ବେତନଟୀ,(ବି.ବି.ନୁ୍ୟଜ୍): ଚଳିତବର୍ଷ ଆଗୁଆ ଓଡ଼ିଶା ଆସିଛନ୍ତି ୯ ଝାଡ଼ଖଣ୍ଡୀ ହାତୀ । ଏକ ୯ଟିକିଆ ହାତୀପଲ ଓଡ଼ିଶା ଅନୁପ୍ରବେଶକରି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅତିକ୍ରମ କରିବାପରେ ଶନିବାର ରାତି ୨ଟାରେ ବେତନଟୀ ରେଞ୍ଜ ଅଶନବଣି ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି । ପ୍ରତ୍ୟେକବର୍ଷ ଧାନପାଚିବା ସମୟରେ ଅର୍ଥାତ ପ୍ରାୟତଃ ଡିସେମ୍ବର ମାସରେ ଶହେ ପାଖାପାଖି ବିଶାଳ ଝାଡଖଣ୍ଡୀ ହାତୀପଲ ଓଡ଼ିଶା ଆସୁଥିବା ବେଳେ ଚଳିତବର୍ଷ ଧାର୍ଯ୍ୟ ସମୟ ଠାରୁ ଆଗୁଆ ଆସିଛନ୍ତି ଏହି ୯ଟିକିଆ ହାତୀପଲ । ପ୍ରତ୍ୟେକବର୍ଷ ଦେଉଳୀ, ରାସଗୋବିନ୍ଦପୁର, ବେତନଟୀ ଏବଂ ଡୁକୁରା ରେଞ୍ଜ ଦେଇ ଝାଡଖଣ୍ଡୀ ହାତୀପଲ ନୀଳଗିରିମୁହାଁ ଆଗ୍ରସର ହୋଇଥାନ୍ତି । ସେଠାରେ କିଛିଦିନର ରହଣିପରେ ପୁନର୍ବାର ସେହି ରାସ୍ତା ଦେଇ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ତେବେ କିଛିବର୍ଷ ହେବ ଝାଡଖଣ୍ଡୀ ହାତୀପଲ ବର୍ଷର କୈାଣସି ସମୟରେ ବି ଅପ୍ରତ୍ୟାଶିତ ଭାବେ ଅନୁପ୍ରବେଶ କରୁଛନ୍ତି । ଯାହାକି ବନବିଭାଗ ଏବଂ ଜନସାଧାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଚାଷୀ ଏବଂ କ୍ଷତିଗ୍ରସ୍ତଙ୍କ ପାଇଁ ସର୍ବାଧିକ ମୁଣ୍ଡବଥା ପାଲଟିଛି ।
ଅନ୍ୟପଟେ ବର୍ଷତମାମ ବେତନଟୀ ଏବଂ ରାସଗୋବିନ୍ଦପୁର ରେଞ୍ଜରେ ୧୫-୧୬ଟି ଶିମିଳିପାଳ ହାତୀ ଉପôାତ କରୁଥିବା ବେଳେ ଫସଲ, ଘରଦ୍ୱାର କ୍ଷୟକ୍ଷତି ସହିତ ହାତୀ ଆକ୍ରମଣରେ ଜୀବନହାନି ମଧ୍ୟ ହେଉଛି । ତେବେ ଶିମିଳିପାଳ ହାତୀ ଆକାରରେ ଝାଡଖଣ୍ଡୀ ହାତୀ ଠାରୁ ଅପେକ୍ଷାକୃତ ଆକାରରେ ସାନ ହେବା ସହିତ ସାମାନ୍ୟ ଶାନ୍ତ ସ୍ୱଭାବର । ମାତ୍ର ଝାଡଖଣ୍ଡୀ ହାତୀ ଠିକ ଏହାର ଓଲଟା ହୋଇଥିବା ବେଳେ ଆକାରରେ ବିଶାଳ ଏବଂ ରାଗି ତଥା ସର୍ବଦା ଆକ୍ରମଣାତ୍ମକ ବ୍ୟବହାର ଦେଖାଇଥାନ୍ତି । ଏଭଳି ସ୍ଥଳରେ ଯଦି ଉଭୟ ହାତୀପଲ ମୁହାଁମୁହିଁ ହୁଅନ୍ତି ତାହେଲେ ଦୁଇଦଳ ମଧ୍ୟରେ ଲଢେଇ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବର୍ତ୍ତମାନ ୧୫ଟି ଶିମିଳିପାଳ ହାତୀ ବେତନଟୀ ରେଞ୍ଜ ଛାଡି ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆ ଜଙ୍ଗଲରେ ରହିଛନ୍ତି । ଆଉ ବେତନଟୀ ରେଞ୍ଜରେ ରହିଯାଇଥିବା ଗୋଟିଏ ଶିମିଳିପାଳ ହାତୀ ପିଠାବଟା ରେଞ୍ଜକୁ ପଳାଇଛି । ତେବେ ଉଭୟ ହାତୀପଲ ପରସ୍ପର ଠାରୁ ଦୂରରେ ଥିବାବେଳେ ଯଦି ନାକିଚୁଆ ଜଙ୍ଗଲରେ ଥିବା ଶିମିଳିପାଳ ହାତୀପଲ ପ୍ରତ୍ୟାବର୍ତ୍ତନ କରନ୍ତି ତାହେଲେ ମୁହାଁମୁହିଁ ହେବା ସୁନିଶ୍ଚିତ । ଶନିବାର ବିଳମ୍ବିତ ରାତିରେ ବେତନଟୀ ରେଞ୍ଜରେ ପ୍ରବେଶ କରିଥିବା ଏହି ୯ଟିକିଆ ହାତୀପଲ ଅଶନବଣି ଜଙ୍ଗଲରୁ ନୀଳଗିରି ମୁହାଁ ଆଗକୁ ବଢିବେ ନାଁ ପ୍ରତ୍ୟାବର୍ତ୍ତନ କରିବେ ତାଉପରେ ଏବେ ବନବିଭାଗର ନଜର । ତେବେ କ୍ଷେତରେ ପାଚିଲାଧାନ ନଥିବାରୁ ହାତୀ ଗୁଡିକ ଜଙ୍ଗଲରୁ ବାହାରୁ ନାହାନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ଅଶନବଣି ସଂରକ୍ଷିତ ଜଙ୍ଗଲରୁ ହାତୀ ବାହାରି ନଥିବା ବେଳେ ବନବିବାଗ ପକ୍ଷରୁ ଜଙ୍ଗଲ ପାଶ୍ୱବର୍ତ୍ତି ସମସ୍ତ ଗାଁରେ ଡାକବାଜି ଯନ୍ତ୍ର ଦ୍ୱାରା ହାତୀ ପାଇଁ ଜଙ୍ଗଲକୁ ନଯିବାକୁ ସତର୍କ କରାଇ ଦିଆଯାଇଛି । ବେତନଟୀ ରେଞ୍ଜ ସମେତ ଅନ୍ୟାନ୍ୟ ସ୍ଥାନରୁ ବନବିଭାଗର ଟିମ ହାତୀପଲ ଉପରେ ନଜର ରଖିଛି ।
Comments are closed, but trackbacks and pingbacks are open.