ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବିରଳ ସାମୁଦ୍ରିକ ଅଲିଭ ରିଡ୍ଲେ କଇଁଛଙ୍କ ସମୁଦ୍ର ମଧ୍ୟରେ ମିଳନ ପର୍ବ ଆରମ୍ଭ ହୋଇଛି । ମଙ୍ଗଳବାର ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟ ବଙ୍ଗୋପସାଗର ଜଳରାଶିରେ ବନବିଭାଗ ଟିମ୍ ବୋଟ୍ରେ ପାଟ୍ରୋଲିଂ କରୁଥିବା ବେଳେ ସାମୁଦ୍ରିକ କଇଛଙ୍କ ସମାଗମ ଦେଖିଛନ୍ତି । ପ୍ରତି ବର୍ଷ ଭଳି ଚଳିତ ଥର ମଧ୍ୟ ପୂର୍ବ ନିର୍ଦ୍ଧାରିତ ସମୟ ନଭେମ୍ୱର ମାସ ଦ୍ୱିତୀୟ ସପ୍ତାହ ପରେ ଅଲିଭ୍ ରିଡ୍ଲେଙ୍କ ସମାଗମ ଆରମ୍ଭ ହୋଇଥିବାରୁ ଗଣ-ଅଣ୍ଡାଦାନ ବି ଠିକ୍ ସମୟରେ ହେବ ବୋଲି ଆଶା କରାଯାଉଛି । ଏ ନେଇ ପରିବେଶବିତ୍, ବନବିଭାଗ କର୍ମଚାରୀ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।
ଅଲିଭ୍ ରିଡ୍ଲେଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ । ବର୍ତ୍ତମାନ ଅଲିଭ୍ ରିଡ୍ଲେଙ୍କ ଆଗମନ ସମୟ ଆରମ୍ଭ ହୋଇଯାଇଛି । ଏଣୁ ବନବିଭାଗ ପକ୍ଷରୁ ସ୍ପିଡ୍ ବୋଟ୍ ମାଧ୍ୟମରେ ନଭେମ୍ୱର ପହିଲାରୁ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ଆରମ୍ଭ ହୋଇଛି । ରମ୍ଭା ଫରେଷ୍ଟର୍ ସୋମନାଥ ମଲ୍ଲିକଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ବି.କ୍ରିଷ୍ଣା, ପ୍ରସାଦ କୁମାର ବେହେରା, କୃଷ୍ଣଚନ୍ଦ୍ର ବେହେରା, ଜି.କ୍ରିଷ୍ଣା, ଡବ୍ଲୁ୍ୟ.କେଦାର, ଦୀନବନ୍ଧୁ ବେହେରା, ପଙ୍କଜ ସାହୁ ପ୍ରମୁଖ ପାଟ୍ରୋଲିଂ କରୁଛନ୍ତି । ଋଷିକୁଲ୍ୟା ମୁହାଣରୁ ୧୦ କିମି ସମୁଦ୍ର ମଧ୍ୟରେ ଅଲିଭ୍ ରିଡ୍ଲେଙ୍କ ଗତିବିଧି ଲକ୍ଷ୍ୟ କରିବା, ମୋଟରଚାଳିତ ବୋଟ୍ ଓ ଟ୍ରଲର୍ମାନଙ୍କୁ ମୁହାଣ ଠାରୁ ୧୩ କିମି ଦୂରରେ ରଖିବା ଦିଗରେ ପାଟ୍ରୋଲିଂ ବେଳେ ନଜର ରଖାଯାଉଛି । ଚଳିତ ବର୍ଷ ପ୍ରଥମ ଥର ମଙ୍ଗଳବାର ପାଟ୍ରୋଲିଂ ସମୟରେ ତିନି ଯୋଡ଼ି ସାମୁଦ୍ରିକ କଇଁଛ ମିଳନ ହେବାର ଓ ଚାରୋଟି ଅଲିଭ୍ ରିଡ୍ଲେ ଅଲଗା ଭାବରେ ଗଭୀର ସମୁଦ୍ରରେ ପହଁରୁଥିବା ଦେଖିବାକୁ ପାଇଛନ୍ତି ବନ ବିଭାଗ କର୍ମଚାରୀ ।
ଏହି ବିରଳ ସାମୁଦ୍ରିକ କଇଁଛମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ହଜାର ହଜାର କିମି ସମୁଦ୍ର ଅତିକ୍ରମ କରି ଋଷିକୁଲ୍ୟା ମୁହାଣକୁ ଆସିଥାନ୍ତି । ମୁହାଣର ୪୫ ଡିଗ୍ରୀ ଉତ୍ତର ଦିଗ ମଧ୍ୟରେ ସମୁଦ୍ରର ଗଭୀରତା ଅଧିକ ଥିବା ସହ ସମୁଦ୍ର ଗର୍ଭରେ ଛୋଟ ଛୋଟ ପାହାଡ଼ ରହିଥିବା ସମୁଦ୍ର ବିଜ୍ଞାନୀମାନଙ୍କ ଠାରୁ ଜଣାଯାଇଛି । ଏଣୁ ବାୟୁ ପ୍ରବାହ, ସମୁଦ୍ରକ ଗଭୀରତା ଓ ଅନୁକୂଳ ପରିବେଶ ଯୋଗୁଁ ଏହି ସ୍ଥାନକୁ ବିରଳ ପ୍ରଜାତିର କଇଁଛମାନେ ସେମାନଙ୍କ ସଙ୍ଗମ ଓ ଗଣ-ଅଣ୍ଡାଦାନ ସ୍ଥଳ ଭାବେ ବାଛିଥାନ୍ତି । ଋଷିକୁଲ୍ୟା ମୁହାଣ ସମେତ ଆମ ରାଜ୍ୟର ଗହୀରମଥା, ଦେବୀ ନଦୀ ମୁହାଣ ନିକଟରେ ମଧ୍ୟ ଅଲିଭ୍ ରିଡ୍ଲେଙ୍କ ସମାଗମ ଓ ଅଣ୍ଡାଦାନ ଦେଖିବାକୁ ମିଳେ । ସମୁଦ୍ରରେ କଇଁଛମାନଙ୍କ ଲକ୍ଷ ଲକ୍ଷ ସଂଖ୍ୟାରେ ଆଗମନ, ମିଳନ ପର୍ବ ପରେ ବେଳାଭୂମିକୁ ଆସି ଗଣଅଣ୍ଡାଦାନ କରିଥାନ୍ତି । ପ୍ରାୟ ଦେଢ଼ ମାସ ପରେ ସେଥିରୁ ଛୁଆ ଫୁଟି ସମୁଦ୍ରମୁହାଁ ହୋଇଥାନ୍ତି । ଏହି ବିରଳ ଦୃଶ୍ୟ ଦେଖିବା ନିମନ୍ତେ ଦେଶବିଦେଶରୁ ପର୍ଯ୍ୟଟକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ସମୟରେ ଋଷିକୁଲ୍ୟା ମୁହାଣକୁ ଆସିଥାନ୍ତି ।
Comments are closed, but trackbacks and pingbacks are open.