ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

Get real time updates directly on you device, subscribe now.

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସକୁ ଆଉ ୩୫ ଦିନ ବାକି ରହିଲା । ଗତକାଲି ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳ ଏବଂ ଆଜି ପୁରୁଷ ଦଳ ଘୋଷଣା ହୋଇଛି । ଘୋଷିତ ୧୬ ଜଣିଆ ପୁରୁଷ ଦଳରେ ଓଡ଼ିଶାରୁ ୨ ଜଣ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ସାମିଲ କରାଯାଇଛି ।
ଅଲିମ୍ପିକ୍ସ ଦଳରେ ଦୁଇ ଓଡ଼ିଆ ସାମିଲ ହେବା ପରେ ରାଜ୍ୟର ହକିପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ବୀରେନ୍ଦ୍ର ଓ ଅମିତଙ୍କୁ ଅଭିନନ୍ଦନ ଜଣାଇବା ସହ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ମହିଳା ଦଳରେ କେବଳ ଦୀପଗ୍ରେସ ଏକ୍କାଙ୍କୁ ସ୍ଥାନ ମିଳିବା ଓଡ଼ିଶା ହକିପ୍ରେମୀଙ୍କୁ ନିରାଶ କରିଥିଲା । ଆଜି ପୁରୁଷ ଦଳରେ ଅମିତ ଓ ବୀରେନ୍ଦ୍ରଙ୍କୁ ସୁଯୋଗ ମିଳିବା ପରେ ଉଭୟଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।
ଦଳ ଘୋଷଣା ହେବା ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗ୍ରାହାମ ରିଡ୍ କହିଥିଲେ, ୧୬ ଜଣିଆ ଚୂଡ଼ାନ୍ତ ଦଳ ଚୟନ କରିବା ବହୁ କଷ୍ଟକର ଥିଲା । ଶିବିରରେ ସାମିଲ ହୋଇଥିବା ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ସମସ୍ତେ ଚୂଡ଼ାନ୍ତ ଦଳ ପାଇଁ ଦାବିଦାର ରହିଥିଲେ । ଦଳ ପୂର୍ବଭଳି ସମାନ ଭାବେ ଅଭ୍ୟାସ ଏବଂ କଠିନ ପରିଶ୍ରମ ଜାରି ରଖିବ ।’ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିନଗୋମ୍ବାମ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ଅଲିମ୍ପିକ୍ସରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ ରହିଛି । କ୍ରମାନ୍ୱୟରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଆସୁଥିଲା । ଭାରତ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୨ଟି ବ୍ରୋଞ୍ଜ ପଦକ ଜିତିଛି । ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହାପରଠୁ ଇତି ମଧ୍ୟରେ ୪୧ ବର୍ଷ ବିତି ଗଲାଣି କିନ୍ତୁ ଦଳ ପଦକ ଜିତିବାରେ ସଫଳ ହୋଇ ପାରିନି । ଏଥର ଏହି ଆଶା ପୂରଣ ହେବ ବୋଲି ହକି ବିଶେଷଜ୍ଞ ମତ ଦେଉଛନ୍ତି । ୧୬ ଜଣିଆ ଦଳରେ ୧୧ ଜଣ ଖେଳାଳି ଏଥର ଅଲିମ୍ପିକ୍ସରେ ପଦାର୍ପଣ କରିବେ । ପୂର୍ବରୁ ପି.ଆର ଶ୍ରୀଜେଶ, ମନପ୍ରୀତ ସିଂ, ବୀରେନ୍ଦ୍ର, ରୁପିନ୍ଦର ପାଲ ସିଂ ଓ ସୁରିନ୍ଦର କୁମାର ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରଖିଛନ୍ତି ।
ରିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳରେ ଜଣେ ବି ଓଡ଼ିଆ ଖେଳାଳି ସୁଯୋଗ ପାଇ ନଥିଲେ । କିନ୍ତୁ ମହିଳା ଦଳରେ ନମିତା ଟପ୍ପୋ, ଲିଳିମା ମିଞ୍ଜ, ଦୀପଗ୍ରେସ ଏକ୍କା ଓ ସୁନୀତା ଲାକ୍ରା ସାମିଲ ରହିଥିଲେ । ଏଥର କିନ୍ତୁ ପୁରୁଷ ଦଳରେ ଦୁଇ ଜଣଙ୍କୁ ସୁଯୋଗ ମିଳିଛି । ହେଲେ ମହିଳା ଦଳରେ ମାତ୍ର ଜଣେ (ଦୀପଗ୍ରେସ) ସ୍ଥାନ ପାଇଲେ । ପୁରୁଷ ଜାତୀୟ ଶିବିରରେ ମୋଟ୍ ୫ ଜଣ ବୀରେନ୍ଦ୍ର, ଅମିତ, ଶିଳାନନ୍ଦ ଲାକ୍ରା, ଦୀପସାନ ତିର୍କୀ ଓ ନୀଲମ ସଞ୍ଜୀବ ଖେସ ସାମିଲ ରହିଥିଲେ ।
କ୍ୟାରିୟରରେ ଅମିତ ପ୍ରଥମ ଥର ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ବେଶ୍ ଉତ୍ସାହିତ ରହିଛନ୍ତି । କିନ୍ତୁ ବୀରେନ୍ଦ୍ରଙ୍କ ଏହା ଦ୍ୱିତୀୟ ଅଲିମ୍ପିକ୍ସ । ସେ ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଖେଳିଥିଲେ । ଭାରତ ପୁଲ-ଏ’ରେ ଅଲିମ୍ପିକ୍ସ ଚାମ୍ପିଅନ ଆର୍ଜେଣ୍ଟିନା, ଅଷ୍ଟେ୍ରଲିଆ, ନୁ୍ୟଜିଲାଣ୍ଡ, ସ୍ପେନ ଓ ଜାପାନ ସହ ସାମିଲ ରହିଛି ।
ଭାରତୀୟ ଦଳ: ଗୋଲକିପର- ପି.ଆର ଶ୍ରୀଜେଶ, ଡିଫେଣ୍ଡର- ହର୍ମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ମିଡଫିଲ୍ଡର- ହାର୍ଦ୍ଧିକ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ନୀଳକାନ୍ତ ଶର୍ମା, ସୁମିତ, ଫରୱାର୍ଡ- ସାମସେର ସିଂ, ଦିଲପ୍ରୀତ ସିଂ, ଗୁରଜନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ ଓ ମନଦୀପ ସିଂ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons