ଆଇଆଇସି, ତହସିଲଦାରଙ୍କୁ ୫ ଘଣ୍ଟା ଜେରା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖଣି କାରବାର ଲିଙ୍କ୍ରେ ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) କିଛି ବଡ଼ମୁଣ୍ଡକୁ ପଞ୍ଝା ମାରିଛି । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ ଜେନା ଓ ତହସିଲଦାର ଶୁଭେନ୍ଦ୍ର କୁମାର ସାମଲଙ୍କୁ ୫ ଘଣ୍ଟା ମାରାଥନ୍ ଜେରା କରିଛି ଏସ୍ଟିଏଫ୍ । ଏହି ସମୟରେ ସେମାନଙ୍କ ଠାରୁ କିଛି ତଥ୍ୟ ପାଇଛି । ଏମାନଙ୍କୁ ପୁଣି ଜେରା କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି ।
ଖୋର୍ଦ୍ଧା ସଦର ଥାନା ଅଧୀନରେ ମାଳମାଳ ବେଆଇନ ପଥର ଖଣି କାରବାର ଚାଲିଛି । ଫଳରେ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି । ଏସବୁ ବେଆଇନ ପଥର ଖଣି ଖନନ ବିଷୟରେ ଆଇଆଇସି ଶ୍ରୀ ଜେନା ଓ ତହସିଲ୍ଦାରଙ୍କ ଶ୍ରୀ ସାମଲ ଜାଣିଥିଲେ । ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ଘଟଣା ସମ୍ପର୍କରେ ଏସ୍ଟିଏଫ୍ ମାମଲା ରୁଜୁକରି ଆରମ୍ଭ କରିଥିଲା ତନାଘନା । ବେଆଇନ ଖଣି ଓ ନିଶା କାରବାର କରୁଥିବା ୨୫ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସମୟରେ କିଛି ସରକାରୀ କର୍ମଚାରୀଙ୍କ ଭୂମିକା ପଦାକୁ ଆସିଛି । ଏସ୍ଟିଏଫ୍ ଜାଣିବାକୁ ପାଇଛି ସଂପୃକ୍ତ ସରକାରୀ କର୍ମଚାରୀମାନେ ମୋଟା ଅଙ୍କ ନେଇ ବେଆଇନ ଖଣି ଖୋଳିବାକୁ ସହଯୋଗ କରିଥିଲେ ।
ଗତ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଏସ୍ଟିଏଫ୍ ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ ଜେନା ଓ ତହସିଲଦାର ଶୁଭେନ୍ଦ୍ର କୁମାର ସାମଲଙ୍କ ସହ ୫ ଜଣ ସରକାରୀ କର୍ମଚାରୀଙ୍କୁ ନୋଟିସ୍ ଜାରି କରିଥିଲେ । ୧୭ ତାରିଖରେ ସମସ୍ତଙ୍କୁ ହାଜର ହେବାକୁ ଉକ୍ତ ନୋଟିସ୍ରେ ଉଲ୍ଲେଖ ରହିଥିଲା । ଆଜି ତହସିଲଦାର ଓ ଥାନା ଅଧିକାରୀ ହାଜର ହୋଇଥିଲେ । ଅନ୍ୟମାନେ ନ ଆସି ସମୟ ମାଗିଛନ୍ତି ।
ଅନ୍ୟପକ୍ଷରେ ମେ’ ୨୮ରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖଣି ଉପରେ ଚଢ଼ଉ କରି ଏସ୍ଟିଏଫ୍ ୫ଟି ଟ୍ରକ୍ ଜବତ କରି ଖୋର୍ଦ୍ଧା ସଦର ଥାନାରେ ରଖିଥିଲା । ହେଲେ ସେ ସବୁ ଗାଡ଼ିକୁ ଆଇଆଇସି ଛାଡ଼ି ଦେଇଥିଲେ । ଏ ବିଷୟରେ ମଧ୍ୟ ଶ୍ରୀ ଜେନାଙ୍କୁ ପଚରାଉଚରା କରାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଆଇଆଇସି ଶ୍ରୀ ଜେନା କିଛି ନେତାଙ୍କ ଛତ୍ରଛାୟା ତଳେ ଦୀର୍ଘ ବର୍ଷ ହେବ ଖୋର୍ଦ୍ଧା ଅଞ୍ଚଳରେ ରହୁଛନ୍ତି । ତହସିଲଦାର ଶ୍ରୀ ସାମଲଙ୍କୁ ଏସ୍ଟିଏଫ୍ର ଅଧିକାରୀମାନେ ଯାହା ପଚାରିଲେ ସେ କିଛି କହି ପାରିନଥିଲେ । ଜେରା ବେଳେ ୫ଥର ଶୌଚାଳୟ ଯାଇଥିଲେ ଶ୍ରୀ ସାମଲ । ପରିସ୍ଥିତି ଏମିତି ହୋଇଥିଲା ଯେ ବାଧ୍ୟ ହୋଇ ତାଙ୍କୁ ପଚରାଉଚରା କରିବା ବନ୍ଦ କରିଦେଇଥିଲେ ଏସ୍ଟିଏଫ୍ ଅଧିକାରୀ ।
ଶୁକ୍ରବାର ସକାଳ ସାଢ଼େ ୧୦ଟାରେ ପ୍ରଥମେ ଆସିଥିଲେ ଆଇଆଇସି ଶ୍ରୀ ଜେନା । କିଛି କାଗଜପତ୍ର ସାଙ୍ଗରେ ଆଣିଥିଲେ । ତା’ପରେ ଆସିଥିଲେ ତହସିଲଦାର ଶ୍ରୀ ସାମଲ । ୫ ଘଣ୍ଟା ଧରି ଦୁଇ ଜଣଙ୍କୁ ଜେରା କରିଥିଲେ ଏସ୍ଟିଏଫ୍ ଡିଆଇଜି ଆଶିଷ ସିଂହ ଓ ଏସ୍ପି ରାହୁଲ୍ ପିଆର । ଆସନ୍ତା ୨୧ ତାରିଖରେ ସେମାନଙ୍କୁ ପୁଣି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ତା’ଛଡା ଶ୍ରୀ ଜଗନ୍ନାଥଙ୍କ ଜମିର କିଛି କାଗଜପତ୍ର ମଧ୍ୟ ଏସ୍ଟିଏଫ୍ ମାଗିଥିଲା । ଜଗନ୍ନାଥ ମନ୍ଦିର ପ୍ରଶାସନର କିଛି କର୍ମଚାରୀ ଉକ୍ତ କାଗଜପତ୍ର ଧରି ପହଞ୍ଚିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons