାକୁ ଜୀବନଦାନ ଦେବ । \nଘୋଷଣା ଅନୁସାରେ ଦୀର୍ଘ ଏବଂ ସ୍ୱଳ୍ପମିଆଦୀ ପୁଞ୍ଜି ଲାଭ ଉପରୁ ବର୍ଦ୍ଧିତ ସର୍ଚାର୍ଜକୁ ହଟାଇ ଦିଆଯାଇଛି । ଖାଲି ସେତିକି ନୁହେଁ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ)ମାନଙ୍କ ଉପରେ ବଜେଟ୍ରେ ଘୋଷଣା କରାଯାଇଥିବା ବର୍ଦ୍ଧିତ ସର୍ଚାର୍ଜକୁ ମଧ୍ୟ ହଟାଇ ଦିଆଯାଇଛି । ଘରୋଇ ନିବେଶକଙ୍କ ପାଇଁ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି । ବଜେଟ୍ରେ ନିଆଯାଇଥିବା ଏହି ନିଷ୍ପତ୍ତିର ବଡ଼ ପ୍ରଭାବ ଦେଶର ଇକ୍ୱିଟି ବଜାର ଉପରେ ପଡିଥିଲା । ଏଫ୍ପିଆଇମାନେ ଜୁଲାଇ ଏବଂ ଅଗଷ୍ଟରେ ଘରୋଇ ଇକ୍ୱିଟି ବଜାରରୁ ୨୩,୦୦୦ କୋଟି ପ୍ରତ୍ୟାହାର କରିଥିଲେ । ଉଚ୍ଚ ଆୟକାରୀଙ୍କ ଉପରେ ଅଧିକ ଟିକସ ବଜାରକୁ ସୁହାଇ ନ ଥିଲା । ଘୋଷଣା ଅନୁସାରେ ରେପୋରେଟ୍ କମ୍ ହେବା ତୁରନ୍ତ ବାଦ ବ୍ୟାଙ୍କଗୁଡିକ ସୁଧ ହାର କମାଇବେ । ଫଳରେ ଇଏମ୍ଆଇ କମିବ । ସୁଧହାର ହ୍ରାସର ସମ୍ପୂର୍ଣ୍ଣ ଲାଭ ଯେପରି ଲୋକଙ୍କୁ ମିଳିବ ତାହା ଉପରେ ବ୍ୟାଙ୍କଗୁଡିକ ଧ୍ୟାନ ଦେବେ ବୋଲି ସୀତାରମଣ କହିଛନ୍ତି । \nଅର୍ଥମନ୍ତ୍ରୀ କହିଛନ୍ତି ଯେ, ବଜାରରେ ନଗଦ ସଙ୍କଟ ଜନିତ ସମସ୍ୟା ରହିଛି । ତେଣୁ ଅତିରିକ୍ତ ଋଣ ସୁବିଧା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦,୦୦୦ କୋଟି ଟଙ୍କାର ଅଗ୍ରୀମ ପୁଞ୍ଜି ଯୋଗାଇ ଦିଆଯିବ । ପର୍ଯ୍ୟାୟ କ୍ରମେ ଆଉ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦିଆଯିବ । \nକର୍ପୋରେଟ୍ ସାମାଜିକ ଦାୟିତ୍ୱ(ସିଏସ୍ଆର୍) ଉଲ୍ଲଂଘନକୁ ଅପରାଧିକ ମାମଲା ଭାବେ ବିଚାର କରାଯିବ ନାହିଁ । ଏଗୁଡିକୁ ଦେୱାନି ମାମଲା ଭାବେ ଗ୍ରହଣ କରାଯିବ । ଷ୍ଟାର୍ଟଅପ୍ଗୁଡ଼ିକର ଟିକସ ସମସ୍ୟା ସମାଧାନ ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ ହେବ । ଏହି ପଦକ୍ଷେପଗୁଡିକ ଘରୋଇ ଇକ୍ୱିଟି ବଜାରରେ ଉତ୍ସାହ ଆଣିବ । ଷ୍ଟାର୍ଟଅପ୍ ଏବଂ ସେମାନଙ୍କ ନିବେଶକଙ୍କ ପାଇଁ ଏଞ୍ଜେଲ ଟାକ୍ସ ହଟାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । \nସେ କହିଛନ୍ତି ଯେ, ମୋଦି ସରକାର ପୁନଃ ନିର୍ବାଚିତ ହେବା ପରେ ସଂସ୍କାର ଏଜେଣ୍ଡାକୁ ଭୂଲିଯାଇ ନାହାନ୍ତି । ନିରନ୍ତର ସଂସ୍କାର ପଦକ୍ଷେପ ସରକାରଙ୍କ ପ୍ରାଥମିକତା । \nନୂଆ ଘୋଷଣାନାମା କରିବା ସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ସବୁ ରାଷ୍ଟ୍ରରେ ମାନ୍ଦାବସ୍ଥା । କିନ୍ତୁ ଅନ୍ୟମାନଙ୍କ ତୁଳନାରେ ଭାରତ ଭଲ ସ୍ଥିତିରେ ଅଛି । ବିଶ୍ୱ ଆର୍ଥିକ ମାନ୍ଦବସ୍ଥାକୁ ବୁଝିବା ଦରକାର । ଚୀନ୍ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁ ହିଁ ମାନ୍ଦାବସ୍ଥା ସ୍ଥିତି ଦେଖାଦେଇଥିବା ସେ କହିଛନ୍ତି । ଦେଶରେ କ୍ରମାଗତ ଭାବେ ଆର୍ଥିକ ସୁଧାର ଆସିଥିବା ସୀତାରମଣ କହିଛନ୍ତି । \nଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆର୍ଥିକ ସୁଧାର ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଆୟ କର ରିଟର୍ଣ୍ଣ(ଆଇଟିଆର୍) ଦାଖଲ ପୂର୍ବାପେକ୍ଷା ସରଳ ହୋଇଛି । ଜିଏସ୍ଟି ବ୍ୟବସ୍ଥା ସହଜ ହୋଇଛି । ଟିକସ ସଂକ୍ରାନ୍ତ ନୋଟିସ୍ ପାଇଁ କେନ୍ଦ୍ରୀୟ ସିଷ୍ଟମ୍ ହେବ ଏବଂ ଟିକସ ପାଇଁ କାହାକୁ ହଇରାଣ କରାଯିବ ନାହିଁ । ଅକ୍ଟୋବର ୧ରୁ କେନ୍ଦ୍ରୀୟ କମ୍ପ୍ୟୁଟର ସିଷ୍ଟମରୁ ନୋଟିସ୍ ପଠାଯିବ, ଯାହାଦ୍ୱାରା ଟିକସ ଉତ୍ପୀଡନ ମାମଲା ଉପରେ ରୋକ ଲାଗିବ ।\nଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଋଣ ଆବେଦନର ଅନ୍ଲାଇନ୍ ସମୀକ୍ଷା କରାଯିବ । ଋଣ ବନ୍ଦ ହେବା ପରେ ବ୍ୟାଙ୍କଗୁଡିକ ୧୫ ଦିନ ମଧ୍ୟରେ ସିକ୍ୟୁରିଟି ସଂକ୍ରାନ୍ତ ଦସ୍ତାବିଜ ଦେବେ । ଡିମାଟ୍ ଖାତା ପାଇଁ କେୱାଇସି ଆଧାରମୁକ୍ତ ହେବ । ଆଉ ଏକ ବଡ଼ ନିଷ୍ପତ୍ତି ଅନୁସାରେ ୬୦ ଦିନ ମଧ୍ୟରେ ଜିଏସ୍ଟି ରିଫଣ୍ଡ୍ କରାଯିବ । ଗୃହଋଣ ପ୍ରଦାନକାରୀ କମ୍ପାନି(ଏଚ୍ଏଫ୍ସି)ଙ୍କୁ ଲିକ୍ୱିଡିଟି ସହାୟତା ୩୦,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ଆହୁରି ଅନେକ ନୂଆ ପଦକ୍ଷେପ ଘୋଷଣା କରାଯିବ । ପଡ଼ି ରହିଥିବା ପ୍ରକଳ୍ପଗୁଡିକୁ ଆଗେଇ ନେବା ସରକାରଙ୍କ ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଗୃହ ଋଣ କମ୍ପାନିଗୁଡିକୁ ନ୍ୟାସ୍ନାଲ ହାଉସିଂ ବ୍ୟାଙ୍କ(ଏନ୍ଏଚ୍ବି) ଅତିରିକ୍ତ ୨୦,୦୦୦ କୋଟି ଟଙ୍କାର ଲିକ୍ୱିଡିଟି ପ୍ରଦାନ କରିବ ବୋଲି ସୀତାରମଣ କହିଛନ୍ତି । \nନୂଆ ଗ୍ରାହକଙ୍କ ପାଇଁ ଏନ୍ବିଏଫ୍ସିଗୁଡିକ ଆଧାର ସମର୍ଥିତ କେୱାଇସି ବ୍ୟବହାର କରିପାରିବେ । ଏହାଦ୍ୱାରା ଗ୍ରାହକଙ୍କୁ ତ୍ୱରିତ ଋଣ ମିଳିବ । ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ରେପୋରେଟ୍ ହ୍ରାସର ସମ୍ପୂର୍ଣ୍ଣ ଲାଭ ଦେବେ ବୋଲି ନିଷ୍ପତ୍ତି ନେଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । \nଅଟୋମୋବାଇଲ ଶିଳ୍ପରେ ଚାହିଦା ବଢ଼ାଇବା ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କିଣାଯାଇଥିବା ବିଏସ୍-୪ ଗାଡି ଏହାର ପଞ୍ଜୀକରଣ ସମୟ ତମାମ ଚାଲୁ ରହିବ । ଏକକାଳୀନ ପଞ୍ଜୀକରଣ ଫି’ ସଂଶୋଧନକୁ ୨୦୨୦ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । କାର ଚାହିଦା ବଢ଼ାଇବା ପାଇଁ ସରକାରୀ ବିଭାଗଗୁଡିକ ଦ୍ୱାରା ନୂଆ ଗାଡି କିଣାଯିବା ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି । ଚାହିଦା ବଢ଼ାଇବା ପାଇଁ ଏକ ନୂଆ ସ୍କ୍ରାପେଜ୍ ନୀତି ଆଣିବା ପାଇଁ ସରକାର ବିଚାର କରୁଥିବା ସୀତାରମଣ କହିଛନ୍ତି । \nଖୁବ୍ଶୀଘ୍ର ପ୍ରାକ୍ ଆୟକର ରିଟର୍ଣ୍ଣ ବ୍ୟବସ୍ଥା ଆସିବ । ବିଜୟାଦଶମୀରୁ ଚେହେରାମୁକ୍ତ ଟିକସ ଯାଞ୍ଚ ବ୍ୟବସ୍ଥା ପ୍ରଚଳନ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ୧୪୦୦ରୁ ଊଦ୍ଧ୍ୱର୍ କର୍ପୋରେଟ୍ ଅପରାଧ ମାମଲା ପ୍ରତ୍ୟାହାର ହେବ ବୋଲି ଘୋଷଣା କରାଯାଇଛି । ଏସବୁ ଘୋଷଣା ପରେ ପୁଞ୍ଜି ବଜାରରେ ଏହାର ପ୍ରଭାବ ଅନୁଭବ ହୋଇଛି । କାରବାର ଶେଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ସେନ୍ସେକ୍ସରେ ୨୨୮ ପଏଣ୍ଟ ବୃଦ୍ଧି ଘଟିଛି । ଫଳରେ ଏହା ୩୬,୭୦୧ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ, ନ୍ୟାସ୍ନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟିରେ ୮୮ ପଏଣ୍ଟ ବୃଦ୍ଧି ଘଟି ୧୦,୮୨୯ ପଏଣ୍ଟରେ ବନ୍ଦ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons