କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ଅଙ୍ଗୁଳାଇ ପଞ୍ଚାୟତ ବରେଈ ଗ୍ରାମରେ ଏକ କୁକୁର ‘ସୁନ୍ଦରୀ’ ଛାଇ ପରି ଜଗିରହିଛି ତା’ ମାଲିକାଣୀ, ମା’ ଛେଉଣ୍ଡ ଜଣେ ଯୁବତୀଙ୍କୁ ।
ବରେଇ ଗାଁରେ ଏକାକିନୀ ରହିଆସୁଛନ୍ତି ମା’ ଛେଉଣ୍ଡ ପୂଜା ଦାସ(୨୨) । ତାଙ୍କ ଜନ୍ମ ପରେ ପରେ ପୂଜାଙ୍କ ମା’ ସବୁଦିନ ପାଇଁ ଚାଲିଗଲେ । ମାନସିକ ଭିନ୍ନକ୍ଷମ ବାପା ବି କେବେଠାରୁ କୁଆଡେ଼ ଯାଇଛନ୍ତି ଯେ ଯାଇଛନ୍ତି । ତାଙ୍କ ବିଷୟରେ କିଛି ଖବର ମିଳୁନାହିଁ । ଏତେବଡ଼ ଦୁନିଆରେ ପୂଜା ଏକାକିନୀ । ଚଳିବାକୁ ପାଖରେ ତାଙ୍କର କୌଣସି ସାଧନ ନାହିଁ । ଗାଁ ଲୋକଙ୍କ ସହଯୋଗ ତଥା ଭିକ୍ଷାବୃତ୍ତିରୁ ଯାହା ମିଳେ ସେଥିରେ ପେଟ ପୋଷନ୍ତି । କରୋନା ପୂର୍ବରୁ ଗାଁ ପାଖ ଦୋକାନରେ ବୋଲହାକ ଭଳି କିଛି କାମ କରି ପେଟ ପୋଷୁଥିଲେ । ହେଲେ ଲକ୍ଡାଉନ୍ କାରଣରୁ ଜୀବିକା ହରାଇ ଅତି ଦୟନୀୟ ଭାବେ ରହୁଛନ୍ତି । ଆଶ୍ରୟ ସ୍ଥଳ କହିଲେ ପୂର୍ବପୁରୁଷର ଭିଟାମାଟିରେ ପଡ଼ିରହିଥିବା ଭଙ୍ଗା ଦଦରା ମାଟି ଛପର ଘର ଖଣ୍ଡକ । ଘରର ଛପର ଉଡ଼ିଯାଇଥିବା ବେଳେ ମାଟିକାନ୍ଥ ବି ଠାଏ ଠାଏ ଗଳିପଡ଼ିଛି । ତାରି ଭିତରେ କାଠପଟା ପକାଇ ଶୋଉଛନ୍ତି ପୂଜା । ଆଉ ତାଙ୍କୁ ସୁରକ୍ଷା ଯୋଗାଇ ଦେଉଛି ତାଙ୍କ ପୋଷା କୁକୁର ‘ସୁନ୍ଦରୀ’, ଯିଏ କି ସବୁ ସମୟରେ ତାଙ୍କ ପାଖରେ ଛାଇ ଭଳି ରହିଛି । ରାତିଦିନ ତାଙ୍କୁ ଜଗୁଛି । ପୂଜା ଯୁଆଡେ଼ ଗଲେ ତାଙ୍କ ପଛେପଛେ ଯାଉଛି ।
କିଛି ବର୍ଷ ଆଗରୁ ‘ସୁନ୍ଦରୀ’କୁ ରାସ୍ତାକଡ଼ରୁ ପାଇ ପୂଜା ଘରକୁ ନେଇ ଆସିଥିଲେ, ନାଁ ଦେଇଥିଲେ । ସେବେଠାରୁ ତାକୁ ପାଳି ପୋଷି ଆସୁଛନ୍ତି ଓ ସୁନ୍ଦରୀ ତାଙ୍କ ନିଃସଙ୍ଗ ଜୀବନର ସାଥୀ ପାଲଟି ଯାଇଛି । ବିପଦଆପଦ, ସୁଖଦୁଃଖରେ ତାଙ୍କ ପାଖେ ରହି ମନୋବଳ ବଢ଼ାଇଛି, ସାହସ ଦେଇଛି । ତାଙ୍କୁ କୁଆଡେ଼ ଏକାକିନୀ ଛାଡୁନି । ନିଜେ ଚଳିବାକୁ ତଥା ପୂର୍ବ ପୁରୁଷଙ୍କ ଦ୍ୱାରା ସ୍ଥାପିତ ଠାକୁରଙ୍କ ମନ୍ଦିରରେ ନୀତିକାନ୍ତି ପାଇଁ ବାହାରକୁ ଭିକ ମାଗି ଯାଆନ୍ତି ପୂଜା । ସେଥିରୁ ଯାହା ମିଳେ ସେଥିରେ ଘରେ ଚୁଲି ଜଳେ । ନିଜେ ଖାଆନ୍ତି ଓ ‘ସୁନ୍ଦରୀ’କୁ ଦିଅନ୍ତି । ଠାକୁରଙ୍କ ନୀତିକାନ୍ତି ବି ସେଥିରେ ସମ୍ପାଦିତ ହୁଏ । ଘରକୁ ବ୍ରାହ୍ମଣ ଦୁଇ ଓଳି ପୂଜା କରିବାକୁ ଆସୁଥିବା ବେଳେ ତାଙ୍କୁ ବି ମାସିକ ପାଉଣା ଦେବାକୁ ପଡେ଼ ।
ଏଯାଏ ପୂଜାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇନଥିବା ବେଳେ ଆବାସ ଯୋଜନାରେ ଘର ଖଣ୍ଡେ ବି ମିଳିନି । ନିଜ ଭାଗ୍ୟକୁ ଆଦରି ଭଙ୍ଗା ଚାଳଛପର ଘରେ ସେ ପଡ଼ିରହିଛନ୍ତି । ଆଉ ପାଖେପାଖେ ଜଗିରହିଛି ତାଙ୍କ ପୋଷା ‘ସୁନ୍ଦରୀ’ । ଏକ କୁକୁର ଯେଉଁଭଳି ଭାବେ ଜଣେ ଅସହାୟା ଯୁବତୀଙ୍କୁ ସୁରକ୍ଷା ଯୋଗାଉଛି ଓ ତାଙ୍କ ସୁଖଦୁଃଖର ସାଥୀ ପାଲଟିଛି ତାହା ଅଞ୍ଚଳର ସଭିଙ୍କୁ ଚକିତ କରିଛି । ଲୋକଙ୍କୁ ‘ତେରି ମେହରବାନିଆ’ ଫିଲ୍ମର କାହାଣୀକୁ ମନେ ପକାଇ ଦେଉଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.