କଣ୍ଟାମାଳ,(ବି.ବି.ନ୍ୟୁଜ୍): ସରକାର ମହିଳା ସଶକ୍ତିକରଣର ନାରା ଦେଉଛନ୍ତି । ଝିଅମାନେ ଯେପରି ପରିବାର ପାଇଁ ବୋଝ ନହେବେ ସେଥିପାଇଁ ସହାୟତାର ହାତ ବଢ଼ାଉଛନ୍ତି । ଏତେ ସବୁ ପରେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଜଣେ ମାଟ୍ରିକ ପାସ୍ କରିଥିବା ଝିଅକୁ ବିକିବାକୁ ବାପା ଯୋଜନା କରିଥିବା ଘଟଣା ସାମ୍ନାକୁ ଆସିଛି । ଏହା କେବଳ ଗୋଟିଏ ଘଟଣା । ଏପରି ସଂପୃକ୍ତ ଅଞ୍ଚଳରୁ ଶହ ଶହ ଯୁବତୀଙ୍କୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି ।
ପ୍ରକାଶ ଯେ ବିବାହ ନାଁରେ ପ୍ରତିବର୍ଷ ବହୁସଂଖ୍ୟାରେ ଯୁବତୀ ଏହି ଜିଲ୍ଲାରୁ ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ ଓ ରାଜସ୍ଥାନ ଅଞ୍ଚଳରେ ବିକ୍ରି ହେଉଛନ୍ତି । ଫଳରେ ଦିନକୁ ଦିନ ଏହି ଜିଲ୍ଲାରେ ଯୁବତୀଚାଲାଣ ରାକେଟ ସକ୍ରିୟ ହେଉଛି । ପୂର୍ବରୁ କଣ୍ଟାମାଳ ବ୍ଲକ ସିନ୍ଦୁରପୁର ଗାଁର ମଧୁ ରାଜହଂସ ତାଙ୍କ ବଡ ଝିଅ ଅପେଶ୍ୱରୀଙ୍କୁ ଦଲାଲ ମାଧ୍ୟମରେ ବିକ୍ରି କରିଥିବା ବେଳେ ଏବେ ମାଟ୍ରିକ ପାସ୍ କରିଥିବା ସାନ ଝିଅକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି । ମଧୁଙ୍କ ବୟସ ୬୮ବର୍ଷ । ଚାଷ ଜମି କହିଲେ ଏକ ଏକର ଜମିରୁ କମ୍ । ସମ୍ବଳ ନ ଥିବାରୁ ସେ ନିଜେ ଚାଷ କରିବାକୁ ସକ୍ଷମ ନୁହଁନ୍ତି । ଫଳରେ ଭାଗ ଚାଷରେ ଲଗେଇ ଦେଇଛନ୍ତି ଜମି । ଆୟ କହିଲେ ସେଇ ଭାଗ ଚାଷର ୮ବସ୍ତା ଧାନ । ପରିବାରରେ ସେ ଜଣେ ହିଁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ମାସିକ ୫ଶହ ଟଙ୍କା ପାଆନ୍ତି । ତାଙ୍କ ସ୍ତ୍ରୀଙ୍କ ବୟସ ୬୦ବର୍ଷରୁ ଅଧିକ ହୋଇଥିଲେ ହେଁ ସେ ଭତ୍ତା ପାଇନାହାନ୍ତି । ବହୁ ବର୍ଷ ତଳେ ଭାଲୁ କାମୁଡ଼ାରେ ଗରୁତର ସ୍ତ୍ରୀକୁ ବୁର୍ଲାରେ ଚିକିତ୍ସା ପରେ ସେ ଏକପ୍ରକାର ସ୍ଥାଣୁ ପାଲଟିଯାଇଛନ୍ତି । ସରକାରୀ ସହାୟତା ନାହିଁ । ଭିନ୍ନକ୍ଷମ ଝିଅ ମଧ୍ୟ ଭତ୍ତା ପାଇବା କଥା । ବାରମ୍ବାର ପଞ୍ଚାୟତ ଅଫିସକୁ ଦୌଡ଼ି ଦରଖାସ୍ତ ଦେଇ ନୟାନ୍ତ ହେଲେଣି, କିଛି ସୁଫଳ ମିଳିନାହିଁ । ପୁଅ ବି ପାରିଲା ଭଳି କାମକୁ ହୋଇ ନାହିଁ । ଭିନ୍ନକ୍ଷମ ଝିଅ ଉର୍ମିଳାର ଗୋଟେ ଆଖି ନଷ୍ଟ ହୋଇଯାଇଥିଲେ ବି ଚଳିତ ବର୍ଷ ସେ ମାଟ୍ରିକ ପାସ କରିଛନ୍ତି । ଆଗକୁ ପାଠ ପଢାଇବାକୁ ସମ୍ବଳ ନାହିଁ । ଭୋଜିଭାତ ଦେଇ ବାହା କରେଇବାକୁ ମଧୁଙ୍କ ସାହାସ ହେଉନାହିଁ । ଅର୍ଥାଭାବ ଯୋଗୁଁ ଝିଅକୁ ପାଠ ପଢାଇବା କି ବିବାହ କରିବା ପାଇଁ ତାଙ୍କର ସାମର୍ଥ୍ୟ ନାହିଁ । ବାଧ୍ୟ ହୋଇ ଭଲ ଗରାଖ ଦେଖି ବିକି ଦେବି ବୋଲି ମଧୁ କହିଛନ୍ତି । ମଧୁଙ୍କ କହିବା ଅନୁସାରେ ତାଙ୍କ ଗାଁ ଓ ଆଖପାଖ ଗାଁରୁ ଅନେକ ଝିଅ ବାହା ହେବା ନାଁରେ ବିକ୍ରି ହେଉଛନ୍ତି । କେତେ କେତେ ଝିଅ ହଜି ଯାଉଛନ୍ତି । ତାଙ୍କର ଖୋଜଖବର ମିଳୁନାହିଁ । ତାଙ୍କ ବଡଝିଅ ଅପେଶ୍ୱରୀଙ୍କୁ ଗତ ୪ବର୍ଷ ତଳେ ୨୦ହଜାର ଟଙ୍କା ବଦଳରେ ସେ ଅଜଣା ଲୋକଙ୍କ ହାତକୁ ଟେକି ଦେଇଥିଲେ । ୪ବର୍ଷ ଭିତରେ ଝିଅ ଥରେ ଘରକୁ ଆସିଥିବା ବେଳେ କେବେ କେମିତି ଅକାଳେ ସକାଳେ ଗାଁକୁ ଫୋନ କରିଥିବା ଶୁଣିବାକୁ ମିଳୁଛି । ଏବେ ବିବାହ ବୋଝ ଉଠାଇବାକୁ ଅକ୍ଷମ ମଧୁ ସାନ ଝିଅକୁ ଇଚ୍ଛା ନଥିଲେ ମଧ୍ୟ ଭୋକ ଉପାସ ଦାଉରୁ ରକ୍ଷା ପାଇଁ ବିକିବା ପାଇଁ ସ୍ଥିର କରିଥିବା ପ୍ରକାଶ ।
Comments are closed, but trackbacks and pingbacks are open.