
ବଲାଙ୍ଗିର,(ପୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ଓଡ଼ିଶା ପୁଲିସ ମହାନିଦେ୍ର୍ଧଶକ ଅଭୟ ଆଜି ବଲାଙ୍ଗିର, କଳାହାଣ୍ଡି ଏବଂ ନୂଆପଡ଼ା ଗସ୍ତ କରି କୋଭିଡ୍ ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି । ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥା ପରଖିବା ସହ ତିନି ଜିଲ୍ଲାର ବରିÂ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଲୋକଙ୍କୁ ସତର୍କ ରହିବା ସହ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ଲାଗି ପରାମର୍ଶ ଦେଇଛନ୍ତି । ପୁଲିସ ବାହିନୀର ମନୋବଳ ବଢ଼ାଇବା ପାଇଁ ପୁଲିସ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି । ସେହିପରି ତିନି ଜିଲ୍ଲାରେ ମାଓବାଦୀ ସ୍ଥିତି ଅନୁଧ୍ୟାନ କରିବା ସହ ନକ୍ସଲଙ୍କୁ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ଡିଜି ଅଭୟ । ତେବେ ଡିଜିଙ୍କ ଏହି ଗ୍ରସ୍ତ କରୋନା କଷଣ ମଧ୍ୟରେ ମାଓଦାବୀଙ୍କ ସହ ମୁକାବିଲା କରୁଥିବା ପୁଲିସ ବାହିନୀର ମନୋବଳ ବୃଦ୍ଧି କରିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।
ଆଜି ପୂର୍ବାହ ୯.୧୫ରେ ଡିଜି ଅଭୟ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ବଲାଙ୍ଗିର ମନୋହରପୁର ରିଜର୍ଭ ପୁଲିସ ପଡିଆରେ ଓହ୍ଲାଇଥିଲେ । ସେଠାରୁ ରିଜର୍ଭ ପୁଲିସ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାରେ କରୋନା ସ୍ଥିତି, ପୁଲିସର ଯାଞ୍ଚ ପ୍ରକ୍ରିୟା, ମାଓ ଗତିବିଧି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରିଜର୍ଭ କାର୍ଯ୍ୟାଳୟରୁ ଆର୍ଦଶ ଟାଉନ ଥାନାକୁ ଯାଇ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଅଭ୍ୟର୍ଥନା କକ୍ଷ ବୁଲିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଅଭୟ କହିଛନ୍ତି, ନିଜ ସୁରକ୍ଷା ନିଜ ହାତରେ । ଅତି ଆବଶ୍ୟକ ନହେଲେ କେହି ଘରୁ ବାହାରନ୍ତୁ ନାହିଁ । ଯଦି ବାହାରୁଛନ୍ତି ତା’ହେଲେ ସାଙ୍ଗରେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ପୁଲିସ ଲୋକଙ୍କ ସେବକ । ସେମାନଙ୍କ ସେବା ପାଇଁ ହିଁ ପୁଲିସ ବିଭାଗ ରହିଛି । ଜନତାଙ୍କ ପ୍ରତି ପୁଲିସ କେବେ ହେଲ ଆକ୍ରୋଶମୂଳକ ମନୋଭାବ ଗ୍ରହଣ କରିନଥାଏ । ତଥାପି ଜନତା ଏବଂ ପୁଲିସର ସହଭାଗିତା ରହିଲେ ହିଁ କରୋନା ସଂକ୍ରମଣରେ ନିୟନ୍ତ୍ରଣ ଅଣାଯାଇପାରିବ ବୋଲି ଡିଜି ଶ୍ରୀ ଅଭୟ କହିଛନ୍ତି । ଏହାପରେ ଡିଜି ହେଲିକପ୍ଟର ଯୋଗେ କଳାହାଣ୍ଡି ଅଭିମୁଖେ ବାହାରିଥିଲେ । ଏହି ଗସ୍ତରେ ଆଇଜି(ପର୍ସନେଲ) ଏସ.ପ୍ରବୀଣ କୁମାର, ସ୍ପେସିଆଲ ଗୁଇନ୍ଦା ବିଭାଗର ଡିଆଇଜି ଅନିରୁଦ୍ଧ ସିଂ, ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ, ବଲାଙ୍ଗିର ଏସ୍ପି ଦାୟିତ୍ୱରେ ଥିବା ବରଗଡ଼ ଏସ୍ପି ପଦ୍ମିନୀ ସାହୁ ତଥା ଜିଲ୍ଲା ପୁଲିସର ବହୁ ବରିÂ ଅଧିକାରୀ ଉପସ୍ଥିତ ଥିଲେ ।
ପୂର୍ବାହ୍ନ ୧୧ଟା ୩୦ରେ ଡିଜି ଶ୍ରୀ ଅଭୟ ଭବାନୀପାଟଣାରେ ପହଞ୍ଚି ରିଜର୍ଭ ପୁଲିସ କାର୍ଯ୍ୟାଳୟରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କୋଭିଡ୍ ସ୍ଥିତି ଓ ମୁକାବିଲାର ଜରୁରୀ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । କଳାହାଣ୍ଡିରେ ମାଓବାଦୀ ଗତିବିଧି ନେଇ ବରିÂ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡିଜି କହିଛନ୍ତି, କଳାହାଣ୍ଡିରେ ମାଓବାଦୀଙ୍କ ଗତିବିଧି ରହିଛି । ହେଲେ କମ୍ ଅଛି । ସେମାନେ ଅସ୍ତ୍ର ସହ ଆତ୍ମସମର୍ପଣ କରନ୍ତୁ ଓ ଗଣତନ୍ତ୍ରର ମୁଖ୍ୟ ଧାରାରେ ସାମିଲ ହୁଅନ୍ତୁ ବୋଲି ପୁଲିସ୍ ଡିଜି ମାଓବାଦୀମାନଙ୍କୁ ପୁଣି ଥରେ ଆହ୍ୱାନ କରିଛନ୍ତି । ସେହିପରି ମୁହଁରେ ମାସ୍କ ସର୍ବଦା ବ୍ୟବହାର କରିବା ସହ ସାମାଜିକ ଦୂରତ୍ୱ ମାନି ଚଳିବା ଓ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସମସ୍ତ କଟକଣାଗୁଡ଼ିକୁ ପାଳନ କରିବାକୁ ଅଭୟ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ସୀମାନ୍ତରେ ଯାଞ୍ଚ ସମ୍ପର୍କରେ ମଧ୍ୟ ସେ କହିଛନ୍ତି । ଡିଜିଙ୍କ ସମୀକ୍ଷା ବୈଠକରେ ଆଇଜି (ପର୍ସନାଲ) ପ୍ରବୀଣ କୁମାର, ଆଇଜି (ଗୋଇନ୍ଦା) ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, କଳାହାଣ୍ଡି ଏସ୍ପି ଡ. ଶ୍ରବଣ ବିବେକ ଏମ୍, କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, କେସିଙ୍ଗା ଏସଡିପିଓ ଏମ୍. ସୁଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡିଜି ଶ୍ରୀ ଅଭୟ କରୋନା ପରିସ୍ଥିତିରେ ନିଜ ଜୀବନକୁ ବିପନ୍ନ କରି କର୍ତ୍ତବ୍ୟ କରୁଥିବା ପୁଲିସ୍ ଅଧିକାରୀ, କର୍ମଚାରୀ, ହୋମଗାଡର଼୍, ଟ୍ରାଫିକ୍ ପୁଲିସ୍, ଯବାନମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ନୂଆପଡ଼ା ଅଭିମୁଖେ ଯାତ୍ରା କରିଥିଲେ ।
ଅପରାହ୍ନ ୧.୩୦ରେ ଡିଜି ନୂଆପଡ଼ା ଜିଲ୍ଲା ଗୋତମା ଏୟାରଷ୍ଟ୍ରିପରେ ଓହ୍ଲାଇଥିଲେ । ଡିଜି ପ୍ରଥମେ ରିଜର୍ଭ ଅଫିସକୁ ଯାଇ କୋଭିଡ ମୁକାବିଲା ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଜୋଙ୍କ ଥାନା ଅଧିନ ଖରିଆରରୋଡ ରେଲୱେ ଫାଟକ ନିକଟ ଜୋଙ୍କ ନଦୀ ତଟରେ ଥିବା ରାଜ୍ୟ ସୀମାନ୍ତରେ ଚେକପୋଷ୍ଟ ପରିଦର୍ଶନ କରି ଯାଞ୍ଚ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ । ବିନା କୋଭିଡ ଟେଷ୍ଟ ନେଗେଟିଭ ରିପୋର୍ଟ ନଦେଖାଇବା ପର୍ଯ୍ୟନ୍ତ ରାଜ୍ୟ ସୀମା ଭିତରକୁ ଛାଡୁ ନଥିଲେ । ରାଜ୍ୟ ବାହାରୁ ଲୋକେ ଜିଲ୍ଲାକୁ ଫେରୁଥିଲେ ତାଙ୍କର ସବିଶେଷ ତଥ୍ୟ ସଂଗ୍ରହ କରି ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦେଉଥିଲେ । ମାସ୍କ ବ୍ୟବହାର କରିବା ସହ ସମାଜିକ ଦୂରତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ସେଠାରୁ ଜୋଙ୍କ ଥାନା ପରିଦର୍ଶନ କରିଥିଲେ । ପରେ ରିଜର୍ଭ ଅଫିସରେ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ସହ କୋଭିଡ ମୁକାବିଲା ଉପରେ ଆଲୋଚନା କରିଥିଲେ । ଅପରାହ୍ନରେ ରିଜର୍ଭ ଅଫିସରେ ପ୍ରେସ କନଫରେନ୍ସରେ ଯୋଗ ଦେଇ କହିଥିଲେ ଯେ, ଜିଲ୍ଲାବାସୀଙ୍କୁ କରୋନା କଟକଣା ମାନି ଚଳିବା ଏବଂ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପୁଲିସ କୋଭିଡ୍ ମୁକାବିଲାରେ ଭଲ କାମ କରିଛନ୍ତି । ନୂଆପଡ଼ା ଜିଲ୍ଲା ପୁଲିସକୁ କୃତଜ୍ଞତା ଜଣାଉଛି ବୋଲି କହିଥିଲେ । ଶେଷରେ କୋଭିଡ ଯୋଦ୍ଧାମାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଡିଜିଙ୍କ ଏହି ଟିମ୍ରେ ଆଇଜି ପରସେନାଲ ଏସ୍ ପ୍ରବୀଣ କୁମାର, ଡିଆଇଜି ଏସଆଇଡବ୍ଲୁ୍ୟ ଅନିରୁଦ୍ଧ ସିଂ, ଦକ୍ଷିଣ -ପଞ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସ୍ପି ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.