ଆଇଏଏସ୍ ଅଦଳବଦଳ: ଅସିତ୍ ତ୍ରିପାଠୀ କେବିକେ ମୁଖ୍ୟ ପ୍ରଶାସକ, କ୍ରିଷନ କୁମାର ପୂର୍ତ୍ତ ସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟ ସରକାର ଆଜି ଆଇଏଏସ୍ସ୍ତରରେ ଅଦଳବଦଳ କରିଛନ୍ତି । ଉନ୍ନୟନ କମିଶନର ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି । ଅତିରିକ୍ତ ଭାବେ ସେ ଏ ଦାୟିତ୍ୱ ତୁଲାଇବେ । କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା ସୁଦର୍ଶନ ପାଲ ଠାକୁରଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସିଜେ ବେଣୁଗୋପାଳଙ୍କୁ ରାଜସ୍ୱ ପରିଷଦ ସଭ୍ୟ ଭାବେ ନିଯୁକ୍ତି ମିଳିଛି । ଡ. କ୍ରିଷନ କୁମାର ଏଣିକି ପୂର୍ତ୍ତ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ । ତାଙ୍କ ନିକଟରେ ଥିବା ସମବାୟ ବିଭାଗର ସଚିବ ଅତିରିକ୍ତ ଦାୟିତ୍ୱ ନେବେ ଖାଦ୍ୟ ଓ ଯୋଗାଣ ସଚିବ ବୀର ବିକ୍ରମ ଯାଦବ । ଏ ସଂପର୍କରେ ଆଜି ସରକାରୀ ବିଜ୍ଞପ୍ତି ଜାରି ହୋଇଛି ।
ସେହିଭଳି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପ୍ରମୁଖ ସଚିବ ନୀତେନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ସରକାର ବଦଳି କରିଛନ୍ତି । ପଞ୍ଚାୟତିରାଜ ସଚିବ ଦେଓରଂଜନ କୁମାର ସିଂହଙ୍କୁ ନିଜ ଦାୟିତ୍ୱ ସହ ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ରଂଜନା ଚୋପ୍ରାଙ୍କୁ ଅନୁସୂଚିତ ଜନଜାତି ଓ ଜନଜାତି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ପଦ ମିଳିଛି । ଅବକାରୀ ସଚିବ ସୁଶୀଲ କୁମାର ଲୋହାନି ନିଜ ଦାୟିତ୍ୱ ସହ ବାଣିଜ୍ୟ କର ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏସଟିଏସସି କଲ୍ୟାଣ ସଚିବ ଆର.ରଘୁପ୍ରସାଦଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ସହ ଓମଫେଡ୍ ଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ସରକାର ଅବସ୍ଥାପିତ କରିଛନ୍ତି । ପ୍ରାଣୀ ସମ୍ପଦ ସଚିବ ବିଶାଳ ଗଗନ ଏଣିକି ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାର ବୁଝିବେ ।
ବିଜ୍ଞାନ ଓ କାରିଗରୀ ସଚିବ ଭାସ୍କର ଜ୍ୟୋତି ଶର୍ମା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ପଦକୁ ଯାଇଥିଲା ବେଳେ ଅର୍ଚ୍ଚନା ପଟ୍ଟନାୟକଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ସହ ଉଠା ଜଳସେଚନ ନିଗମର ଏମ୍ଡି ଭାବେ ଅତିରିକ୍ତ ପଦବି ଦେଇଛନ୍ତି ସରକାର । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ୍ ରାମଚନ୍ଦ୍ର ଯାଦବଙ୍କୁ ଅନୁସୂଚିତ ଜନଜାତି ଡାଇରେକ୍ଟର ଏସଟି ଭାବେ ନିଯୁକ୍ତି ମିଳିଛି । ସେସୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାଦିକ ଆଲାମ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଏମଜିଆଇ (ସେଣ୍ଟର ଫର ମର୍ଡନାଇଜିଙ୍ଗ ଗଭର୍ନମେଣ୍ଟ ଇନିସିଏଟିଭ୍) ଭାବେ ଏଣିକି ଦାୟିତ୍ୱ ତୁଲାଇବେ । କ୍ରାଇମବ୍ରାଞ୍ଚ ଆଇଜି ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ସେସୁ ସିଇଓ ଭାବେ ସରକାର ଅବସ୍ଥାପିତ କରିଛନ୍ତି । ରାଜସ୍ୱ ପରିଷଦ ସଚିବ ସୁରେନ୍ଦ୍ର କୁମାର ମୀନାଙ୍କୁ ପୂର୍ତ୍ତ ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons